ଓଡିଶାରେ କୃଷି ଋଣ ଛାଡ ହେବା ଦରକାର: ବିଜେପିି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୦ ଡିସେମ୍ବର - ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ପାଇଁ ନୀତି ଆୟୋଗର ପ୍ରସ୍ତାବ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ଅପରପକ୍ଷେ ରାଜ୍ୟସରକାର ଚାଷୀମାନଙ୍କୁ ରୋଜଗାରକ୍ଷମ କରାଇବାରେ ବିଫଳ ହୋଇଛନ୍ତି । କୃଷି ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି, ବିଜୁଳୀ, ବିହନ ଯୋଗାଇ ଦିଆନଯିବା କାରଣରୁ ଚାଷୀ ଆଜି ହତାଶ ହୋଇଛି । ଫସଲ ଉତ୍ପାଦନ  ପାଇଁ ସାହୁକାର ଠୁ ଆଣିଥିବା ଋଣ ପରିଶୋଧ କରିନପାରି ଚାଷୀ ଆତ୍ମହତ୍ୟା କରୁଛି । ଏପରି ସଙ୍ଗୀନ ପରିସ୍ଥିତିରେ ରାଜ୍ୟସରକାର କୃଷି ଋଣ ଛାଡ କରିବା ନିହାତି ଦରକାର ବୋଲି ରାଜ୍ୟ ବିଜେପି ମୁଖପାତ୍ର  ଗୋଲକ ମହାପାତ୍ର କହିଛନ୍ତି । 

ରାଜ୍ୟସରକାର ଚାଷୀମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନକରିବା , ଭାଗ ଚାଷୀମାନଙ୍କ ପାଇଁ ଆଇନ ନଆଣିବା, ରାଜ୍ୟର ସମସ୍ତ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବା କହି ଗୋଟିଏ ଭଣ୍ଡାରର କାର୍ଯ୍ୟ ଆରମ୍ଭ ନକରିବା, ଆଳୁ ମିଶନ ବିଫଳ ହେବା ଆଦି ବିଭିନ୍ନ ପ୍ରସଙ୍ଗରୁୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟସରକାର ଚାଷୀମାରଣ ନୀତି ଅବଲମ୍ବନ କରିଚାଲିଛନ୍ତି । ଯଦି ରାଜ୍ୟ ସରକାର କୃଷକ ମାନଙ୍କୁ ସ୍ୱାବଲମ୍ବୀ କରାଇ ପାରନ୍ତେ ତେବେ କୃଷି ଋଣ ଛାଡ ପ୍ରସଙ୍ଗ ଉଠନ୍ତା ନାହିଁ । ରାଜ୍ୟସରକାର ଏଠି କୃଷକ ମାନଙ୍କୁ ଆନୁସଙ୍ଗିକ ସହାୟତା ପ୍ରଦାନ କରିନଥିବା କାରଣରୁ ରାଜ୍ୟରେ ଚାଷୀମାନଙ୍କ ହିତ ପାଇଁ ଋଣ ଛାଡ ହେବା ଦରକାର । 

ମୋଦୀ ସରକାର ଚାଷୀମାନଙ୍କ ପାଇଁ ଫସଲ ବୀମା ଯୋଜନା, କୃଷି ସିଂଚାଇ ଯୋଜନା, ସଏଲ ହେଲଥ କାର୍ଡ, ନିମ କୋଟିଙ୍ଗ ୟୁରିଆ ଠାରୁ ଆରମ୍ଭ କରି ଚାଷୀର ଆୟ ଦ୍ୱିଗୁଣିତ କରିବା ପର୍ଯ୍ୟନ୍ତ ସମସ୍ତ ଯୋଜନା କରିଛନ୍ତି । ବିଶେଷକରି ଫସଲ ବୀମା ଯୋଜନାରେ ଦେଶର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । କିନ୍ତୁ ରାଜ୍ୟରେ ଶାସକ ବିଜେଡି କେନ୍ଦ୍ରସରକାରଙ୍କ ଯୋଜନାକୁ ଚାଷୀମାନଙ୍କ ପାଖରେ ପହଂଚାଉନାହିଁ । ସେହିପରି କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ବି ରାଜ୍ୟ ସରକାର ବର୍ଦ୍ଧିତ ମୂଲ୍ୟରେ ଚାଷୀଠୁ ଧାନ କାହିଁକି  କିଣୁନାହାଁନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । 

ଅପରପକ୍ଷେ ରାଜ୍ୟସଭା ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ସୋହେଲା ଠାରେ ଚାଷୀ ସମ୍ମିଳନୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ୧୦୦ ଟଙ୍କା ବୋନସ ଘୋଷଣା କରି ଏପର୍ଯ୍ୟନ୍ତ ଚାଷୀଙ୍କୁ ବୋନସର ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ମଣ୍ଡିର ବ୍ୟାପକ ଅବ୍ୟବସ୍ଥା କାରଣରୁ କଟନି ଛଟନି କରୁଥିବା ଦଲାଲଙ୍କୁ ଦଣ୍ଡ ଦେବା ପାଇଁ ସମବାୟ ମନ୍ତ୍ରୀ କହିବା ପରେ କାହାରିକୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିଲାନାହିଁ । ରାଜ୍ୟସରକାର ମିଲରଙ୍କ ସହ ମଧୁଚନ୍ଦ୍ରିକା କରି ନିଜ ଦଳୀୟ ନିର୍ବାଚନୀ ପାଣ୍ଠି ସଂଗ୍ରହ କରିଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

 

 

 

 

 

0
0
0
s2sdefault