ଲୋକଙ୍କ ସୁଖ ଦୁଃଖରେ ସାମିଲ ରହିବ ପାଇଁ କରମୀ ଓ ନେତାଙ୍କୁ ପତ୍ର ଲେଖିଲେ  ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରତ୍ୟେକ ୱାର୍ଡରୁ ଅତିକମରେ ୨୦୦ ନୂତନ ସଭ୍ୟ ଯୋଡିବାକୁ ନିର୍ଦ୍ଦେଶ  

ଭୁବନେଶ୍ୱର,: ବିଜୁ ଜନତା ଦଳର ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଞ୍ଚାୟତ ତଥା ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରୁ ଅତିକମରେ ରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ କରିବେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ/ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠକମାନଙ୍କ ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ପତ୍ର ଲେଖିଛନ୍ତି । ଦଳର ୨୧ତମ ପ୍ରତିଷ୍ଠା  ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସଭାପତି ଶ୍ରୀ ପଟ୍ଟନାୟକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦଳୀୟ ସଂଗଠକମାନଙ୍କ ସଦିଚ୍ଛା, ସହଯୋଗ ଓ ସମର୍ଥନରେ ବିଜେଡି ରାଜ୍ୟବାସୀଙ୍କ ସେବା କ୍ଷେତ୍ରରେ ଶ୍ରେଷ୍ଠତ୍ଵ  ହାସଲ କରିବା ଆଶା କରୁଛି ଓ ଆଗାମୀ ଦିନରେ ଉତ୍ସର୍ଗୀକୃତ ମନୋଭାବ ନେଇ ଦଳକୁ ଶକ୍ତିଶାଳୀ କରିବାକୁ ସମସ୍ତେ ସବୁମତେ ଉଦ୍ୟମ କରିବା ସଂପର୍କରେ ମୁଁ ଦୃଢ଼ ନିଶ୍ଚିତ । ଆମ ଦଳ ଶୃଙ୍ଖଳା, ଦଳୀୟ ଏକତା ଓ ରାଜ୍ୟବାସୀଙ୍କ ପାଇଁ ସେବା ମନୋଭାବ ଲାଗି ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ହେଉ ।

ସଭାପତି ଉଲ୍ଲେଖ କରିଛନ୍ତି ଯେ ବିଜୁ ଜନତା ଦଳର ପାଣ୍ଠିକୁ ସମସ୍ତ ଦଳୀୟ ସାଂସଦ ଓ ବିଧାୟକମାନେ ଅନୁ୍ୟନ ଏକମାସର ଦରମା ଅନୁଦାନ ଆକାରରେ ଦିଅନ୍ତୁ । ଏହାକୁ ଚେକ୍‍ ଆକାରରେ ଦେବା ଲାଗି କୁହାଯାଇଛି । ତତ୍‍ସହିତ ଦଳର ଜିଲ୍ଲା ସଭାପତିମାନେ ପ୍ରତି ଜିଲ୍ଲାରୁ ପାଣ୍ଠି ସଂଗ୍ରହ ଲାଗି ଯେଉଁସବୁ ଶୁଭେଚ୍ଛୁ ଓ ସମର୍ଥକମାନେ ଇଚ୍ଛୁକ, ସେମାନଙ୍କୁ ଚେକ୍‍ ଆକାରରେ କିମ୍ବା ଅନ୍‍ଲାଇନ୍‍ ଲିଙ୍କ୍‍ ((http://www.bjdodisha.org.in/donation) ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ବିଜୁ ଜନତା ଦଳ ପାଣ୍ଠିକୁ ଦିଆଯାଉଥିବା ସମସ୍ତ ଅର୍ଥ ଆୟକର ଅଧିନିୟମ ୧୯୬୧ର ଧାରା ୮୦ଜିଜିସି ଅନୁଯାୟୀ ଟିକସମୁକ୍ତ ଅଟେ । ବିଜେଡି ଗ୍ରହଣ କରୁଥିବା ସମସ୍ତ ଅର୍ଥ ସହାୟତାକୁ ବିଧିବଦ୍ଧ ଭାବରେ ପ୍ରାପ୍ତି ସ୍ୱୀକାର କରାଯାଇ ପ୍ରମାଣ ସ୍ୱରୂପ ରସିଦ୍‍ ଦଳର କୋଷାଧ୍ୟକ୍ଷ ଶ୍ରୀ ସୁବାସ ସିଂହଙ୍କ ଦ୍ୱାରା ଯୋଗାଇ ଦିଆଯିବ ।

ଓଡ଼ିଶା ରାଜନୀତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳ ୨୬ ଡିସେମ୍ବର ୧୯୯୭ରେ ପ୍ରତିଷ୍ଠିତ  ହୋଇଥିଲା । ସେହିଦିନ ଠାରୁ ବିଜେଡି ଆଉ ପଛକୁ ଫେରି ଚାହିଁନାହିଁ । ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟନିଷ୍ଠା , ତ୍ୟାଗ, ଜନସେବା ଏବଂ ପରୋପକାରୀ ମନୋଭାବ ଆଜି ବିଜେଡିକୁ ସାରା ଭାରତରେ ଏକ ଶ୍ରେଷ୍ଠ  ଆଞ୍ଚଳିକ ରାଜନୈତିକ ଦଳ ଭାବରେ ପ୍ରତିସ୍ଥିତ  କରିପାରିଛି, ଯାହା ଦଳର ପ୍ରତ୍ୟେକଟି ସଦସ୍ୟଙ୍କ ପାଇଁ କମ୍‍ ଗୌରବର କଥା ନୁହେଁ । ଦଳୀୟ କର୍ମୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ବିଜେଡିକୁ ଆରମ୍ଭରୁ ଏ ପର୍ଯ୍ୟନ୍ତ ଆଣିଆସିଛନ୍ତି ଏବଂ ସେହି ତ୍ୟାଗ ଓ ନିଷ୍ଠା ସହିତ ଆଜି ମଧ୍ୟ ଦଳକୁ ଶ୍ରେଷ୍ଠତାର ଶୀର୍ଷକୁ ନେଇଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି, ସେଥିପାଇଁ କର୍ମୀମାନଙ୍କ ନିକଟରେ ମାନ୍ୟବର ସଭାପତି ଚିର ଋଣୀ ବୋଲି ଉଲ୍ଲେଖ କରିଛନ୍ତି । ଦଳୀୟ ଐକ୍ୟବଦ୍ଧତା, ଶୃଙ୍ଖଳା ଏବଂ ଦଳକୁ ମଜଭୁତ କରି ଗଢ଼ିବା ଏବଂ ରଖିବାରେ କର୍ମୀମାନଙ୍କ ଭୂମିକା ପ୍ରଶଂସନୀୟ । ଆଗାମୀ ଦିନରେ ବିଜେଡି, କର୍ମୀମାନଙ୍କ ତ୍ୟାଗ ଏବଂ ନିଷ୍ଠାକୁ ପାଥେୟ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୂର୍ଣ୍ଣ ପ୍ରାଣରେ ସମର୍ପିତ କରି ରଖିବ, ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ପତ୍ରରେ ଦର୍ଶାଯାଇଛି, ବିଜୁ ଜନତା ଦଳ ଇତିମଧ୍ୟରେ ବେଶ୍‍ ଶକ୍ତିଶାଳୀ ହୋଇଛି । ଓଡ଼ିଶାର ଛାତ୍ର, ଯୁବକଯୁବତୀ, ମହିଳା, କୃଷକ, ସଂଖ୍ୟାଲଘୁ, ଅନୁସୂଚିତ ଜାତି ଏବଂ ଜନଜାତି, ଆଇନ୍‍ଜୀବୀ, ଶ୍ରମିକ ସମସ୍ତଙ୍କ ଭଲମନ୍ଦର ସାଥୀ ହେବା ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସାମ୍ମୁଖ୍ୟ ଇତିମଧ୍ୟରେ ଗଠନ କରାଯାଇଛି । ରାଜ୍ୟର ସବୁ ବର୍ଗର ଲୋକ ଯେଭଳି ସାମାଜିକ ନ୍ୟାୟ ପାଇବାରୁ ବଂଚିତ  ହେବେ ନାହିଁ ସେଥିପାଇଁ ଦଳର ବିଭିନ୍ନ ସାମ୍ମୁଖ୍ୟ ନିରନ୍ତର କାର୍ଯ୍ୟରତ । ବିଜୁବାବୁଙ୍କ ନୀତି ଏବଂ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଏବଂ ବିକାଶ ପାଇଁ ବିଜେଡି ସାଲିସ ବିହୀନ ସଂଗ୍ରାମ କରି ଚାଲିଛି ।

ନିଜ ନିଜ ଅଞ୍ଚଳର ଜନସାଧାରଣଙ୍କ ସେବାରେ ଆପଣମାନେ ନିଜକୁ ସମର୍ପିତ କରିଛନ୍ତି । ବିଭିନ୍ନ ସମସ୍ୟା, ସୁବିଧା ଅସୁବିଧା, ଅଭାବ ଏବଂ ଆବଶ୍ୟକତା ସହିତ ନିଜକୁ ସାମିଲ କରିବା ସହ ଲୋକଙ୍କ ସୁଖ ଦୁଃଖରେ, ବିଭିନ୍ନ ସାମାଜିକ କାର୍ଯ୍ୟରେ, ପର୍ବପର୍ବାଣୀ ତଥା ଆନୁଷ୍ଠାନିକ  କାର୍ଯ୍ୟରେ ଆପଣ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଛନ୍ତି । ଆପଣମାନଙ୍କ ଏଭଳି ସାମାଜିକ ପ୍ରତିବଦ୍ଧତା ଯୋଗୁ ବିଜୁ ଜନତା ଦଳ ଆଜି ଓଡ଼ିଶାବାସୀଙ୍କ ନିକଟରେ ଗ୍ରହଣୀୟ ହୋଇଛି ଏବଂ ଆପଣମାନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ଏବଂ ଭରସା ଲଗାତାର ଭାବରେ ବଢ଼ି ଚାଲିଛି । ଜନସାଧାରଣ ନିଜ ସୁଖ ଦୁଃଖରେ ଆପଣମାନଙ୍କୁ ଖୋଜୁଛନ୍ତି, ଆପଣମାନେ ତାଙ୍କ ଦୁଆରେ ଠିଆ ହେଲେ ସେମାନେ ନିଜକୁ ଆଶ୍ୱସ୍ତ ମଣୁଛନ୍ତି । ଏହା ରାଜନୈତିକ ବିଶ୍ୱାସ ଊଦ୍ଧ୍ୱର୍ରେ ଏକ ଆସ୍ଥା ଯାହା ରାଜ୍ୟର ଜନସାଧାରଣ ଆମ ଉପରେ ସ୍ଥାପନା କରିଛନ୍ତି । ଆମେ ସବୁଦିନେ ସେମାନଙ୍କର ଆସ୍ଥାଭାଜନ ହୋଇ ରହିବା, ଏହା ଆମ ରାଜନୀତିର ମୂଳ ମନ୍ତ୍ର ହେବା ଉଚିତ୍‍ ।

ବିଜୁ ଜନତା ଦଳ ନିଜ ସାମାଜିକ ପ୍ରତିବଦ୍ଧତାର ନିଦର୍ଶନ ସ୍ୱରୂପ ରାଜ୍ୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଆଜି ଏହା ଏକ ମହାଦ୍ରୁମରେ ପରିଣତ ହୋଇଛି, ଏକ ଜନ ଆନେ୍ଦାଳନର ରୂପ ନେଇଛି । ବିଜୁବାବୁଙ୍କ ୯୯ତମ ଜନ୍ମ ଦିବସ ୫ମାର୍ଚ୍ଚ ୨୦୧୫ରେ ଆରମ୍ଭ ହୋଇଥିôବା ଏହି ସମାଜ କଲ୍ୟାଣ ଉପକ୍ରମରେ ପାଖାପାଖି ୩ଲକ୍ଷ ରକ୍ତଦାତା ରକ୍ତଦାନ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସେମାନଙ୍କ ଯୋଗଦାନକୁ ମୁଁ ସବୁଦିନ ମନେ ରଖିବି । ଏହା ମୋତେ ସର୍ବାଧିକ ଆତ୍ମସନ୍ତୋଷ ଆଣିଦେଇଛି । ଏକ ରାଜନୈତିକ ଦଳ ହିସାବରେ, ଏଭଳି ଏକ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମରେ ୩ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରିବାରେ ଆମେ ବୋଧହୁଏ ସମଗ୍ର ଦେଶରେ ଏକମାତ୍ର ଏବଂ ପ୍ରଥମ ରାଜନୈତିକ ଦଳ ।

ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବା ଏବଂ ସମର୍ଥନ ପାଇ ଏକ ଦୃଢ଼ ଆଞ୍ଚଳିକ ଦଳ ହିସାବରେ ରାଜ୍ୟବାସୀଙ୍କ ନିକଟରେ ଠିଆ ହୋଇଛି । ଓଡ଼ିଶାର ସାମୁହିକ ବିକାଶ ଏବଂ ଜନକଲ୍ୟାଣ ପାଇଁ ବିଜୁ ଜନତା ଦଳ ଭଳି ଏକ ଆଞ୍ଚଳିକ ଦଳର ବିକଳ୍ପ ନାହିଁ, ଏକଥା ରାଜ୍ୟବାସୀଙ୍କ ସମେତ ସାରା ଦେଶ ଉପଲବ୍ଧ କରିସାରିଲାଣି । ଆଜି ଓଡ଼ିଶାର ବିକାଶ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଆଉ କେଉଁ ହାଇକମାଣ୍ଡ ବା ଦଳର ଜାତୀୟ ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡୁନାହିଁ କିମ୍ବା ହାତ ପତେଇବାକୁ ପଡୁନାହିଁ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବିକାଶ ତଥା ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିଜେ ନିଷ୍ପତ୍ତି ଗ୍ରହଣ କରୁଛି । ଆଜିର ଆବଶ୍ୟକତା ଆଜି ପୂରଣ ହେଉଛି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁ ନିଷ୍ପତ୍ତି ରାଜ୍ୟ ହିଁ ନେଉଛି, ରାଜ୍ୟର ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ବିରୋଧରେ ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ସବୁ ବେଳେ ନିଜର ସ୍ୱର ଶାଣିତ କରିଆସିଛି ।

ରାଜ୍ୟବାସୀଙ୍କ ଭଲ ପାଇବା ଏବେ ଆମ ଦଳର ଶକ୍ତି । ଦଳର ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଥିବା ଅଜସ୍ର ଶୁଭେଚ୍ଛୁ ଏବଂ ସମର୍ଥନ ଆଜି ଏହାର ସାମର୍ଥ୍ୟ । ଦଳକୁ ଆବଶ୍ୟକତା ସମୟରେ ସମସ୍ତେ ସବୁମତେ ସାହାଯ୍ୟ, ସହଯୋଗ ଏବଂ ସମର୍ଥନ ଯୋଗାଇ ଦେବା ପାଇଁ ଆଗ୍ରହୀ । ବିଜୁ ଜନତା ଦଳ ନିଜର ଏହି ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ ତଥା ଦଳୀୟ କର୍ମକର୍ତ୍ତା, ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ସଦସ୍ୟମାନଙ୍କ ଆର୍ଥିକ  ସହଯୋଗରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହିତ ରାଜ୍ୟବାସୀଙ୍କ ପ୍ରତି ରହିଥିବା ନିଜ ସାମାଜିକ ପ୍ରତିବଦ୍ଧତାକୁ ଆହୁରି ବ୍ୟାପକ କରିବାପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତୁ ବୋଲି ଦଳର ସଭାପତି ଶ୍ରୀ ପଟ୍ଟନାୟକ ବିନମ୍ରତାର ସହିତ ନିବେଦନ କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

 

 

0
0
0
s2sdefault