ବିଜେପି ପକ୍ଷରୁ ମୟୂରଭଞ୍ଜ ବନ୍ଦ ୧୮ରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟାର ଖୋଲାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ୨୨୦ ଡ଼ାକ୍ତର ପଦବୀର ପୂରଣ ଆଦି ଦାବୀ ନେଇ ବିଜେପି ପକ୍ଷରୁ ଡ଼ିସେମ୍ବର ୧୮ରେ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଉକ୍ତ ବନ୍ଦ ଡ଼ାକରାକୁ ସଫଳ କରିବା ନିମନ୍ତେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସହ ଯୋଗ କାମନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଡ଼ିସେମ୍ବର ୧୬ରେ ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା.ମହାପାତ୍ର ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦେଇଥିବା ତଥ୍ୟ ଆଧାରରେ, ଓଡ଼ିଶାରେ ବିଜେଡ଼ି ସରକାରରେ ମୟୂରଭଞ୍ଜ ଜିଲ୍ଲା ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚରମ ଉପେକ୍ଷା ଓ ଉଦାସୀନତାର ଶିକାର ହୋଇପଡ଼ିଛି । ଓଡ଼ିଶାରେ ୭ଟି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୟୁପିଏସସି କୋଚିଂ ସେଣ୍ଟର ଖୋଲିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ କେବିନେଟ ପକ୍ଷରୁ ଅନୁମୋଦନ କରିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଏଥିରୁ ବଞ୍ଚିତ କରିଛନ୍ତି । ଫଳରେ ମୟୂରଭଞ୍ଜ ଜିଲ୍ଲାର ଗରୀବ ତଥା ଆଦିବାସୀ ଛାତ୍ରୀଛାତ୍ରମାନଙ୍କୁ ୟୁପିଏସସି କୋଚିଂ ପାଇବାରୁ ବଞ୍ଚିତ କରାଯାଇଛି । ଯାହା ବିଜେଡ଼ିର ଆଦିବାସୀ ପ୍ରୀତିକୁ ପଦାରେ ପକାଇ ଦେଇଛି । ସେହିପରି, ଜିଲ୍ଲାରେ ୪୦୩ ଡ଼ାକ୍ତରୀ ପଦବୀଗୁଡ଼ିକ ମଧ୍ୟରୁ ୨୨୦ ପଦବୀ ଖାଲି ପଡ଼ିଥିବା ବେଳେ ନିକଟରେ ଆକସ୍ମିକ ଭାବେ ୪୬ ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ବିଜେପି ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ । ତେଣୁ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ନିମନ୍ତେ ବିଜେପି ଆନେ୍ଦାଳନକୁ ଉହ୍ଲାଇ ଆସିବାକୁ ବାଧ୍ୟ ହୋଇଛି ଏବଂ ଏଥି ନିମନ୍ତେ ଆସନ୍ତା ୧୮ରେ ମୟୂରଭଞ୍ଜ ବନ୍ଦର ଡ଼ାକରା ଦେଇଛି ବୋଲି କହିଥିଲେ । ଏହି ସମୟରେ ବିଜେପିର ବିଭିନ୍ନ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ । ତେବେ ବିଜେପି ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୟୁପିଏସସି କୋଚିଂ ସେଣ୍ଟର ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିସାରିଛନ୍ତି ଏବଂ ଏଥିରେ ଅନ-ଲାଇନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୩ରୁ ଅଧିକ ଛାତ୍ରଛାତୀ ଆଡ଼ମିଶନ ନେଇ ସାରିଛନ୍ତି । ମିଛ କହି ଜନସାଧାରଣଙ୍କୁ ଭଣ୍ଡାଇ ଆସିବା ବିଜେପି ଅଭ୍ୟାସ ହୋଇଯାଇଛି । ଆଗକୁ ମୟୂରଭଞ୍ଜବାସୀଙ୍କ ଗଣପର୍ବ ମକର ଆସୁଥିବାରୁ ବିଜେପିର ମୟୂରଭଞ୍ଜ ବନ୍ଦ ଡ଼ାକରା ଜିଲ୍ଲାବାସୀଙ୍କ ସାମୂହିକ ସ୍ୱାର୍ଥରେ ବାଧା ପହଁଞ୍ଚାଇବା ନିମନ୍ତେ ପ୍ରୟାସ ବୋଲି କହିଥିଲେ ।

0
0
0
s2sdefault