ହେଡଲାଇନସ୍:

ଓଡ଼ିଶାରେ ବିଜେପିର ୧୨୦ ମିଶନ ମାନେ ..........  ଏବେ ଜଣାପଡୁଛି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପେଟ୍ରୋଲ-ଡିଜେଲ୍‍ ଲିଟର ୧୨୦ ଟଙ୍କା, ୧ ଡଲାର ମୂଲ୍ୟ ୧୨୦ ଟଙ୍କା

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ୨୦୧୪ରେ ୫ବର୍ଷ ଭାରତବର୍ଷର ଜନସାଧାରଣଙ୍କୁ ମାଗିଥିଲା, ସେମାନଙ୍କ ଜୀବନରେ ଅଚ୍ଛେଦିନ ଆଣିବା ପାଇଁ । କିନ୍ତୁ ସାଢେ଼ ୪ବର୍ଷ ପରେ ମଧ୍ୟ ସେ ‘ଅଚ୍ଛେଦିନ୍‍’ର ସ୍ୱରଶବ୍ଦ ଶୁଣାଯାଉନାହିଁ । ପେଟ୍ରୋଲ ଦର ପ୍ରତି ଲିଟର ୯୦ ଟଙ୍କା ଛୁଇଁଲାଣି, ଭାରତୀୟ ମୁଦ୍ରା ୧ ଡଲାର ମୁକାବିଲାରେ ୧୦୦ ଟଙ୍କା ଛୁଇଁଲା ଭଳି ଅନୁମାନ କରାଯାଉଛି । ଜଣାପଡୁଛି, ବିଜେପି ତୈଳ ଦର ପ୍ରତି ଲିଟର ୧୨୦ ଟଙ୍କାରେ ପହଞ୍ଚାଇ ଓ ଭାରତୀୟ ମୁଦ୍ରାର ମୂଲ୍ୟ ୧ ଡଲାର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ତାଙ୍କର ମିଶନ ୧୨୦ ସଫଳ କରିବେ । ଏହାହିଁ ମିଶନ ୧୨୦ର ରହସ୍ୟ, ଯାହାକି ମାନ୍ୟବର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିଜେପି ୫ବର୍ଷରେ ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିବାର ଦୃଢେ଼ାକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ । ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ୧୫ବର୍ଷର ଶାସନକାଳ ମଧ୍ୟରେ ବିଜେପି କୌଣସି ପରିବର୍ତ୍ତନ ଆଣିପାରି ନାହିଁ ଏବଂ ଏହିପରି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ଭ୍ରମିତ କରିଆସୁଛି । ଏହାହିଁ ବିଜେପିର ଚରିତ୍ର । ଏମ୍‍ଏସ୍‍ପି ଦେଢ଼ଗୁଣା ବୃଦ୍ଧି ଆଉଏକ ଜୁମ୍‍ଲା ସଦୃଶ । କେନ୍ଦ୍ର ସରକାର ସ୍ୱାମୀନାଥନ କମିଶନଙ୍କ ସୁପାରିସ୍‍କୁ କାର୍ଯ୍ୟକାରୀ କଲେନାହିଁ କିମ୍ବା ହାଉସ୍‍ କମିଟିକୁ ମଧ୍ୟ ଏ ସଂକ୍ରାନ୍ତରେ ଭେଟିବା ପାଇଁ ସମୟ ଦେଲେନାହିଁ । ଏମ୍‍ଏସ୍‍ପିର ଦେଢ଼ଗୁଣା ବୃଦ୍ଧି ଏକ ପ୍ରହେଳିକା ଏବଂ ଚାଷୀମାନଙ୍କର ସ୍ୱାର୍ଥକୁ କୁଠାରଘାତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାର ସାମିଲ ହୋଇଥିଲା ବେଳେ ଆୟୁଷ୍ମାନ ଯୋଜନାରେ ୯ଲକ୍ଷ ପରିବାର ଓ ପାଖାପାଖି ୫୦ଲକ୍ଷ ଲୋକ ବାଦ୍‍ ପଡ଼ିଯାଇଥାନ୍ତେ । କେନ୍ଦ୍ର ସରକାର ଏହି ୫୦ଲକ୍ଷ ବାଦ୍‍ ପଡୁଥିବା ଓଡ଼ିଆଙ୍କୁ ଆୟୁଷ୍ମାନ ଯୋଜନାରେ ଅର୍ନ୍ତଭୁକ୍ତ ନକରିବାରୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମାଧ୍ୟମରେ କେବଳ ଏହି ୫୦ଲକ୍ଷ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇନାହାନ୍ତି, ବରଂ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସାମିଲ କରିଛନ୍ତି । ତା’ସହିତ ଆୟୁଷ୍ମାନ ଯୋଜନାରେ ମହିଳାମାନଙ୍କ ପାଇଁ କେବଳ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାର ବୀମାଭୁକ୍ତ ବ୍ୟବସ୍ଥା ଥିଲାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାର ସୁବିଧା ଯୋଗାଇ ଦିଆଯାଇଛି । ଏହିସବୁ ତଥ୍ୟ ବିଷୟରେ ଅବଗତ ଥିଲେ ମଧ୍ୟ ବିଜେପି ଆୟୁଷ୍ମାନ ଯୋଜନାର ଡିଣ୍ଡିମ ପିଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଉଜ୍ଜ୍ୱଳା ଯୋଜନାରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି ଏବଂ ଏହାକୁ ମଧ୍ୟ ପରୋକ୍ଷରେ କେନ୍ଦ୍ର ତୈଳମନ୍ତ୍ରୀ ଲୋକସଭାରେ ତାଙ୍କର ଉତ୍ତରରେ ସ୍ପଷ୍ଟ ଭାବରେ ଅବଗତ କରାଇସାରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଓଡ଼ିଶାରେ ଏଲ୍‍ପିଜି ଗ୍ୟାସ୍‍ ସିଲିଣ୍ଡର ଉପଭୋକ୍ତା ୩୦ଲକ୍ଷ ଉଲ୍ଲେଖିତ ଥିବାବେଳେ ପାଖାପାଖି ୨୪ଲକ୍ଷ ସିଲିଣ୍ଡର ଦ୍ୱ୍‍ିତୀୟଥର ପାଇଁ ଗ୍ୟାସ୍‍ ଭରଣା କରାଯାଉନାହିଁ । ଏହି ୨୪ଲକ୍ଷ ଉପଭୋକ୍ତା ବାସ୍ତବରେ ଅଛନ୍ତି କି? ଯଦି ଅଛନ୍ତି ଏହି ୨୪ଲକ୍ଷ ସିଲିଣ୍ଡର ସେମାନେ ଉପଭୋଗ ନକରୁଥିଲା ବେଳେ କୌଣସି ସ୍ଥାନରେ କଳାବଜାରୀ ହେଉନାହିଁ ତ? ଏହି ଦୁର୍ନୀତି ଉପରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ନଦେଇ ନିଜର ଦାୟିତ୍ୱରୁ ଓହରିବାକୁ ଚେଷ୍ଟା କରିବା ନିନ୍ଦନୀୟ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାକୁ ଅର୍ଥ କେନ୍ଦ୍ରରୁ ପଠାଉଥିବା କହିବା, କଟା ଘା’ରେ ଚୂନ ସଦୃଶ । କେନ୍ଦ୍ର ସରକାର ୮ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି ଏବଂ ୩୩ଟି ଯୋଜନାରେ କେନ୍ଦ୍ରୀୟ ସହାୟତା ହ୍ରାସ କରି ରାଜ୍ୟ ଉପରେ ଆର୍ଥôକ ବୋଝ ଜବରଦସ୍ତି ଲଦି ଦେଇଛନ୍ତି । କେନ୍ଦ୍ରରୁ ଓଡ଼ିଶାକୁ ଅର୍ଥ ପଠାଇବା କଥା ଶ୍ରୀ ଶାହା କହିଲେ ମନେ ହୁଏ, ଯେମିତି ପ୍ରତି ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ବିଜେପି ପୂର୍ବ ଘୋଷିତ ଭାବରେ ପଠାଇ ସାରିଛି । ବିଜେପି ଶାସିତ ରାଜ୍ୟ, ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଇତ୍ୟାଦିରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ୟୁପିରେ ଏକ ବିଜେପି ବିଧାୟକ ଦୁଷ୍କର୍ମ ଅଭିଯୋଗରେ ବର୍ତ୍ତମାନ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍‍ରେ ଅଛନ୍ତି । ବିଜେପିର ଅନେକ ନେତା ଓ କର୍ମୀ ଭାରତବର୍ଷ ସାରା ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ଦୁଷ୍କର୍ମ ପାଇଁ ଦୁର୍ନାମ ଅର୍ଜନ କରିଆସୁଛନ୍ତି । ମହିଳାମାନଙ୍କ ଉପରେ ଅତ୍ୟାଚାର ଏକ ରାଷ୍ଟ୍ରୀୟ ସମସ୍ୟା ଏବଂ ଏହା ଏକ ସମ୍ବେଦନଶୀଳ ବିଷୟ । ମାନବିକ ଦୃଷ୍ଟିକୋଣରୁ ଏହି ପ୍ରକାର ଏକ ସ୍ପର୍ଶକାତର ବିଷୟକୁ ରାଜନୀତିକରଣ କରିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ । ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଦୃଢ଼ତାର ସହିତ ଦମନ କରିବା ପାଇଁ ଓଡ଼ିଶାର ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଏବଂ ଏହା ବିରୋଧରେ ଦୃଢ଼ତାର ସହିତ ସମସ୍ତେ ମିଶି ଲଢ଼ିବାର ଆବଶ୍ୟକତା ରହିଛି । ବିଜେପି ଭଳି ବିଜୁ ଜନତା ଦଳ ମହିଳାଙ୍କ ପ୍ରସଂଗକୁ ନେଇ ରାଜନୀତି କରିବା ଉଚିତ୍‍ ମନେ କରେନାହିଁ । ଆମେ ଆଶା କରିବୁ ଏହି ପ୍ରସଂଗ ଉପରେ ବିଜେପି ରାଜନୀତି କରିବା ବନ୍ଦ କରୁ । ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମହିଳାମାନେ ଅଧିକ ସୁରକ୍ଷିତ ଅଛନ୍ତି ଏବଂ ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମମତା, ମିଶନ ଶକ୍ତି ଏବଂ ଅନେକ ପ୍ରକାର ଯୋଜନା ଦ୍ୱାରା ମହିଳାମାନଙ୍କର ବିକାଶ କରିଆସୁଛନ୍ତି । ଶ୍ରୀ ଅମିତ ଶାହା ଆଜି ଅପରାଧ ବିଷୟରେ ଉଲ୍ଳେଖ କରି ପରୋକ୍ଷରେ ବିଜେପିକୁ ଲୋକଙ୍କର ପ୍ରଶ୍ନ ଘେର ମଧ୍ୟକୁ ଟାଣି ଆଣିଛନ୍ତି । ଅତୀତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସକୁ କଟକର ବାଇମୁଣ୍ଡି ଆଖ୍ୟା ଦେଇ ବିଜେପିର ଅପରାଧୀଙ୍କ ପ୍ରତି ଆସକ୍ତିକୁ ସ୍ପଷ୍ଟ ଭାବରେ ଜାହିର କରିଛନ୍ତି । ଛତ୍ରପୁରର ବିଜେଡି କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ବିଜେପିର ନେତାମାନଙ୍କର ସଂପୃକ୍ତି ଏବଂ ସେହି ନେତାମାନେ କେଉଁ ନେତାଙ୍କର ଛତ୍ରଛାୟାରେ ଉତ୍ତରାଖଣ୍ଡର ଏକ ଗେଷ୍ଟହାଉସ୍‍ରେ ଲୁଚିଥିଲେ, ତାହା ଆଜି ମଧ୍ୟ ଜନସାଧାରଣଙ୍କୁ ଆନେ୍ଦାଳିତ କରୁଛି । ବିଜେପୁର ଉପ-ନିର୍ବାଚନରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ବିଜେପିର ନେତା ଓ କର୍ମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଏବଂ ଏହି ଘଟଣାରେ ବିଜେଡିର କର୍ମୀ ଦିଲେଶ୍ୱର ସାହୁଙ୍କୁ ହତ୍ୟା କରାଯାଇଥିବା ବିଜେପିର ଅପରାଧପ୍ରବଣତାକୁ ଦର୍ଶାଉଛି । ତୈଳମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅହେତୁକ ଅନୁକମ୍ପା ଗ୍ୟାଙ୍ଗଷ୍ଟର ଟିଟୋଙ୍କ ପ୍ରତି ଜଣାପଡିଲା, ଯେତେବେଳେ ଏସ୍‍ଟିଏଫ୍‍ ଦ୍ୱାରା ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି ବୋଲି ମାମଲା ସମ୍ମୁଖକୁ ଆସିଲା । ଏକ ଦୁର୍ଦ୍ଦାନ୍ତ  ଅପରାଧୀଙ୍କ ପାଇଁ ଦୁଇଟି ପେଟ୍ରୋଲ ପମ୍ପ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆବଣ୍ଟନ କରାଯାଇଥିଲା ଏବଂ ଏହାଦ୍ୱାରା ଧର୍ମେନ୍ଦ୍ର ଓ ଟିଟୋଙ୍କ ସଂପର୍କ ସ୍ପଷ୍ଟ ହୋଇଯାଇଛି । ଅମିତ ଶାହାଙ୍କ ଗସ୍ତ ତାଙ୍କର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାରେ ସୀମିତ ଏବଂ ଏହାର କୌଣସି ପ୍ରଭାବ ଓଡ଼ିଶାର ଜନସାଧାରଣଙ୍କ ଉପରେ ପଡିବ ନାହିଁ । ୧୮ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଘଟିବା ସହିତ ମହିଳାମାନଙ୍କ ପାଇଁ ସଶକ୍ତିକରଣ ଓ ପ୍ରଗତିର ଅନେକ ଦ୍ୱାର ଫିଟାଇଛନ୍ତି । ୨୦୧୯ ନିର୍ବାଚନ ଆଉ କିଛିମାସ ଥିଲାବେଳେ ଶ୍ରୀ ଶାହା ତାଙ୍କର ଚିରାଚରିତ ଭାବରେ ରାଜନୈତିକ ଉଦ୍‍ବୋଧନ ଦେଇ ନିଜର ଦଳୀୟ କାର୍ଯ୍ୟ କେବଳ କରିଛନ୍ତି । ଓଡ଼ିଶାର ବିକାଶ ଏବଂ ପ୍ରଗତି ଠାରୁ ବିଜେପି ଅନେକ ଦୂରରେ ଅଛି ଏବଂ ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏମ୍‍ଏସ୍‍ପିର ପ୍ରସଂଗ ଏବଂ କେନ୍ଦ୍ରୀୟ ଅନୁଦାନ କାଟ୍‍ ଭଳି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରସଂଗଗୁଡିକରେ ନିରବଦ୍ରଷ୍ଟା ପାଲଟିଛନ୍ତି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ଶ୍ରୀ ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି 

0
0
0
s2sdefault