ହେଡଲାଇନସ୍:

ଧର୍ମଶାଳାରେ ବିଧାୟକଙ୍କୁ ବିରୋଧ କରି ଜନସଂପର୍କ ଅଭିଯାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁର/ଜୟଶଙ୍କର ଦାଶ :  ଧର୍ମଶାଳା ବିଧାନସଭା କ୍ଷେତ୍ରରେ ପରିବାରବାଦ, ଭ୍ରଷ୍ଟାଚାର, ରାଜନୀତିର ବ୍ୟବସାୟୀକରଣ ଆଦି ପ୍ରସଙ୍ଗ ନେଇ ତେଜୁଥିବା ଅସନ୍ତୋଷ ଏବେ ବିସ୍ଫୋରକ ମୋଡ ନେଇଛି । ବିଧାୟକଙ୍କ ମନୋମୁଖୀ କାର୍ଯ୍ୟଧାରାକୁ ନେଇ ବିରୋଧ କରୁଥିବା ଗୋଷ୍ଠୀ  ଦୀର୍ଘଦିନ ହେବ ବିଜୁ ଯୁବ ଜନତା ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଏକଜୁଟ ହେଉଥିବା ବେଳେ ରବିବାର ଜେନାପୁର ପଞ୍ଚାୟତ ଅନ୍ତର୍ଗତ ଏରସଣ୍ଡାରେ ପଥପ୍ରାନ୍ତ ସଭା କରିବା ସହ ଜନସମ୍ପର୍କ ପଦଯାତ୍ରା କରିଥିଲେ । ଏହି ବୈଠକରେ ସତୀଶ ସିଧାସଳଖ ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କରିଥିବା ବେଳେ ବିଜୁ ପରିବାର ଏହି ଅଂଚଳ ପାଇଁ ସର୍ବମାନ୍ୟ ଏବଂ ପୂଜ୍ୟ ବୋଲି ପ୍ରକାଶ କରିଥିଲେ ।

ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସତୀଶ କହିଥିଲେ ଯେ, ସେବା ଓ ତ୍ୟାଗ ନିକଟରେ କ୍ଷମତା, ପ୍ରତିପତ୍ତି ଓ ସମ୍ପତ୍ତି ମୂଲ୍ୟହୀନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମିଙ୍କୁ ପରାମର୍ଶ ଦେଉଥିବା ବେଳେ ଧର୍ମଶାଳାରେ ବି.ଜେ.ଡି ନାମରେ କ୍ଷମତାରେ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ପରିବାର ବିଜୁ ଓ ନବୀନ ଆଦର୍ଶ ବିରୋଧୀ କାର୍ଯ୍ୟ କରି ଚାଲିଛନ୍ତି । ଏଠାରେ ଚାଷୀ ଜମିକୁ ଜଳ ପାଉନଥିବା ବେଳେ ପାହାଡ ପର୍ବତ ହରିଲୁଟ ହେଉଛି । ସମଗ୍ର ରାଜ୍ୟରେ ନବୀନବାବୁଙ୍କ ନିଷ୍ଠାପର ଉଦ୍ୟମରେ ବିକାଶ ହେଉଥିବା ବେଳେ ଏଠାରେ ନିର୍ଦ୍ଧିଷ୍ଟ ପରିବାର ବିକାଶର ଶ୍ରେୟ ନେବାକୁ ଚେଷ୍ଟା କରନ୍ତି । ହେଲେ ବାସ୍ତବରେ ଏଠାରେ ବିକାଶ ନାମରେ ନିର୍ଦ୍ଧିଷ୍ଟ ଠିକାଦାର ଗୋଷ୍ଠୀଙ୍କ ଓ କ୍ଷମତାସୀନ ନେତାଙ୍କ ସମ୍ପତ୍ତି ବଢିଛି । ବିକାଶ ନାମରେ ହରିଲୁଟ ଚାଲିଥିବାରୁ ରାସ୍ତା ନିର୍ମାଣର ବର୍ଷକ ଭିତରେ ସବୁ ରାସ୍ତା ଅବସ୍ଥା ଖରାପ ହେଉଛି । ଧର୍ମଶାଳାର ଗୋଟିଏ ହେଲେ ଯୁବକଙ୍କୁ ଆତ୍ମ ନିଯୁକ୍ତି ଦିଆ ଯାଇନାହିଁ । ଧର୍ମଶାଳା ବାହାରର ଲୋକ ହୋଇ ବି ବି.ଜେ.ଡି ନାମରେ ବାପା ପରେ ପୁଅ ଏବଂ ଭାଇଙ୍କୁ ଚେୟାରମ୍ୟାନ କରାଯାଇ ଧର୍ମଶାଳାରେ କେହି ଯୋଗ୍ୟ ନଥିବାର ପ୍ରମାଣ କରାଯାଉଛି । ଅତୀତରେ ବି.ଜେ.ପିରୁ ଜନତା ଦଳରେ ସାମିଲ ହୋଇ ପରେ କ୍ରସଭୋଟ କରି ଦଳରୁ ନବୀନବାବୁଙ୍କ ଦ୍ୱାରା ସସପେଣ୍ଡ ହୋଇଥିବା ନେତାଙ୍କ ପରିବାର ବାସ୍ତବରେ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟରେ ସାମିଲ ଥିବାରୁ ବିଭିନ୍ନ ପ୍ରକାର ଦୁର୍ନିତିରେ ଛନ୍ଦି ହୋଇ ପଡିଛନ୍ତି ।

ସେଥିପାଇଁ ସଚ୍ଚା ନବୀନ ଅନୁଗତମାନେ ଧର୍ମଶାଳାରେ ବିଧାୟକଙ୍କ ବିଜୁ ଆଦର୍ଶ ବିରୋଧୀ କାର୍ଯ୍ୟଧାରାକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ଦଇତାରୀ-ପାରାଦ୍ୱୀପ ଏକ୍ସେପ୍ରେସ ହାଇୱେ କରି ବିଜୁବାବୁ ଆମ ଅଂଚଳର ଆଖି ଖୋଲିଥିବା ବେଳେ ପ୍ରଥମେ କୃଷିଋଣ ଛାଡ କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ନିଷ୍ଠାପର ଉଦ୍ୟମ ଓ କୃଷକଙ୍କ ପ୍ରତି ଆନ୍ତରିକତା ସମଗ୍ର ଦେଶ ପାଇଁ ଦୃଷ୍ଟାନ୍ତ ହୋଇଛି । ତେବେ ଏଭଳି ପଥପ୍ରାନ୍ତ ସଭା ପରେ ଧର୍ମଶାଳା ରାଜନୀତିରେ ଘୋର ଆଲୋଡନ ସୃଷ୍ଟି ହୋଇଛି । ଏଥିରେ ସ୍ଥାନୀୟ ସଂଗଠକ ସର୍ବଶ୍ରୀ ଗଣେଶ୍ୱର ସାହୁ, ରବିନ୍ଦ୍ର ରାଉତ, ଶ୍ୟାମ ସୁନ୍ଦର ସାହୁ, ରମେଶ ଚନ୍ଦ୍ର କବି, ରତ୍ନାକର ସ୍ୱାଇଁ, ଜଟେଶ୍ୱର ମଲିକ, ପ୍ରଫୁଲ୍ଲ ସାହୁ, ଯଦୁମଣୀ ରାଉତ, କୀର୍ତ୍ତନ ମଳିକ, ଧନେଶ୍ୱର ବେହେରା, ଗେପୀନାଥ ବେହେରା, ସୁଧାଂଶୁ ଦାସ, ସୁବାଷ ସାମଲ, ଭୀମସେନ ରାଉତ, ସରୋଜ କୁମାର ଭୂୟାଂ, ବିନୋଦ ସ୍ୱାଇଁ, ସୁଦର୍ଶନ ରାଉତ, କାର୍ତ୍ତିକ ମଳିକ, ମଦନ ମୋହନ ପ୍ରଧାନ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ ।

0
0
0
s2sdefault