ହେଡଲାଇନସ୍:

୨୦୧୯ରେ ଓଡ଼ିଶାରେ କଂଗ୍ରେସ ସରକାର : ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ୍  

 - ୫ ବର୍ଷ ପାଇଁ ଚାଷୀଙ୍କୁ ଲଗାତର ଭାବେ ଆର୍ଥିକ ସହାୟତା 

 - ଯୁବକ ,ମହିଳା , ଚାଷୀ ଓ ବେକାରୀ ସମସ୍ୟା ଉପରେ ପ୍ରାଥମିକତା 

ଭୁବନେଶ୍ୱର,(ମାନସୀ ମିଶ୍ର) -ସଦ୍ୟ ପ୍ରକାଶିତ  ୫ଟି  ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ଯେ ଧର୍ମ ଏବଂ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟକୁ ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ମିଳିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଦଳର ଏ ବିଜୟ ଶ୍ରୀ ରାହୁଲ ଗାନ୍ଧୀଙ୍କ ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାର ଏକବର୍ଷ ପୂର୍ତି ଉପଲକ୍ଷେ ଏକ ବିଶେଷ ଉପହାର ।  କଂଗ୍ରେସ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ସଂପୂର୍ଣ୍ଣ ପରାହତ କରି କେନ୍ଦ୍ରରେ କ୍ଷମତାସୀନ ହେବାର ଅୟମାରମ୍ଭ ବୋଲି ସେ କହିଛନ୍ତି । ଏହାସହ ତିନୋଟି ପ୍ରମୁଖ ରାଜ୍ୟର ଅଗଣିତ ଭୋଟର ଭାଇଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ଓଡିଶାରେ କଂଗ୍ରେସ  ସରକାର ଗଢିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି  ।

ସେ ଆହୁରି କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ଯେ କଂଗ୍ରେସ ହେଉଛି ବିଜେପିର ବିକଳ୍ପ ।ମିଳିତ ଓ ଶୃଙ୍ଖଳିତ ଭାବେ ଲଢେଇ କରାଯାଇଥିବାରୁ ଏହି ସଫଳତା ମିଳିଛି । ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଓଡିଶାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସ ଲଗାଇ ଜୁଲମ କରାଯାଉଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍ ପ୍ରଦାନ କରାଯିବା , କୃଷି ଋଣ ଛାଡ୍ କରାଯିବ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ । ଯୁବକ ,ମହିଳା , ଚାଷୀ ଓ ବେକାରୀ ସମସ୍ୟା ଉପରେ ପ୍ରାଥମିକତା ଦିଆଯିବ । ଓଡିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ସଭାପତି ପ୍ରକାଶ କରିଥିଲେ । 

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ ଏବେବି ଭାରତରେ ଗଣତନ୍ତ୍ର ବଂଚିଛି ଓ ଫାଶୀବାଦର ଏଠାରେ ସ୍ଥାନ ନାହିଁ । କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି । ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ । ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବଂ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି । ଯଦି ଏକଥା ସତ୍ୟ, ତାହେଲେ ରାଜ୍ୟ ସରକାରଙ୍କର ଚାଷୀମାରଣ ନୀତି ଆଗାମୀ ଦିନରେ ଓଡିଶାରେ ସରକାର ପରିବର୍ତନରେ ବାର୍ତାବହ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପିକୁ ଶିକ୍ଷାଲାଭ କରିବା ଉଚିତ୍ । ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବଂ ସାମଗ୍ରୀକ ବିକାଶ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରମୁଖ ମୁଦ୍ଧା ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।

 

0
0
0
s2sdefault