ଏଇଠୁ ଦାବି କଲେ ଶୁଭୁନି, ତେଣୁ ଦିଲ୍ଲୀରେ ଗର୍ଜିବ ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସମ୍ମୁଖରେ ଧାରଣା

ଭୁବନେଶ୍ୱର :  ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ଉତ୍ପାଦିତ  ଦ୍ରବ୍ୟର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି, ସେ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି ଆନେ୍ଦାଳନ ଜାରି ରଖିବ । ବିଧାନସଭାର ଗୃହ କମିଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାପାଇଁ ସମୟ ନଦେବା, ଓଡ଼ିଶାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରିବା, କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା, ସ୍ୱାମୀନାଥନ କମିଟିକୁ ଲାଗୁ ନକରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା ପ୍ରତିବାଦରେ ଆସନ୍ତା ୬ ତାରିଖ ଦିନ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ ଦିଲ୍ଲୀ ଯାଇ ୮ ତାରିଖ ଦିନ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ବିଜୁ କୃଷକ ଜନତା ଦଳ ନିଷ୍ପତ୍ତି ନେଇଛି ବୋଲି  ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ବିଜୁ କୃଷକ ଜନତା ଦଳ ଅଧ୍ୟକ୍ଷ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି |,

ଦଳ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଆମର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ପରମ୍ପରା ଓ ଚଳଣି କୃଷିଭିତ୍ତିକ ଅଟେ । କୃଷି ଓ କୃଷକ ଓଡ଼ିଶାର ଅର୍ଥନୀତି ଓ ସମାଜର ବୃହତ୍ତର ଅଙ୍ଗ । ରାଜ୍ୟର ଅର୍ଥନୀତି ପ୍ରତି କୃଷକମାନଙ୍କ ପରିଶ୍ରମ ଓ ତ୍ୟାଗର ବହୁତ ଅବଦାନ ରହିଛି । ଓଡ଼ିଶାର କୃଷି ମୁଖ୍ୟତଃ ଧାନ ଉତ୍ପାଦନ  ଭିତ୍ତିକ । ଏପରିସ୍ଥଳେ ଚାଷୀ ଚାହେଁ, ତା’ର ଉତ୍ପାଦିତ  ଶସ୍ୟର ଉପଯୁକ୍ତ ମୂଲ୍ୟ ପାଉ । କ୍ରମାଗତ ଭାବେ ଚାଷୀ ଦାବି କରୁଛି ଯେ ତାକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ଚାଷୀର ଏଭଳି ଦାବିସହିତ ବିଜୁ ଜନତା ଦଳ ତଥା ରାଜ୍ୟ ସରକାର ସହମତି ପ୍ରକାଶ କରୁଛନ୍ତି । ଓଡ଼ିଶାର ଚାଷୀକୁଳ ଦାବିକୁ ବିଜୁ ଜନତା ଦଳ ବାରମ୍ବାର ଉତ୍‍ଥାପନ କରିଆସିଛି ଏବଂ ଲଢେ଼ଇ କରିଛି । କେବଳ ବିଜୁ ଜନତା ଦଳ ନୁହେଁ, ରାଜ୍ୟ ସରକାର ଦ୍ୱାରା ଓଡ଼ିଶାର ବିଧାନସଭାରେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି ।

ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରିବା କ୍ଷମତା ରାଜ୍ୟ ସରକାରଙ୍କ ନାହିଁ । ଏହା କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ । ସିଏସିପି ଖାଦ୍ୟ ଶସ୍ୟର ଦର ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରନ୍ତି ଏବଂ କେନ୍ଦ୍ର ସରକାର ସେହି ଅନୁସାରେ ରାଜ୍ୟମାନଙ୍କୁ ନିଦେ୍ର୍ଧଶ ଦିଅନ୍ତି । ଓଡ଼ିଶା ସରକାର ବାରମ୍ବାର କେନ୍ଦ୍ରକୁ ଅନ୍ୟାନ୍ୟ ଖାଦ୍ୟଶସ୍ୟ ସହିତ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି, ଯାହାକୁ କେନ୍ଦ୍ର ସରକାର ମାନିବାକୁ ନାରାଜ । ଯଦିଓ ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନ ପ୍ରତିଶ୍ରୁତିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କହିଥିଲା ଏବଂ ଆସିବା ପରେ ମଧ୍ୟ ସଂସଦରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଅଭିଭାଷଣରେ ଅଧିକାଂଶ ଶବ୍ଦ ଥିଲା ଚାଷୀଙ୍କ ଉପରେ । ଗଣତନ୍ତ୍ରର ସର୍ବୋଚ୍ଚ ପୀଠ ସଂସଦରେ ମାନ୍ୟବର ପ୍ରଧାନମନ୍ତ୍ରୀ ଚାଷୀ ଓ ଚାଷକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ । ଭାରତର ଚାଷୀକୁଳକୁ ସଂକଟରୁ ଊଦ୍ଧାର କରିବା ପାଇଁ ସ୍ୱାମୀନାଥନ କମିଟି ବହୁତ ଭଲ ପ୍ରସ୍ତାବ ଦେଇଥିଲେ । ବିଜେପି ନିର୍ବାଚନ ପ୍ରତିଶ୍ରୁତିରେ କହିଥିଲା ଯେ ସେମାନେ କ୍ଷମତାକୁ ଆସିଲେ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ । ସ୍ୱାମୀନାଥନ କମିଟି ସୁପାରିସର ବିଭିନ୍ନ ଦିଗ ମଧ୍ୟରୁ ଗୋଟିଏ ଥିଲା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେଉଁ ପ୍ରକାର, କେଉଁ ଆଧାରରେ ଏବଂ କେତେ ପରିମାଣରେ ବୃଦ୍ଧି କରିବା ଆବଶ୍ୟକ ଅଛି । କିନ୍ତୁ ବିଜେପି ପ୍ରଥମେ ନିର୍ବାଚନୀ ପ୍ରତିଶ୍ରୁତି ଭାଙ୍ଗିଲେ । ପବିତ୍ର ଗୃହ ସଂସଦରେ ଦେଇଥିବା ପ୍ରତିଶ୍ରୁତିକୁ ଫାଙ୍କିଲେ । ଓଡ଼ିଶାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭଙ୍ଗକଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଚଳିତବର୍ଷ ପାଇଁ ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରି ବାହାସ୍ପୋଟ ମାରିଲେ ଯେ ଆମେ ଧାନର କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିଛୁ ଏବଂ ସ୍ୱାମୀନାଥନ କମିଟିକୁ କାର୍ଯ୍ୟକାରୀ କରିଛୁ । ଦେଶର ଚାଷୀଙ୍କୁ ପ୍ରତାରଣା କରି ସ୍ୱାମୀନାଥନ କମିଶନଙ୍କ ସୁପାରିସକୁ ଭୁଲ ଭାବେ ଉପସ୍ଥାପନ କଲା ବିଜେପି ।

ସର୍ବାଧିକ ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ହେଉଛି ଦେଶର ଚତୁର୍ଥ ରାଜ୍ୟ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବିଜୁ ଜନତା ଦଳ ଅନେକଥର ଆନେ୍ଦାଳନ କରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକାଧିକ ଥର କେନ୍ଦ୍ରର ମାନ୍ୟବର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଯେତେବେଳେ ବି ପ୍ରଧାନମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରସଂଗକୁ ଉତ୍‍ଥାପନ କରିଛନ୍ତି ।

ଓଡ଼ିଶାରେ ବିଜେଡି ସରକାର ଆସିବା ସମୟରେ ଏକ ଦୁର୍ବଳ ଅର୍ଥନୀତିକୁ  ମୁଖ୍ୟମନ୍ତ୍ରୀ ଧରି ରାଜ୍ୟକୁ ଆଗେଇ ନେବାରେ ଲାଗିଲେ । କୃଷି ଓ କୃଷକ ବିପର୍ଯ୍ୟସ୍ତ ଥିବା ସମୟରେ ରାଜ୍ୟର ନିଜସ୍ୱ ସୁଚିନ୍ତିତ ଯୋଜନା ଫଳରେ କୃଷି ଓ କୃଷକକୁ ଧ୍ୟାନ ଦେଇଥିବାରୁ ଆଜି ଓଡ଼ିଶାରେ କୃଷିକୁ ଆଗକୁ ନେବାରେ ବହୁ ପରିମାଣରେ ସଫଳତା ମିଳିଛି । ଯେଉଁମାନେ କୃଷକଙ୍କୁ ପ୍ରତାରଣା କରୁଛ ବୋଲି ଅଭିଯୋଗ କରନ୍ତି, ସେମାନେ ହିଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ କୃଷି କର୍ମଣ ପୁରସ୍କାର ଦିଅନ୍ତି । ଓଡ଼ିଶା ଚାଷୀକୁଳର ସାମଗ୍ରିକ ବିକାଶ ପାଇଁ ୨୦୧୨-୧୩ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କୃଷି ବଜେଟ୍‍ ଏବଂ ଏହି କୃଷି ବଜେଟ୍‍ର ସଫଳ ରୂପାୟନ ପାଇଁ ୨୦୧୬ରେ କୃଷି କ୍ୟାବିନେଟ୍‍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠନ କରାଯାଇଛି । ୨୦୦୦ ମସିହାରେ ଚାଷୀ ଋଣ ପରିମାଣ ୭୩୯ କୋଟି ଟଙ୍କା ଥିଲାବେଳେ ୨୦୧୭-୧୮ରେ ଏହା ୩୨୯୫୫ କୋଟି ୯୪ ଲକ୍ଷ ଟଙ୍କାରେ ପହଞ୍ଚôଛି । ଚାଷୀଙ୍କୁ ରାଜ୍ୟ ସରକାର ୧ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଥିବା ବେଳେ ୫୦ ହଜାର ଟଙ୍କାରୁ ଊଦ୍ଧ୍ୱର୍ ହେଲେ ୨%ରେ ସୁଧରେ ଦିଆଯାଉଛି ।

୨୦୦୩ ମସିହାରେ ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବ୍ୟବସ୍ଥାରେ ଓଡ଼ିଶା ଭାଗନେଇ ୧.୫ଲକ୍ଷ ମେଟି୍ରକ୍‍ ଟନ୍‍ ଧାନ ଉତ୍ପାଦନ  କରିଥିବା ବେଳେ ୨୦୧୭-୧୮ରେ ଖରିଫ୍‍ ଋତୁରେ ଏହା ବୃଦ୍ଧି ପାଇ ୫୦ଲକ୍ଷ ମେଟ୍ରିକ୍‍ ଟନ୍‍ରେ ପହଞ୍ଚôଛି । ଓଡ଼ିଶାର ଚାଷୀକୁଳକୁ ପ୍ରତ୍ୟେକ ଖରିଫ୍‍ ମାର୍କେଟିଂ ସିଜିନ୍‍ରେ ଅନୁ୍ୟନ ୮୦୦୦ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିଛି । ଜଳସେଚନ ବ୍ୟବସ୍ଥା, ଗବେଷଣା ଓ ବିହନ ପୁନଃଯୋଗାଣ ଯୋଗୁ ଚାଷୀର ହାରାହାରି ଉତ୍ପାଦନ  କ୍ଷମତା ବୃଦ୍ଧି ଘଟିଛି । ଦେଶରେ ହାରାହାରି ୩୬ କ୍ୱିଣ୍ଟାଲ ଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ କୃଷକଙ୍କ ପରିଶ୍ରମ ଯୋଗୁ ଆଜି ଓଡ଼ିଶା ଏକ ବଳକା ରାଜ୍ୟରେ ପରିଗଣିତ ହୋଇଛି ।

ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଜୁ କୃଷକ ଜନତା ଦଳ ସହିତ ବିଜୁ ଜନତା ଦଳ, ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ସମସ୍ତ ସାଂସଦ, ବିଧାୟକ, ସମସ୍ତ ଜିଲ୍ଲାର କୃଷକ ପ୍ରତିନିଧିମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଚାଷୀକୁଳ ପ୍ରତି ଯେଉଁ ପ୍ରତାରଣା, ଅବିଚାର, ଅଣଦେଖା କରାଯାଇଛି, ତା’ର ପୁନଃ ବିଚାର କରାଯାଇ ଚାଷୀମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପ-ସଭାପତି ତଥା ବିଜୁ କୃଷକ ଜନତା ଦଳର ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ କୃଷକ ଜନତା ଦଳର ମହା ସଚିବ ମନ୍ତ୍ରୀ ପ୍ରତାପ ଜେନା, ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ଏଥିସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ସମସ୍ତ ଚାଷୀକୁଳଙ୍କ ସହଯୋଗ କାମନା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

 

0
0
0
s2sdefault