୧୮୯୪୦ କୋଟି ପରିବର୍ତେ ୬୦୧୪୫ କୋଟି ଟଙ୍କାରେ କିଣିବା ଦେଶବାସୀଙ୍କ କି ସ୍ୱାର୍ଥ ସାଧନ କରୁଛି : ସିଙ୍ଘଭି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଫେଲ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି କଂଗ୍ରେସର ଦାବି

ଭୁବନେଶ୍ୱର :  ରାଫେଲ୍ ଯୁଦ୍ଧ ବିମାନକୁ ନେଇ ହୋଇଥିବା ସମସ୍ତ ଅନିୟମିତତାର ଖୁଲାସା କେବଳ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ସମ୍ଭବ ହେବ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ବରିଷ୍ଠ  ମୁଖପାତ୍ର ତଥା ସାଂସଦ ଡଃ ଅଭିଷେକ ମନୁ ସିଂଘଭି ପ୍ରକାଶ କରିଛନ୍ତି । ଏହା ଉପରେ ଅଧିକ ସୂଚନା ଦେଇ ଶ୍ରୀ ସିଂଘଭି କହିଲେ ଯେ ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହିତ ଧୋକାଧାଡି କରିଛନ୍ତି । ୩୬ଟି ଯୁଦ୍ଧ ବିମାନକୁ ୧୮୯୪୦ କୋଟି ପରିବର୍ତେ ୬୦୧୪୫ କୋଟି ଟଙ୍କା ଦେଇ କିଣିବା ଦେଶବାସୀଙ୍କର କେଉଁ ସ୍ୱାର୍ଥ ସାଧନ କରୁଅଛି । ପ୍ରତ୍ୟେକ ଯୁଦ୍ଧ ବିମାନ ଉପା ସରକାର ସମୟରେ ୫୨୬ କୋଟିରେ କିଣିବା ପାଇଁ ସ୍ଥିର ହୋଇଥିବା ବେଳେ ବର୍ତମାନ ୧୬୨୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ୱାର୍ଥରେ । ଫ୍ରାନ୍ସର ଡାସଲଟ୍ ଆଭିଏସନ୍ ୧୩ ମାର୍ଚ୍ଚ ୨୦୧୪ ମସିହାରେ ହିନ୍ଦୁସ୍ଥାନ ଏରୋନୋଟିକ୍ସକୁ ନିଜର ଅଂଶୀଦାର ଭାବରେ ବାଛିବା ପାଇଁ ନିଷ୍ପତି ହୋଇଥିବା ବେଳେ ପରବର୍ତୀ ସମୟରେ ରିଲାଏନ୍ସ କମ୍ପାନୀକୁ ବଦଳ ଅଂଶୀଦାର ଭାବରେ ବାଛିବା ପାଇଁ ହୋଇଥିବା ସରକାରୀ ସ୍ତରୀୟ ନିଷ୍ପତି ଏବଂ ଏ ପରିପ୍ରେକ୍ଷୀରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଓଲାନେ୍ଦ ଦେଇଥିବା ମନ୍ତବ୍ୟ ବିଜେପି ଏବଂ ତାଙ୍କର ନେତା ଶ୍ରୀ ନରେନ୍ଦ୍ର ମୋଦିଙ୍କର ଅସଲମୁଖା ପଦାରେ ପକାଇ ଦେଇଛି । ୩୬ଟି ଯୁଦ୍ଧ ବିମାନ କିଣିବାରେ ସରକାର ୪୧୨୦୫ କୋଟି ଟଙ୍କା ଅଧିକ ପ୍ରଦାନ କରିବାକୁ ନେଇଥିବା ନିଷ୍ପତି ଦେଶର ରାଜକୋଷକୁ ଲୁଟ ବୋଲି ଶ୍ରୀ ସିଂଘଭି ଅଭିହିତ କରିଥିଲେ । ଦେଶବାସୀଙ୍କ ଆଗରେ ବାରମ୍ବାର ମିଥ୍ୟା ତଥ୍ୟ ରଖୁଥିବା କେନ୍ଦ୍ର ସରକାର ସାଇକେଲ୍ ତିଆରି କରିବାର ଅଭିଜ୍ଞତା ନଥିବା ରିଲାଏନ୍ସ କମ୍ପାନୀକୁ ରାଫେଲ ଯୁଦ୍ଧ ବିମାନର ୩୦ ହଜାର କୋଟି ଟଙ୍କାର ଅଫସେଟ୍ କଂଟ୍ରାକ୍ଟ ଏବଂ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣର ଭାର କିଭଳି ନ୍ୟସ୍ତ କଲେ ତାହା ଦେଶବାସୀଙ୍କ ଆଗରେ ଛପନ ଇଂଚର ଛାତି ଦେଖାଇ ପ୍ରକାଶ କରିବା ଉଚିତ୍ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ଯେ ରାଫେଲ ଯୁଦ୍ଧ ବିମାନ ଚୁକ୍ତିନାମାରେ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳକୁ ଭାରତ ସହିତ ବିନିମୟ କରିବାକୁ ନେଇ କୌଣସି ସର୍ତ ରଖାଯାଇନାହିଁ ଯାହା ଦେଶବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଏଥିରେ ଲେଟର ଅଫ୍ କମ୍ଫଟ୍କୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ସଭରେନ୍ ଗ୍ୟାରେଂଟି ବା ଦେଶର ସାର୍ବଭୌମତ୍ୱକୁ ନେଇ କୌଣସି ସର୍ତ ନରଖିବା ଦୁର୍ଭାଗ୍ୟର ବିଷୟ । ଏ ସମସ୍ତ ବିଷୟକୁ କେବଳ ଜେପିସି (ଜଲଦି ପକ୍ଡୋ ଚୌକିଦାର) ହିଁ ତଦନ୍ତ କରି ସତ୍ୟାସତ୍ୟ ନିର୍ଣ୍ଣୟ କରିପାରିବେ ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନେଇଥିବା ନୂତନ ନିଷ୍ପତି ବ୍ୟକ୍ତି ସ୍ୱାଧିନତାର ପରିପନ୍ଥୀ ତଥା ଗୋପନୀୟତାର ଅଧିକାର ଉପରେ ଶକ୍ତ କୁଠାରଘାତ । ଆଇ.ଟି. ଆକ୍ଟରେ ପୂର୍ବରୁ ଥିବା ବ୍ୟବସ୍ଥାକୁ ଜାତୀୟ ସୁରକ୍ଷା ନାମରେ ମୋଦି ସରକାର ପରିବର୍ତନ କରି ଚୋରା ଖବର ସଂଗ୍ରହ କରିବା, ଟିକିନିଖି ଦେଖିବା ଓ ସଂନୀରିକ୍ଷଣ କରିବାର ଯେଉଁ ଅପଚେଷ୍ଟା କରିଛନ୍ତି, ଜନସାଧାରଣ ଆଗାମୀ ଦିନରେ ତାହାର ଜବାବ ଦେବେ ।  

ଓଡିଶା ସରକାରଙ୍କର ‘କାଳିଆ’ ଯୋଜନାକୁ କଟାକ୍ଷ କରି ଶ୍ରୀ ସିଂଘଭି କହିଥିଲେ ଯେ ‘କାଳିଆ’ ଶବ୍ଦର ବ୍ୟବହାର ଓଡିଶାର ଆରାଧ୍ୟ ଦେବତା ତଥା କୋଟି କୋଟି ହିନ୍ଦୁଙ୍କର ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ । ଦୀର୍ଘ ୧୮ ବର୍ଷ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ଓଡିଶାର ଜନସାଧାରଣ ଶକ୍ତ ରାଜନୈତିକ ଚାପୁଡା ଦେଇ ସରକାରରୁ ବିଦା କରିବେ । କୃଷକମାନଙ୍କର ମୂଳ ସମସ୍ୟା ପ୍ରତି ଚରମ ଉଦାସୀନ ମନୋଭାବ ପୋଷଣ କରୁଥିବା ରାଜ୍ୟ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ସର୍ବନିମ୍ନ ଆବଶ୍ୟକତା ଯଥା ଜଳସେଚନ ବ୍ୟବସ୍ଥା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଉପଯୁକ୍ତ ବଜାର, ଅଭାବୀ ବିକ୍ରୀ ବନ୍ଦ, କୃଷିଋଣ ଛାଡ, ଗୋଦାମଘର ଓ ଶୀତଳଭଣ୍ଡାର ବ୍ୟବସ୍ଥାକୁ ପୂରଣ କରିବାରେ ସଂପୂର୍ଣ୍ଣ ଅସମର୍ଥ । ଏଭଳି ଏକ ସରକାର ରାଜ୍ୟରେ କ୍ଷମତାରେ ରହିବାର ତିଳେମାତ୍ର ଅଧିକାର ନାହିଁ ବୋଲି , ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକଙ୍କ ଉପସ୍ଥିତିରେ ଡ଼ ସିଙ୍ଘଭି କହିଛନ୍ତି | 

0
0
0
s2sdefault