ହେଡଲାଇନସ୍:

ଉଜ୍ଜ୍ୱଳା ଯୋଜନା ଏକ ମହାଦୁର୍ନୀତି: ଓଡ଼ିଶାର ମହିଳାମାନଙ୍କ ପ୍ରତି ବିଶ୍ୱାସଘାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଏବେ ଗରିବମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଗରିବ ମହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋରଦାର ପ୍ରଚାର କରୁଥିଲା ବେଳେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ରନ୍ଧନ ଗ୍ୟାସ୍‍ର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାଫଳରେ ଲୋକମାନେ ଗ୍ୟାସ୍‍ କିଣିବାକୁ ସମର୍ଥ ହେଉନାହାନ୍ତି । ପରିସଂଖ୍ୟାନରୁ ଜଣାଯାଏ, ଯାହାକି କେନ୍ଦ୍ରମନ୍ତ୍ରୀ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି ସରକାର ଯୋଗାଇ ଦେଇଥିବା ସିଲିଣ୍ଡରର ବହୁ ନଗଣ୍ୟ ଶତାଂଶ ପୁନର୍ବାର ଭରଣା ପାଇଁ ଆସୁଛି । ବସ୍ତୁତଃ ଏହି ଯୋଜନା ବିଫଳ ହୋଇଛି । ଏହି ବିଫଳତାରୁ ମଧ୍ୟ ଫାଇଦା ମିଳୁଛି । ଯେଉଁ ଫାଇଦା ଲୁଟୁଛନ୍ତି ଦୁର୍ନୀତିଗ୍ରସ୍ତ ଦଲାଲମାନେ । ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରୁ ଉଜ୍ଜ୍ୱଳା ଦୁର୍ନୀତି ଏକ ନୀତିଦିନିଆ ସମ୍ବାଦରେ ପରିଣତ ହୋଇଛି । ଏହା ଏନ୍‍ଡିଏ ସରକାରଙ୍କର ଏକ ବଡ଼ ଦୁର୍ନୀତି ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଏହି ଯୋଜନା କଥା କହି ଯେତେ ବାହାବା ନେବାକୁ ଚେଷ୍ଟା କଲେ ମଧ୍ୟ ତାହା ତାଙ୍କ ପାଇଁ ବୁମେରାଂ ହୋଇଛି ।

ରାଜ୍ୟସଭାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ରାଜ୍ୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ ଆର୍ଥିକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଂଚିଛି  । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, ଉଜ୍ଜ୍ୱଳା ଯୋଜନାର ବିଫଳତା ଏବଂ ମହାଦୁର୍ନୀତିର ପ୍ରକୃତ ଦୃଶ୍ୟ । ଖୋଦ୍‍ କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଆର୍ଥିକ  ବର୍ଷ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି । ଏହି ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୪ଲକ୍ଷ ସିଲିଣ୍ଡର ରିଫିଲିଂ ନହେଉଥିବା ବେଳେ ଏହି ସିଲିଣ୍ଡରଗୁଡିକ କଳାବଜାରୀ ହେଉଛି ନା ଅନ୍ୟ ରାଜ୍ୟକୁ ଚାଲାଣ ହୋଇଛି, ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ସଂପୂର୍ଣ୍ଣ ନିରବ । ନିଜର ଘରୋଇ ଜିଲ୍ଲାରେ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇଛନ୍ତି ନା ତାଙ୍କର ସିଲିଣ୍ଡରକୁ ବଡ଼ବଡ଼ିଆମାନେ ଉପଭୋଗ କରୁଛନ୍ତି, ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଉଜ୍ଜ୍ୱଳା ଯୋଜନାର ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରୀ ଯଦି ୫/୭ ମାସ ପରେ ତା’ର ସବ୍‍ସିଡି ଅର୍ଥ ପାଇବ, ତେବେ ସେ ପର୍ଯ୍ୟନ୍ତ କ’ଣ ହିତାଧିକାରୀଟିଏ ବଜାର ଦର ଅନୁସାରେ ରିଫିଲ୍‍ କିଣିବ? ବିଜୁ ଜନତା ଦଳ ଆରମ୍ଭରୁ କହିଥିଲା ଯେ ଯେହେତୁ ଏହା ବ୍ୟାଙ୍କ ଏବଂ ଇଣ୍ଟରନେଟ୍‍ ସହିତ ଜଡ଼ିତ, ତେଣୁ ଏହି କ୍ଷେତ୍ରକୁ ସୁଦୃଢ଼ କରାଯାଉ । ଏଠାରେ ପ୍ରମୁଖ କଥା ହେଲା, ହିତାଧିକାରୀ ଚୟନ । ଏହି ହିତାଧିକାରୀ ଚୟନକୁ ନେଇ ଅତୀତରେ ଅନେକ ତର୍କ ବିତର୍କ ସୃଷ୍ଟି ହୋଇଛି । ହିତାଧିକାରୀଙ୍କୁ ଚୟନ କରି କିଏ ବଣ୍ଟନ କରିବ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା । ସେତେବେଳେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ବଣ୍ଟା ଯିବ, କିନ୍ତୁ ସେଭଳି କରାଗଲା ନାହିଁ । ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବିଜେପିର ନେତାମାନେ ନିଜେ ଚୟନ କଲେ, ଆଇଓସିଏଲ୍‍ କାର୍ଯ୍ୟକ୍ରମ ଆୟୋଜନ କଲା ଏବଂ ବାଣ୍ଟିଲେ । ଯଦି ବିଜେପିର ନେତାମାନେ ଚୟନ କଲେ ଏବଂ ବାଣ୍ଟିଲେ, ତେବେ ସେହି ହିତାଧିକାରୀମାନେ ପୁନର୍ବାର ଆସୁନାହାନ୍ତି କାହିଁକି? ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା ବୋଲି ଏଥିରୁ ପ୍ରମାଣିତ ହୋଇଛି । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହିଁ । ଏଠାରେ ବିଜୁ ଜନତା ଦଳ ଆଶା ରଖୁଛି, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ବିଷୟରେ ସଠିକ୍‍ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦେବେ ଯେ ବାସ୍ତବ ଚିତ୍ର କ’ଣ? ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏଭଳି ଯୋଜନାକୁ କେନ୍ଦ୍ର କରି ଯେଉଁ ବାତାବରଣ ସୃଷ୍ଟି କରିଛି, ଜନସାଧାରଣ ଠିକଣା ସ୍ଥାନରେ ତା’ର ଉଚିତ୍‍ ଜବାବ ଦେବେ ।

କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ ରନ୍ଧନ ଗ୍ୟାସ୍‍ର କ୍ରମାଗତ ଭାବେ ଦରବୃଦ୍ଧି ଯୋଗୁ ଓଡ଼ିଶାର ଗୃହିଣୀମାନଙ୍କର ରୋଷେଇ ଘରକୁ କୁଠାରଘାତ ହୋଇଛି । ମଇ ୨୦୧୪ରେ ଗୋଟିଏ ସିଲିଣ୍ଡର ୪୧୪ ଟଙ୍କାରେ ଉପଲବ୍ଧ ଥିଲାବେଳେ ଏହା ୧୬ ପ୍ରତିଶତ ବୃଦ୍ଧି ଅଗଷ୍ଟ ୨୦୧୭ରେ ପାଖାପାଖି ୪୮୦ ଟଙ୍କାରେ ପହଞ୍ଚôଥିଲା । ଯେତେବେଳେ କି ଆନ୍ତର୍ଜାତିକ ବଜାରରେ ତୈଳ ଦର ପାଖାପାଖି ୫୦% ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଦୁର୍ଭାଗ୍ୟର ବିଷୟ ବିଜେପି ସରକାରରେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ମଇ ୨୦୧୪ରୁ ଆଜି ପର୍ଯ୍ୟନ୍ତ ୨୨ ଥର ବୃଦ୍ଧି କରାଯାଇଛି । ଅପରପକ୍ଷରେ ଆନ୍ତର୍ଜାତିକ ତୈଳ ଦର ବ୍ୟାରେଲ୍‍ ପିଛା ୩୦ ମଇ ୨୦୧୪ରେ ୧୦୨ ଡଲାର ଥିଲା ବେଳେ ଏହା ୨୦୧୭ ସୁଦ୍ଧା ୫୨ ଡଲାରରେ ପହଞ୍ଚିଥିଲା  । ୩୦ ସେପ୍ଟେମ୍ବର ୨୦୧୮ରୁ ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ର ମୂଲ୍ୟ ୫୯ ଟଙ୍କା ବୃଦ୍ଧି କରାଯାଇଛି । ଯାହାକି ଗୃହିଣୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପକ୍ଷରେ ତୈଳ କମ୍ପାନୀଗୁଡିକ ହଜାର ହଜାର କୋଟି ଟଙ୍କାର ଲାଭ କରୁଥିବା ବେଳେ ସାଧାରଣ ଗୃହିଣୀମାନଙ୍କ ଉପରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଯେଉଁ ଛାଟ ମାରିଛନ୍ତି, ତାହାକୁ ଓଡ଼ିଶାର ମହିଳାମାନେ କଦାପି ବରଦାସ୍ତ କରିବେ ନାହିଁ । ଉଜ୍ଜ୍ୱଳା ଯୋଜନାର ମହା ଦୁର୍ନୀତି ପରେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବୃଦ୍ଧି, କଟା ଘା’ରେ ଚୂନ ସଦୃଶ ।

 ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଉଜ୍ଜ୍ୱଳା ଯୋଜନାର ଆଉ ଏକ ମହାଦୁର୍ନୀତି ଧରାପଡିଛି । ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କୁ ପଞ୍ଜିକୃତ କରାଇ କେନ୍ଦ୍ର ସରକାର ଯେଉଁ ହରିଲୁଟ୍‍ ଚଲାଇଛନ୍ତି, ତାହା ଅତି ନିନ୍ଦନୀୟ ଏବଂ ଦୁଃଖଦ । ଏହି ମହାଦୁର୍ନୀତି ଧରାପଡିବା ପରେ ଏଥିରେ ଅନିୟମିତତା ହୋଇଛି ବୋଲି ଆଇଓସିଏଲ୍‍ର କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଏବଂ ସେଥିପାଇଁ ଗୋଟିଏ ଏଜେନ୍ସିକୁ ମଧ୍ୟ ନିଲମ୍ବିତ କରିଛନ୍ତି । ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ହେଉ, ଗରିବ ମହିଳାମାନଙ୍କୁ ସବ୍‍ସିଡି ଉଚିତ୍‍ ସମୟରେ ନମିଳିବାର ପ୍ରସଂଗ ହେଉ କିମ୍ବା ରନ୍ଧନ ଗ୍ୟାସ୍‍ର ମୂଲ୍ୟ କ୍ରମାଗତ ଭାବରେ ୨୨ଥର ବୃଦ୍ଧି କରାଯାଇଥିବାର ପ୍ରସଂଗ ହେଉ, ପ୍ରତ୍ୟେକଟି ବିଷୟରେ କେନ୍ଦ୍ର ସରକାରଙ୍କର ଏବଂ ବିଶେଷକରି ତୈଳ ମନ୍ତ୍ରାଳୟର ଅପାରଗତା ଏବଂ ସ୍ଥାଣୁତା ସ୍ପଷ୍ଟ ବାରି ହୋଇପଡିଛି । ଗରିବ ମହିଳାମାନଙ୍କର ଅଧିକାରକୁ ଲୁଣ୍ଠନ କରି ଆଜି କେନ୍ଦ୍ର ସରକାର ନିଜର ପକେଟ୍‍ ଗରମ କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ନିରବଦ୍ରଷ୍ଟା ପାଲଟି ଏହି ମହାଦୁର୍ନୀତିକୁ ସମର୍ଥନ କରିବା ଓଡ଼ିଶାର ଜନସାଧାରଣଙ୍କ ସହିତ ହେଉଥିବା ବିଶ୍ୱାସ ଘାତକତାକୁ ପଦାରେ ପକାଇଛି । ଏହି ବିଶ୍ୱାସ ଘାତକତାକୁ ଓଡ଼ିଶାର ଗରିବ ମହିଳାମାନେ ବରଦାସ୍ତ କରିବେ ନାହିଁ ଏବଂ ଆସନ୍ତା ନିର୍ବାଚନାରେ ଏହାର ଉଚିତ୍‍ ଜବାବ ଦେବେ । ବିଜୁ ଜନତା ଦଳ, କେନ୍ଦ୍ର ସରକାର ଏବଂ ବିଜେପି ଦ୍ୱାରା ପ୍ରାୟୋଜିତ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିକୁ ଦୃଢ଼ତାର ସହିତ ନିନ୍ଦା କରୁଛି ଏବଂ ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆଇଓସିଏଲ୍‍ ଭୁବନେଶ୍ୱର ଅଫିସ୍‍ ସମ୍ମୁଖରେ ଆସନ୍ତାକାଲି (୪/୧୦/୨୦୧୮, ଗୁରୁବାର) ସକାଳ ୧୦ଟା ବେଳେ ବିକ୍ଷୋଭ କରିବେ । ଯଦି ଏଥିରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ବୁଦ୍ଧି ଉଦୟ ନହୁଏ, ତେବେ ଆଗାମୀ ଦିନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନକୁ ତୀବ୍ରତର କରି କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଓ ବିଜେପିର ମୁଖା ଖୋଲିଦେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ମୁଖପାତ୍ର ସୁଲୋଚନା ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଏବଂ ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ଉପସ୍ଥିତ ଥିଲେ ।

0
0
0
s2sdefault