ହେଡଲାଇନସ୍:

"କେନ୍ଦ୍ର ସରକାର କରିଛନ୍ତି ଓଡ଼ିଶା ଯୁବ ଶକ୍ତି ପ୍ରତି ପ୍ରତାରଣା ଓ ବିଶ୍ୱାସଘାତ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ୫, ୬ ଏବଂ ୮ ତାରିଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ଯୁବ-ଛାତ୍ର ଜନତା ଦଳ

ଭୁବନେଶ୍ୱର : ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ ଏବଂ ବିଗତ ୧୮ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଓ ପ୍ରଗତି କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିଯୁକ୍ତି, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଆର୍ଥôକ ବ୍ୟବସ୍ଥାର ମାନବୃଦ୍ଧି ଘଟିଛି । ଆମ ରାଜ୍ୟରେ ବିପୁଳ ଖଣିଜ ପଦାର୍ଥ ଗଚ୍ଛିତ ହୋଇରହିଛି ଏବଂ ଏହା ସମଗ୍ର ରାଷ୍ଟ୍ର, ଏପରିକି ବିଶ୍ୱକୁ ସମୃଦ୍ଧି କରୁଥିଲା ବେଳେ ଓଡ଼ିଶାର ଜନସାଧାରଣ ଏବଂ ବିଶେଷକରି ଯୁବଶକ୍ତି ଏହାର ଲାଭ ଉଠାଇପାରି ନାହାନ୍ତି । ୧୮ବର୍ଷ ଧରି ବିଜେଡି ସରକାର ଯୁବଶକ୍ତିର ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଲା ବେଳେ କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଏବଂ ଆମ ରାଜ୍ୟରୁ ବିପୁଳ ଖଣିଜ ସଂପଦ ଉତ୍ତୋଳନ କରି ମଧ୍ୟ ତା’ର ଅନୁରୂପ ନିଯୁକ୍ତି ସୁଯୋଗ ଓଡ଼ିଶାର ଯୁବକଯୁବତୀଙ୍କୁ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ୫ବର୍ଷ ମଧ୍ୟରେ ସେମାନେ ଭାରତବର୍ଷର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇଦେବେ । ଯାହାକି ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବାର ରଙ୍ଗୀନ ସ୍ୱପ୍ନ ପରି ପ୍ରତିଶ୍ରୁତି ଥିଲା । ସେହି ପ୍ରତିଶ୍ରୁତି ଆଜି ପାଣି ଫୋଟକାରେ ପରିଣତ ହୋଇଛି । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର ସରକାର ୯କୋଟି ଚାକିରି ଯୋଗାଇ ଦେବାକଥା । ବିଡ଼ମ୍ବନାର ବିଷୟ ଯେ, ଘୋଷିତ ଚାକିରି ସୃଷ୍ଟି ନହେଉଣୁ ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି । ଓଡ଼ିଶାର ସନ୍ଦର୍ଭରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହେଇନାହିଁ । ଏସବୁ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ଯୁବଶକ୍ତିଙ୍କୁ ପ୍ରତାରଣା କହିଲେ ଅତୁ୍ୟକ୍ତି ହେବନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବ ସମାଜର ବିକାଶ ଓ ପ୍ରଗତି କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ଦେଖିବାକୁ ମିଳୁନାହିଁ ।

ବିମୁଦ୍ରାକରଣ ଯୋଗୁ ଦେଶ କୋଟି କୋଟି ନିଯୁକ୍ତି ସୁଯୋଗ ହରାଇଛି । କେନ୍ଦ୍ରର ପ୍ରତାରଣା ଏବଂ ଭାରତୀୟ ଜନତା ପାର୍ଟିର ୧୦କୋଟି ଚାକିରିର ପ୍ରତିଶ୍ରୁତି ଏବେ ଏକ ପ୍ରହେଳିକା ପାଲଟିଥିବା ବେଳେ ବିମୁଦ୍ରାକରଣ ଯୋଗୁ ପାଖାପାଖି ୧କୋଟି ୨୭ଲକ୍ଷ ଚାକିରି ପ୍ରଥମ ପର୍ଯ୍ୟାୟରେ ଦିଗଭ୍ରଷ୍ଟ ହୋଇଯାଇଛି । ଆଜି ମଧ୍ୟ ପାଖାପାଖି ୩୫ଲକ୍ଷ ନିଯୁକ୍ତି ସୁଯୋଗ ଥିବାବେଳେ, ସେହି ଚାକିରିଗୁଡ଼ିକର ପୁନରୁଦ୍ଧାର ହୋଇପାରିନାହିଁ । ଏହାକୁ Centre for Monitoring Indian Economy (CMIE)  ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଶ୍ରମିକମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଆହୁରି ବିପଜ୍ଜନକ । ପାଖାପାଖି ଦେଢ଼ କୋଟି ଶ୍ରମିକଙ୍କ ଦୈନନ୍ଦିନ କାର୍ଯ୍ୟ ବିମୁଦ୍ରାକରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ବନ୍ଦ ହୋଇଯାଇଛି । ଏହାଯୋଗୁ କୋଟି କୋଟି ଯୁବକ-ଯୁବତୀଙ୍କ ଜୀବନ ଓ ଜୀବିକା ଚିରଦିନ ପାଇଁ ଅନ୍ଧାରକୁ ଚାଲିଯାଇଛି । ଆଜି ମଧ୍ୟ କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ଏହି ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିନାହିଁ ।

ଓଡ଼ିଶା ସନ୍ଦର୍ଭରେ କେନ୍ଦ୍ର ସରକାରଙ୍କ ଭୂମିକା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ସାଢେ ୪ ବର୍ଷ ମଧ୍ୟରେ ଯୋଗାଇ ଦେଇନାହାନ୍ତି । ବାରମ୍ବାର ବିଜୁ ଜନତା ଦଳ ସରକାରଙ୍କ ଅନୁରୋଧ ସତ୍ତେ୍ୱ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଅଗ୍ରାହ୍ୟ କରିଆସୁଛନ୍ତି । ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ହେବା ଦ୍ୱାରା ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ପ୍ରଗତି ଆହୁରି କ୍ଷିପ୍ରଗତିରେ ହୋଇପାରିବ ଏବଂ ଏହା ଯୁବଶକ୍ତିଙ୍କ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଏହା କିନ୍ତୁ ସମ୍ଭବ ହୋଇପାରୁ ନାହିଁ । ଯୁବଶକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଜିଏସ୍‍ଟିର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ଯୋଗୁ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହଟହଟା ହେଉଛନ୍ତି । ଏହାଯୋଗୁ ଅନେକ କ୍ଷୁଦ୍ର ବ୍ୟବସାୟୀ ନିଜର ବ୍ୟବସାୟ ବନ୍ଦ କରିସାରିଲେଣି । ଏହାର ସିଧା ପ୍ରଭାବ ଯୁବଶକ୍ତିର ବିନିଯୋଗ ଉପରେ ପଡ଼ିଛି । କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ହେଉନାହାନ୍ତି ଏବଂ ଏହାଯୋଗୁ କୋଟି କୋଟି ଯୁବକ ତାଙ୍କର ଜୀବିକା ହରାଉଛନ୍ତି । ଓଡ଼ିଶାରେ ୩୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ । କେନ୍ଦ୍ର ସରକାର ଏହି ପିଏସ୍‍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି । ପାରାଦୀପ ଠାରେ ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ କାରଖାନାରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଉନାହିଁ । ଏହି ପ୍ରଶ୍ନ କେବଳ ବିଜୁ ଜନତା ଦଳର ନୁହେଁ, ଏହି ସମାନ ପ୍ରଶ୍ନ ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ଜବାବ ପାଇପାରିନାହାନ୍ତି । ଆମେ ଆଶା କରିବୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପଳାୟନପନ୍ଥୀ ନହୋଇ ଏହାର ଜବାବ ରଖନ୍ତୁ ଏବଂ ଓଡ଼ିଶାର ଯୁବଶକ୍ତିକୁ ଏହି ସଂସ୍ଥା କୁଠାରାଘାତ କରୁଥିବାର ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଆସିଛି ତାହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ।

କେନ୍ଦ୍ରୀୟ ପିଏସ୍‍ୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ନାଲ୍‍କୋ କମ୍ପାନୀ ଏହି ବର୍ଷ ତା’ର ରାଜସ୍ୱ ଦ୍ୱିଗୁଣିତ କରି ୧୩୪୨ କୋଟି ଟଙ୍କାରେ ପହଞ୍ଚଥିଲା ବେଳେ ଓଡ଼ିଆ ଯୁବଶକ୍ତିଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ସୃଷ୍ଟି କରିନାହିଁ । ୨୦୧୭-୧୮ ଆର୍ଥôକ ବର୍ଷରେ ଆଇଓସିଏଲ୍‍ ୮୨୪୫ କୋଟି ଟଙ୍କା ଲାଭ କରିଥିବା ବେଳେ ଓଡ଼ିଶାସ୍ଥିତ ତା’ର ପ୍ରକଳ୍ପଗୁଡିକରେ ଓଡ଼ିଆ ପୁଅ-ଝିଅଙ୍କ ପାଇଁ ନିଯୁକ୍ତି ସୁଯୋଗ ନଯୋଗାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଚ୍‍ପିସିଏଲ୍‍ ୨୬୫୯ କୋଟି ଟଙ୍କା ଲାଭ କରିଛି ଏବଂ ବିପିସିଏଲ୍‍ ୩୧୦୨ କୋଟି ଟଙ୍କା ଲାଭ କରିଥିବା ସତ୍ତେ୍ୱ ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ନଦେବା କେନ୍ଦ୍ର ସରକାରଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ଏହାକୁ ପ୍ରତିବାଦ କରି ଏବଂ ଓଡ଼ିଶାର ଯୁବଶକ୍ତିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଦିଗରେ ବିଜୁ ଯୁବ-ଛାତ୍ର ଜନତା ଦଳ ଓଡ଼ିଶା ସାରା ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଓଡ଼ିଶାର ଯୁବକଙ୍କ ପାଇଁ କେନ୍ଦ୍ରୀୟ ପିଏସ୍‍ୟୁମାନଙ୍କରେ ନିଯୁକ୍ତି ସୁଯୋଗ ଦାବି କରିବ ଏବଂ କେନ୍ଦ୍ର ସରକାର ସାଢେ଼ ୪ବର୍ଷ ଧରି ଚଳାଇଆସିଥିବା ଯୁବଶକ୍ତି ବିରୋଧରେ ପ୍ରତାରଣାର ଜବାବ ଦେବ । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ୫ ତାରିଖ ଦିନ ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନରେ  କରାଯିବ, ୬ ତାରିଖରେ ପଶ୍ଚିମାଞ୍ଚଳ ଆର୍‍ଡିସି ଜୋନ୍‍ରେ ଏବଂ ୮ ତାରିଖରେ କେନ୍ଦ୍ରୀୟ ଆର୍‍ଡିସି ଜୋନରେ ଅନୁଷ୍ଠିତ  ହେବ । ଓଡ଼ିଶାର ଯୁବଶକ୍ତିର ନ୍ୟାଯ୍ୟ ଦାବି ବିଶେଷକରି ନିଯୁକ୍ତି କ୍ଷେତ୍ରରେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପୂରଣ କରିନାହାନ୍ତି ଓ ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିଜୁ ଯୁବ-ଛାତ୍ର ଜନତା ଦଳ ଓଡ଼ିଶାର ଯୁବକ-ଯୁବତୀଙ୍କ ହକ୍‍ ପାଇଁ ଜୋରଦାର ଲଢେ଼ଇ ଜାରି ରଖିବ । ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଯେଉଁ ପ୍ରତାରଣା ଓ ବିଶ୍ୱାସଘାତକତା ବିଜେପି କରିଆସିଛି, ତାହାକୁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ଦୃଢ଼ତାର ସହିତ ରଖିବ ଏବଂ ବିଜେପିର ମୁଖାଖୋଲି ତାଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault