ହେଡଲାଇନସ୍:

ହାତ ଛାଡ଼ିଲେ : ପଦୁଅଁ ଧରିବେ ପଦ୍ମଲୋଚନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

'ବିଶ୍ୱାସଘାତୀଙ୍କୁ ନେଇ ପିସିସି ସଭାପତି ସଂଗଠନକୁ ଆଗକୁ ବଢ଼ାଇବା ଅସହ୍ୟ"

ବାଲେଶ୍ୱର(ଉଜ୍ଜ୍ୱଳ କର): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ  ରାଜନେତା ପଦ୍ମଲୋଚନ ପଣ୍ଡା ସହଯୋଗୀ ଓ ଶୁଭାକାଂକ୍ଷୀଙ୍କ ସହ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ଜିଲ୍ଲ୍ଲା ସଂଗଠନରେ ଦୀର୍ଘଦିନ ଧରି ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଷ୍ଠୀ  କନ୍ଦଳ ସାଙ୍ଗକୁ କେତେକ କର୍ମକର୍ତ୍ତାଙ୍କ ଦଳବିରୋଧୀ କାର୍ଯ୍ୟରେ ଅତିଷ୍ଠ ହୋଇ ଦଳ ଛାଡ଼ିବାକୁ ନିଷ୍ପତି ନେଇଥିବା ସେ ପ୍ରକାଶ କରିଛନ୍ତି । କେଉଁ ଦଳରେ ଯୋଗଦାନ କରିବେ ଏନେଇ ସେ ସ୍ପଷ୍ଟ କରି ନଥିଲେ ବି ଖୁବଶ୍ରୀଘ୍ର ଏ ସମ୍ପର୍କରେ ସୂଚନା ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଶେଷ କରି ୨୦୧୪ ନିର୍ବାଚନରେ ସିମୁଳିଆ ମଣ୍ଡଳୀର କେତେକ ଦଳୀୟ କର୍ମୀଙ୍କ ବିଶ୍ୱାସଘାତ କାର୍ଯ୍ୟ ଯୋଗୁଁ ତାଙ୍କୁ ଖୁବ୍ କମ୍ ଭୋଟରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏବେ ସେହି ବିଶ୍ୱାସଘାତୀଙ୍କୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସଂଗଠନକୁ ଆଗକୁ ବଢ଼ାଇବା ତାଙ୍କ ପାଇଁ ଅସହ୍ୟ ହୋଇଛି । ଅତଏବେ ନିଜର ସ୍ୱାଭିମାନ ଓ ରାଜନୈତିକ ସ୍ଥିତିକୁ ସୁରକ୍ଷା ଦେବା ପାଇଁ ହଜାର ହଜାର କର୍ମୀଙ୍କ ସହ ସେ ଦଳ ପରିତ୍ୟାଗ କରିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସେ ସ୍ପଷ୍ଟ କହି ନଥିଲେ ବି ଶ୍ରୀ ପଣ୍ଡା କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିବାର ସନ୍ଦେହ  କ୍ରମଶଃ ଘନୀଭୁତ ହେବାରେ ଲାଗିଛି । ସେହିପରି ପିସିସି ସଦସ୍ୟ ତଥା ବରିଷ୍ଠ  କଂଗ୍ରେସ ନେତା ଶୁଭଙ୍କର ମହାପାତ୍ର, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନୀଳମାଧବ ପଣ୍ଡା, ସିମୁଳିଆ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସମେତ ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଓ ଛାମୁଆ କର୍ମୀମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇ ଦଳ ପରିତ୍ୟାଗ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ କଂଗ୍ରେସର ଜିଲ୍ଲା ସଂଗଠନରେ ଦୁର୍ବଳ ନେତୃତ୍ୱ ଓ ଦଳର ସମ୍ଭାବ୍ୟ ଆନ୍ଧାରୀ ଭବିଷ୍ୟତକୁ ଗୁରୁତ୍ୱ ଦେଇ ନିଜସ୍ୱ ବିଚାରରେ ସେ ଦଳ ଛାଡ଼ିଛନ୍ତି ବୋଲିବରିଷ୍ଠ ନେତା ଶ୍ରୀ ମହାପାତ୍ର ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ କର୍ମୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । 

0
0
0
s2sdefault