ମହାନଦୀ ବିବାଦ ପ୍ରସଙ୍ଗ : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଏମବିଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ବିଜେପି ସରକାର ଅଣଦେଖା କରି ଆସୁଥିଲା, ଏବେ କଂଗ୍ରେସ ସରକାର ଆସିବାପରେ ସମାଧାନର ସମ୍ଭାବନା ସୃଷ୍ଟି"

 ଭୁବନେଶ୍ୱର(ଶାସକ ପ୍ରଶାସକ)  : କିଛି ଦିନ ତଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ( ଏମବିଏ)ର ନେତା ମାନେ କଂଗ୍ରେସରେ ଯୋଗ ଦେବା ପରେ ତାହାର ଭବିଷ୍ୟତକୁ ନେଇ ସଂଶୟ ଦେଖା ଦେଇଥିବା ବେଳେ ଆଜି ପୁଣି  ଏମବିଏ ପୁନଃ ଆତ୍ମପ୍ରକାଶ କରିଛି | ଛତିଶଗଡର ବିଜେପି ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଆସୁଥିବା ବେଳେ ଏବେ କଂଗ୍ରେସ ସରକାର ସେଠି ଆସିବା ପରେ ମହାନଦୀ ବିବାଦ ସମାଧାନର ଆଶା ଉଜ୍ଜ୍ୱଳ ହୋଇଛି ବୋଲି ଆଜି  ଏମବିଏ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି |

 ଏମବିଏ ପାଖରୁ କୁହାଯାଇଛି ଯେ ,  ଛତିଶଗଡରେ ଶାସନରେ ପରିବର୍ତ୍ତନ ଆସିଛି । ବିଜେପି ଦଳ କ୍ଷମତାରୁ ଯାଇଛି ଏବଂ ତା ସ୍ଥାନରେ କଂଗ୍ରେସ ଦଳ କ୍ଷମତାକୁ ଆସିଛି । ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀଯୁକ୍ତ ଭୂପେଶ ବାଘେଲ ଶପଥ ନେଇ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମହାନଦୀ ବଞ୍ଚାଅ ଆନ୍ଦୋଳନ  ସ୍ୱାଗତ କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛି । ମହାନଦୀ ଜଳ ବିବାଦ କ୍ଷେତ୍ରରେ ପୂର୍ବର ରମଣ ସିଂଙ୍କ ସରକାର ମହାନଦୀ ଏବଂ ଓଡିଶାବାସୀଙ୍କର ସ୍ୱାର୍ଥକୁ ଅଣଦେଖା କରି  ଆସିଥିଲା । ମହାନଦୀର ପ୍ରବାହକୁ ଅବାରିତ କରିରଖିବା ଏବଂ ତଳମୁଣ୍ଡରେ  ଥିବା ଓଡିଶାବାସୀଙ୍କର ସ୍ୱାର୍ଥକୁ ଆଖିବୁଜି ଦେଇଥିଲେ । ସେଥିପାଇଁ ମହାନଦୀ ବଂଚାଅ ଆନ୍ଦୋଳନ  ପର୍ଯ୍ୟାୟକ୍ରମେ ଅନେକ ଆନ୍ଦୋଳନ ଏବଂ  ବିଭିନ୍ନ କାର୍ଯ୍ୟକ୍ରମ ନେଇଥିଲା ।

ଛତିଶଗଡରେ କ୍ଷମତାର ପରିବର୍ତ୍ତନ ପରେ ମହାନଦୀ ଜଳ ବିବାଦ ସମାଧାନର ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଦୁଇ ରାଜ୍ୟ ପରସ୍ପର ବୁଝାବଣା ଭିତରକୁ ଆସିବାର ସୁଯୋଗ ସୃଷ୍ଟି  ହୋଇଛି । ଏହି ସୁଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ ବଂଚାଅ ଆନେ୍ଦାଳନ ତାର ପ୍ରୟାସ ଜାରିରଖିବ । ଖୁବ୍ଶୀଘ୍ର ମହାନଦୀ ବଞ୍ଚାଅ ଆନେ୍ଦାଳନର ଏକ ପ୍ରତିନିଧି ଦଳ ଛତିଶଗଡ ଯାଇ ନୂତନ ଭାବରେ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ମହାନଦୀ ଜଳ ବିବାଦର ସମାଧାନ ଦିଗରେ ତାଙ୍କର ସହାୟତା ଲୋଡିବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁଦର୍ଶନ ଦାସ, ଆବାହକ, ଶ୍ରୀ ଲଳିତ ମୋହନ ପଟ୍ଟନାୟକ, ଉପଦେଷ୍ଟା, ଶ୍ରୀ ବାସୁଦେବ ଭଟ୍ଟ, ଯୁଗ୍ମ ଆବାହକ, ପ୍ରବକ୍ତା ସର୍ବଶ୍ରୀ ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ମନୋଜ ଜେନା, ନିରଦ ଖୁଣ୍ଟିଆ ଅଶୋକ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ ।

 

 

0
0
0
s2sdefault