ହେଡଲାଇନସ୍:

ମୟୂରଭଞ୍ଜ ବନ୍ଦ  ସଫଳ : ଗମନାଗମନ ଠପ୍, ଜନଜୀବନ ପ୍ରଭାବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ହାଇ କୋର୍ଟସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ ଓ ମୟୂରଭଞ୍ଜ ଜିଲ୍ଲାରେ ରେଳବାଇର ବିକାଶ ଆଦି ତିନି ଦଫା ଦାବି ପୂରଣ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାବ୍ୟାପୀ ହୋଇଥିବା ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାରେ ବନ୍ଦ ପାଳନକୁ ମିଳିଛି ଅଦ୍ଭୁତ ପୂର୍ବ ଜନସମର୍ଥନ । ଝାମୁମୋର ଏହି ବନ୍ଦ ଡ଼ାକରା ସାମିଲ ହୋଇଥିଲେ ଜିଲ୍ଲାର ସମସ୍ତ ଓକିଲ ସଙ୍ଘ । ଫଳରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ସହିତ ଉଦଳା ଓ କରଞ୍ଜିଆ ଏନଏସି,  ବାରିପଦା ଓ ରାଇରଙ୍ଗପୁର ପୌରପରିଷଦରେ ଏହି ବନ୍ଦପାଳନ ଶତପ୍ରତିଶତ ସଫଳ ହୋଇଛି ବୋଲି ଜେଏମଏମ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଝାମୁମୋର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ନେତୃତ୍ୱ ଓ ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ଜିଲ୍ଲା ସାଧାରଣ ସମ୍ପାଦକ ନିମାଇଁ ତ୍ରିପାଠୀ ଓ ପ୍ରଭୂଦାନ ମାର୍ଣ୍ଡି, ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତି, ଛାତ୍ର ସଭାପତି ଧନଞ୍ଜୟ ସାହୁ, ଦିଲ୍ଲୀପ ଦାସ, ସତ୍ୟବାନ ପାଲ, ବାଜୁନ ହାଁସାଦଃ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ନେତା, କର୍ମୀ ଓ ସମର୍ଥକମାନେ ଶନିବାର ସକାଳ ୬ଟାରେ ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର ପାଲବଣି ବାଇପାସ ଓ ମୁର୍ଗାବାଡ଼ି ଛକରେ ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ସଂଖ୍ୟାରେ ଟ୍ରକ, ବସ ଆଦି ଅଟକି ରହିଥିବା । ସେହିପରି ବନ୍ଦ ପାଳନକାରୀମାନେ ବାରିପଦା ଷ୍ଟେସନରେ ରୁପ୍ସା-ବାଙ୍ଗିରିପୋଷି ଡ଼ିଏମୟୁ ଟ୍ରେନକୁ ଅଟକାଇ ଥିଲେ । ଏହାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, ପୌରପରିଷଦ କାର୍ଯ୍ୟାଳୟ ଆଦି ସମ୍ମୁଖରେ ପିକେଟିଂ ଆରମ୍ଭ କରିବାରୁ କାର୍ଯ୍ୟାଳୟ ମଧ୍ୟକୁ କୌଣସି କର୍ମଚାରୀ ପ୍ରବେଶ କରିପାରି ନ ଥିଲେ । କୋର୍ଟର ଫାଟକ ସମ୍ମୁଖରୁ ବିଚାରପତିମାନେ ଫେରିଯାଇଥିବା ବେଳେ ପୂର୍ବାହ୍ନ ସାଢେ଼ ୧୦ଟା ମଧ୍ୟରେ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ଆନେ୍ଦାଳନକାରୀମାନେ ତାଙ୍କର ଗାଡ଼ିକୁ ଅଟକାଇ ଦେଇଥିଲେ , ମାତ୍ର ଜିଲ୍ଲାପାଳ ସମସ୍ତଙ୍କୁ ଚକ୍କମା ମାରି ମୁଖ୍ୟଫାଟକ ଦେଇ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଝାମୁମୋ ସମର୍ଥକମାନେ ଜିଲ୍ଲାପାଳଙ୍କ ବିରୋଧରେ ନାରାବାଜି ଆରମ୍ଭ କରି ଦେଇଥିଲେ । ଏଥି ସହିତ ଟାୟାର ଜାଳି ରାସ୍ତା ଅବରୋଧ କରି ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ କରିବା ସଂଗେସଂଗେ ଗଣତନ୍ତ୍ର ହତ୍ୟାକାରୀ ଜିଲ୍ଲାପାଳଙ୍କ ବଦଳି ଦାବି କରିଥିଲେ । ଜେଏମଏମର ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଫଳରେ ପରିବହନ ସେବା, ଗମନାଗମନ, ଯାତ୍ରୀପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିଲା । ଆଜିର ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିବା ସମୟରେ ସହରରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଏଥିରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିପ୍ଳବ ବାରିକ, ପୂର୍ବତନ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ଦାସ, ସ୍ୱରୂପ ମିଶ୍ର, ବିଜୟ ଦାସ, ଅରବିନ୍ଦ ଦାସ, ସୁନୀୟ ଜେନା, ଧୀରେନ୍ଦ୍ର ସାସମଲ, ଅଜୟ ଦାସ ପ୍ରମୁଖଙ୍କ ସମେତ ଝାମୁମୋର ଗୋବିନ୍ଦ ସୋରେନ, ରାକେଶ ବେହେରା, ମାନସ ବେହେରା, ରାକେଶ ମହାନ୍ତି, ଏସକେ ନାଜିର, ରବୀନ୍ଦ୍ର ସାହୁ, ବଳରାମ ରଣା, ଗଣେଶ ମହାନ୍ତି, ଏସକେ ରାଜା ଖାନ, ଅଭିଶେକ ଦାସ, ଅଭିଶେକ ବେହେରା, କାମ ହେମ୍ବ୍ରମ, ବାଘରାୟ ମାର୍ଣ୍ଡି, ଜ୍ଞାନରଞ୍ଜନ ପଟ୍ଟନାୟକ, ଶଙ୍କର ପ୍ରସାଦ ମୁର୍ମୁ, ସାଉନା ମୁର୍ମୁ ପ୍ରମୁଖଙ୍କ ଶତାଧିକ ଦଳୀୟ ସମର୍ଥକ ଯୋଗ ଦେଇଥିଲେ ।

 

0
0
0
s2sdefault