ହେଡଲାଇନସ୍:

ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ଓ କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଅନିସୁର ରହେମାନ୍‍, ଗଞ୍ଜାମ ଜିଲ୍ଲା ସଭାପତି ବାବୁ ଖାଁ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଏସ୍‍କେ. ତୁଫାନ୍‍, ନବରଙ୍ଗପୁର ଜିଲ୍ଲା ସଭାପତି ଅନୱର ଖାଁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ମହମ୍ମଦ ମୋଇନ୍‍, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଖୁଦରତ୍‍, ଏସ୍‍କେ. ମୁସ୍ତଫା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ରାଜ୍ୟ ସଭାପତି ମୁନ୍ନା ଖାଁଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ଜିଲ୍ଲା ସଂଖ୍ୟାଲଘୁ ନେତୃମଣ୍ଡଳୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ଏହି ଅବସରରେ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ରାଜ୍ୟ ସଭାପତି ମୁନ୍ନା ଖାଁ କହିଥିଲେ ଯେ ଆଜି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କର୍ମକର୍ତ୍ତା, ୬ଟି ଜିଲ୍ଲାର ପୂର୍ବତନ ସଭାପତିଙ୍କ ସମେତ ଶହ ଶହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି ।

ନୂତନ ଭାବେ ଯୋଗ ଦେଇଥିବା ସଂଖ୍ୟାଲଘୁ କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ବିଜେପି ‘ସବ୍‍କା ସାଥ-ସବ୍‍କା ବିକାଶ’ର ନାରା ଦେଇ ଯେଭଳି ଲୋକଙ୍କ ବିଶ୍ୱାସ ବଢ଼ାଇଥିଲା, ତାହା ଆଜି ବାସ୍ତବରେ କେବଳ ଭେଳିକି ହୋଇ ରହିଯାଇଛି । ସମସ୍ତଙ୍କ ବିକାଶ ହେଲାଭଳି ଦଳରେ କୌଣସି କାର୍ଯ୍ୟ କରାଯାଉନାହିଁ କିମ୍ବା ସେଭଳି ଲକ୍ଷ୍ୟ ନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ । ଏଭଳି ମିଛୁଆ ଦଳ ପ୍ରତି ଆମେ ଆମର ଆସ୍ଥା ହରାଇଲୁ, ଯାହାଫଳରେ ଆଜି ଆମେ ବିଜୁ ଜନତା ଦଳରେ ଯୋଗଦେଲୁ ।

0
0
0
s2sdefault