ହେଡଲାଇନସ୍:

ଦାମ ନରମକୁ ନବୀନ ଗରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିଲ୍ଲୀରୁ ଆସିଲା ମୁଖିଆଙ୍କ ପ୍ରେମ ସନ୍ଦେଶ, ବିଜୟଙ୍କ ପ୍ରେସ ରିଳିଜରେ ହୋଇଗଲା ଦାମଙ୍କ ବିଜେଡି ଖେଳ  ଶେଷ

ଭୁବନେଶ୍ୱର: ଗୋଟେ ପଟେ ଲଗାତାର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସିଥବା ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତ ତାଙ୍କ ବୟାନ ବଦଳାଇ ନରମ ପଡିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପରଵାନାୟକ କିନ୍ତୁ ତାଙ୍କ ଗରମ ଦେଖାଇଛନ୍ତି | ଖେଳିଛନ୍ତି ତାଙ୍କ ଦିଲ୍ଲୀ ଗେମ | ସବୁ ଥର ତାଙ୍କ ଦିଲ୍ଲୀ ଗେମ ସନ୍ଦେହରେ ଥିବା ବେଳେ ଏଥର ବି କିଛି ସେମିତି ଅନୁମାନ କରାଯାଉଥିଲା | ଦିଲ୍ଲୀ ରୁ କିଛି ହେବ | ଆଉ ହେଲା ବି |   ବିଜୁ ଜନତା ଦଳରୁ . ଦାମୋଦର ରାଉତଙ୍କୁ  ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହିଷ୍କାର କରିଛନ୍ତି ବୋଲି ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି। କାରଣ ଯେତେବେଳେ କିଛି କ୍ରାଇସିସ ଆସେ ନବୀନ ଦିଲ୍ଲୀ ଯାନ୍ତି | ଆଉ ଦିଲ୍ଲୀରୁ ହେଉ କି ଦିଲ୍ଲୀରୁ ଫେରି ହେଉ ସେ ଚକ୍ମା ଦେଖାଉଥିଲେ ରାଜ୍ୟ ବାସୀଙ୍କୁ | ହେଲେ ଏଥର କିନ୍ତୁ ଦିଲ୍ଲୀରେ ରୋଡ଼ ଶୋ କରି ଏପଟେ ଦାମଙ୍କ ବିଜେଡି ନାଟକର ଶୋ ରେ ଯବନିକା ପକାଇଛନ୍ତି |
ଗତକିଛିଦିନ ଧରି ଏକାଧିକ ଦୁର୍ନୀତି ଅଭିଯୋଗ ଆଣି ବିଜେଡି ସରକାରକୁ ଅଡ଼ୁଆରେ ପକାଇଥିବା ପାରାଦୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ନିଜର ସ୍ୱରକୁ ନରମ କରିଛନ୍ତି। ଆଜି ସକାଳେ ଗଣମାଧ୍ୟମକୁ ଶାଣିତ ବୟାନ ଦେଇ ଉଭୟ ଦଳ ଓ ସରକାରର ଗୁମର ପଦାରେ ପକାଇଥିବା ଡାକ୍ତର ରାଉତ ଅପରାହ୍ନରେ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଆଭିମୁଖ୍ୟକୁ ଦଳ ଓ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି।
ତେବେ ସକାଳେ ଗଣମାଧ୍ୟମକୁ କଡ଼ା ପ୍ରତିକ୍ରିୟା ଦେବା ପରେ ଡାକ୍ତର ରାଉତ ଅପରାହ୍ନରେ ନିଜର ଫେସବୁକ୍ ପେଜରେ ଏକ ଭିଡିଓ ଜାରି କରିଥିଲେ । ସେଥିରେ ସେ କହିଥିଲେ  ଯେ ବିଜୁବାବୁ ହେଉଛନ୍ତି ତାଙ୍କର ପ୍ରଜ୍ଞାପୁରୁଷ। ବିଜୁବାବୁ ତାଙ୍କୁ ରାଜନୀତିକୁ ଆଣିଥିଲେ ଓ ସେ ତାଙ୍କର ପରାମର୍ଶକୁ ମାନି ଚାଲିଛନ୍ତି। ତାଙ୍କୁ କିଏ ସମାଲୋଚନା ବା ନିନ୍ଦା କଲା ସେଥିରେ ସେ ବ୍ୟତିବ୍ୟସ୍ତ ନୁହନ୍ତି। ସେ ମନ୍ତ୍ରୀ ଥିବାବେଳେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ତେଣୁ ସେତେବେଳେ ଶାସନରେ ନାନା ଅଘଟଣ ଘଟୁଥିଲେ ମଧ୍ୟ ବାହାରେ କହିପାରୁନଥିଲେ।  ଭିଡିଓରେ ଡା. ରାଉତ କହିଛନ୍ତି, “ଯାହା କରିବା କଥା କାଗଜପତ୍ରରେ କରି ଛାଡ଼ି ଦେଉଥିଲି। କିନ୍ତୁ କାଗଜପତ୍ରରେ ଲେଖିଲେ ମଧ୍ୟ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୋତେ ବ୍ୟଥିତ କରୁଥିଲା।” ଏବେ ମନ୍ତ୍ରୀ ପଦରୁ ଯିବା ପରେ ସେ ଶାସନରେ ଯେଉଁସବୁ ଦୁର୍ନୀତି ଘଟୁଛି ତାକୁ ଦେଖି ମତ ଦେଉଛନ୍ତି। ନବୀନ ପଟ୍ଟନାୟକ ୨୦ବର୍ଷ ହେଲା ଶାସନରେ ରହିଛନ୍ତି। ଶାସନରେ ଯେଉଁ ଦୁର୍ନୀତି-ଭ୍ରଷ୍ଟାଚାର ହେଉଛି ତାହା ତାଙ୍କ ନଜରକୁ ଆସୁଛି କି ନାହିଁ ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କୁ ଏସବୁ ମର୍ମାହତ କରୁଛି। ତାଙ୍କର କୌଣସି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କହିବାର ନାହିଁ। ସେ ଦଳ କିମ୍ବା ଦଳପତିଙ୍କ ସମ୍ପର୍କରେ ମଧ୍ୟ କିଛି କହିନାହାନ୍ତି କିମ୍ବା ଭବିଷ୍ୟତରେ ତାଙ୍କର କହିବାର ମଧ୍ୟ ନାହିଁ। ସେ ଯାହା କହୁଛନ୍ତି ପ୍ରଶାସନ ସମ୍ପର୍କରେ କହୁଛନ୍ତି। ଶାସନରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ନଲାଗିଲେ ରାଜ୍ୟର ସ୍ୱାର୍ଥ ବାଧିତ ହେବ। ତେଣୁ ସେସବୁ ଲୋକଲୋଚନକୁ ଆଣୁଛନ୍ତି। ଯଦି ଏହା ସତ୍ୱେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୁଏ ତା’ହେଲେ ତାଙ୍କର କିଛି କହିବାର ନାହିଁ ବୋଲି ଡାକ୍ତର ରାଉତ କହିଥିଲେ |

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଥିବା ବେଳେ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିପାରିଲେନି ବୋଲି ପଦ ଚାଲି ଯାଇଥିଲା। ଏବେ ଦଳ ଭିତରେ ରହି ସରକାର ଓ ଦଳ ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର ଯୋଗୁଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପୂର୍ବରୁ ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଥିଲେ। ଏବେ ଦଳର ତୃଣମୂଳସ୍ତରରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମୋଙ୍କ ଉପରେ ଚାପ ବଢିବାରେ ଲାଗିଥିଲା । ଗତକାଲି  ଜଗତସିଂହପୁର ଜିଲ୍ଲାର କିଛି ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥଲେ।  ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
 ଗତ କିଛି ଦିନ ହେବ ଦଳ ଓ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଦାମୋଦର। ଚାରା, ଓମ୍‌ଫେଡ୍‌, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଗର୍ଜୁଥିଲେ । ଠିକ୍‌ ଏମିତି ଏକ ସମୟରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଯୋଡିଥଲେ । ନବୀନଙ୍କୁ ଦେଇଥିବା ଅଭିଯୋଗ ଜରିଆରେ କହିଛନ୍ତି, ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେଇଥିଲେ ଦାମୋଦର। ପାରାଦୀପରେ ଜୁଲମ କରିଛନ୍ତି। ତିର୍ତ୍ତୋଲର ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା କଂଗ୍ରେସର ୨୦୦୦ ମସିହାରୁ ବହୁ ପୁରୁଣା କର୍ମୀଙ୍କୁ ପୌର ପରିଷଦ ସଭାନେତ୍ରୀ କରାଇଛନ୍ତି। ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ଭୁଲୁନାହାନ୍ତି। କେବଳ ସେତିକି ନୁହେଁ, ଲୋକସଭା ସାଂସଦ କୁଳମଣି ଦାସଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ପ୍ରବର୍ତାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା |
ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି ଅଭିଯୋଗ କରିଥିଲେ ଯେ , ନିର୍ବାଚନ ମାତ୍ର ଚାରି ପାଞ୍ଚ ମାସ ଥିବା ବେଳେ ଦାମୋଦର ତାଙ୍କ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି। ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚାଲିଛି। କଂଗ୍ରେସ ଓ ବିଜେପି ସହିତ ସଂପର୍କ ରଖି ଦଳୀୟ କର୍ମୀଙ୍କ ମନକୁ ଦୁର୍ବଳ କରୁଛନ୍ତି। ଗତକାଲି ଏରସମାରେ ବିପ୍ଳବ ଦିବସ କରି ଏଥିରେ କଂଗ୍ରେସ ଓ ବିଜେପି ନେତାଙ୍କୁ ସାମିଲ କରିଥିଲେ। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରଘୁନନ୍ଦନ ଦାସ, କଂଗ୍ରେସ ନେତା ବିପ୍ଳବ ଚୌଧୁରୀ, ସୁଶାନ୍ତ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ରାଉତଙ୍କ ଉପସ୍ଥିତିରେ ସେମାନେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ତାଙ୍କ ସହିତ ଯୋଗାଯୋଗ କଲେନି ବରଂ କଂଗ୍ରେସ ଓ ବିଜେପି ନେତାଙ୍କ ଗହଣରେ ସଭାକୁ ଆସିଲେ।
ଆଉ ଏଭଳି ବିଶୃଙ୍ଖଳିତ ତଥା ଦଳ ବିରୋଧୀର ପରିଣାମ ସ୍ୱରୂପ ଶେଷରେ ଦାମଙ୍କ ବିଜେଡି ରାଜନୀତିରେ କ୍ଳାଇମାକ୍ସ ପଡିଛି |

0
0
0
s2sdefault