ହେଡଲାଇନସ୍:

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରୟାସ ସ୍ୱାଗତଯୋଗ୍ୟ , ୧୯ ବର୍ଷ ହେଲା ନବୀନ ବାବୁ କେଉଁଠି ଥିଲେ: ନିରଞ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ଏହା ଉପରେ ଅଧିକ ଗବେଷଣା ସମ୍ଭବ ହୋଇପାରିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୧୯ ବର୍ଷ ଶାସନକାଳ ମଧ୍ୟରେ ଏ ଦିଗରେ କ’ଣ କରୁଥିଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । // ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ଘଟଣାକୁ ନିରଞ୍ଜନ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବାବେଳେ ନବୀନ ବାବୁ ଏଭଳି କରି ଓଡ଼ିଆ ଜନସାଧାରଣଙ୍କ ନିକଟତର ହେବା ଉଦ୍ୟମ କରୁଛନ୍ତି । ଅଥଚ ଜଣେ ଓଡ଼ିଆ ହୋଇ ମଧ୍ୟ ନବୀନ ବାବୁ ତାଙ୍କ ୧୯ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଆ ଭାଷା କହିପାରିଲେ ନାହିଁ । ଯେଉଁଠି କଦବା କେମିତି ଅଧା ଭଙ୍ଗା ଓଡ଼ିଆ କହୁଛନ୍ତି ତାହା ଇଂରାଜୀ ଅକ୍ଷରରେ ଲେଖାଯାଉଛି ଏବଂ ତାହାକୁ ନବୀନ ବାବୁ ପଢୁଛନ୍ତି । ଜଣେ ଓଡ଼ିଆ ହୋଇ ମଧ୍ୟ ନିଜ ମାତୃଭାଷା ନଜାଣିଥିବା ମୁଖ୍ୟମନ୍ତ୍ରୀ ଏହାର କିଭଳି ବିକାଶ କରିପାରିବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି ଯେ ଓଡ଼ିଆ ଭାଷା ଆମ ରାଜ୍ୟର ସରକାରୀ ଭାଷା ହୋଇଥିବାବେଳେ ଝାଡଖଣ୍ଡରେ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଲାଭ କରିଛି । ସମଗ୍ର ବିଶ୍ୱରେ ପ୍ରାୟ ୫.୫ କୋଟି ଲୋକ ଓଡ଼ିଆ ଭାଷା ବ୍ୟବହାର କରୁଛନ୍ତି । ଭାରତରେ ଷଷ୍ଠ ଭାଷା ଭାବେ ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ତେଣୁ ଆମ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ବିକାଶ ନିମନ୍ତେ ସରକାରୀ ସ୍ତରରେ ଯଥେଷ୍ଟ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବାବେଳେ ବିଜେଡି ସରକାର ସେଥିରେ ଚରମ ଅବହେଳା କରିଛନ୍ତି । ତେଣୁ କେବଳ ଲୋକଦେଖାଣିଆ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଦେଇ ଦାୟିତ୍ୱ ଶେଷକଲେ ଚଳିବ ନାହିଁ । ତାହାକୁ କେତେଦୂର ଆନ୍ତରିକତାର ସହିତ କାର୍ଯ୍ୟକାରୀ କରାଯିବ, ଦେଖିବାକୁ ବାକି ରହିଲା ବୋଲି ପିସିସି ସଭାପତି କହିଛନ୍ତି ।

0
0
0
s2sdefault