ହେଡଲାଇନସ୍:

ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ୱରରେ ବନ୍ଦ ପାଳନ : ଜନଜୀବନ ବେଶ ପ୍ରଭାବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • .କଂଗ୍ରେସ-ବାମପନ୍ଥୀ କର୍ମୀଙ୍କ ପିକେଟିଂରେ ଅଚଳ ସରକାରୀ ଦପ୍ତର
  • .ତୈଳଦର ବୃଦ୍ଧି ବିରୋଧୀ ହରତାଳ ଯୋଗୁଁ ପ୍ରଭାବିତ ଜନଜୀବନ 

ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆଜି ପାଳିତ ୯ ଘଣ୍ଟିଆ ଭାରତ ବନ୍ଦ ଯୋଗୁଁ ବାଲେଶ୍ୱରରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ସକାଳେ ପର୍ଯ୍ୟାୟ କ୍ରମେ କଂଗ୍ରେସ କର୍ମୀ ଓ ସିପିଆଇ-ସିଆଏମର କର୍ମୀମାନେ ପ୍ରଥମେ ରେଳରୋକ କରିଥିଲେ । କୋଲକାତା ଯାଉଥିବା ବାଘାଯତୀନ ଏକ୍ସପ୍ରେସ ଟ୍ରେନ୍କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକି ରହିଥିଲା । ସେହିଭଳି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସବୁଠାରୁ ବଡ଼କଥା ହେଲା ବାହାର ରାଜ୍ୟରୁ ଓଡ଼ିଶାକୁ ରଗବି ଖେଳିବାକୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ବାଲେଶ୍ୱର ଷ୍ଟେନରେ ଅଟକି ରହିଥିଲେ । ସେହିଭଳି ବସ୍ ଚଳାଚଳ ବନ୍ଦ ରହିବା ଯୋଗୁଁ ସହଦେବଖୁ୍ଣ୍ଟା ବସଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଦୂରସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ବସ୍ଷ୍ଟାଣ୍ଡରେ ଅଖିଆ ଅପିଆ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଆଜିର ଭାରତ ବନ୍ଦରେ ସହରର ଟ୍ରକ୍, ଟ୍ରେକର, ଅଟୋ ପ୍ରଭୃତି ଚଳାଚଳ ବନ୍ଦ ରହିଥିଲା । ପରେ ରାଜନୈତିକ ଦଳର କର୍ମୀ ଓ ନେତାମାନେ  ଦଳ ଦଳ ହୋଇ ସହରର ବିଭିନ୍ନ ଅଞ୍ଚଳ ବୁଲି  ଦୋକାନ ବଜାର ବନ୍ଦ କରିଥିଲେ । ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ କର୍ମୀମାନେ କୋର୍ଟ, ବ୍ୟାଙ୍କ ସମେତ ସହରର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଆଗରେ ପିକେଟିଂ କରିବା ସହିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଭିତରକୁ ପ୍ରବେଶ କରାଇ  ଦେଇନଥିଲେ । ବାଲେଶ୍ୱର ସହରର ଏକାଧିକ କୋର୍ଟ, ବିଭିନ୍ନ ବ୍ୟାଙ୍କ, ସ୍କୁଲ କଲେଜ୍, ତହସିଲ, ସବ-ରେଜିଷ୍ଟ୍ରାର ଅଫିସ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏକପ୍ରକାର କର୍ମଚାରୀ ଶୂନ୍ୟ ଭଳି ଅନୁଭୁତ ହୋଇଥିଲା । ୯ ଟା ପୂର୍ବରୁ ପହଞ୍ଚି ଯାଇଥିବା କାଁ ଭାଁ ଅଧିକାରୀ ଓ କର୍ମଚାରୀ ଅଫିସରେ କେବଳ ବସି ରହି ସମୟ ବିତାଇଥିଲେ । ଅନ୍ୟପକ୍ଷରେ ପ୍ରେଟ୍ରୋଲ ପମ୍ପ, ହୋଟେଲ, ସମେତ ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବା ଯୋଗୁଁ ଲୋକମାନାଙ୍କୁ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ଶରତ ରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ମୀମାନେ ଶୃଙ୍ଖଳିତ ଭାବେ କେନ୍ଦ୍ର ସରକାରଙ୍କ ତୈଳବୃଦ୍ଧି ନିଷ୍ପତି ବିରୋଧୀ ସ୍ଲୋଗାନ ଦେଇ ଦଳ ଦଳ ହୋଇ ର୍ୟାଲି କରୁଥିବା ଦେଖିବାକୁ ମିଳିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ୫ ମିନିଟ ପାଇଁ ହୋଟେଲ ରୁମ୍ରୁ ବାହାରି ସହରର ଷ୍ଟେସନଛକଠାରେ କଂଗ୍ରେସ କର୍ମୀଙ୍କ ସହିତ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି, ଜିଲ୍ଲା ଯୁବକଂଗ୍ରେସ ସଭାପତି ଅରଜିତ୍ ଘୋଷାଲ, ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା, କୃଷ୍ଣଗୋପାଳ ପଣ୍ଡା, ଶ୍ରମିକ ନେତା ଅରୁଣ ଜେନା, ଯୁବନେତା ବିକ୍ରମ ପଣ୍ଡା, ବିଧାନ ଜେନା, ତୁଷାରକାନ୍ତି ତପସ୍ୱୀ, ଦେବଦତ୍ତ ଦାସ, ନାରୀ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ବାସନ୍ତି ନାୟକ, ପ୍ରତିମା ପଣ୍ଡା, ଅପର୍ଣ୍ଣା କର ପ୍ରମୁଖ ଭାରତ ବନ୍ଦ ପାଳନରେ ବାଲେଶ୍ୱରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତୈଳନୀତି ଯୋଗୁଁ ବାରମ୍ବାର ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିର ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି ବୋଲି କଂଗ୍ରେସର କର୍ମକର୍ତ୍ତାମାନେ ଆରୋପ କରିଥିଲେ । ପରୋକ୍ଷ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ସରକାର  ବିପଳ ହୋଇଥିବା ବେଳେ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଅନୁରୂପ ଭାବେ ଗୌରାଙ୍ଗ ପାଣିଗ୍ରାହୀ, ରାଧାରମଣ ଷଡ଼ଙ୍ଗୀ, ଭାଗବତ ପ୍ରତିହାରୀ, ମାୟାଧର ଜେନା, ନିକୁଞ୍ଜ ବସନ୍ତ ରାୟ, ପ୍ରେମରଂଜନ ପାତ୍ର, ନିର୍ମଳ ନାୟକ, ଏମକେଡି ମଜୁମଦାର, ସଂଧ୍ୟାଦାସ ମଜୁମଦାର, ଯତୀନ ପାତ୍ର ପ୍ରମୁଖ ବାମପନ୍ଥୀ ନେତାଙ୍କ ତତ୍ତ୍ୱାବଧାନରେ ବହୁ କର୍ମୀ ଭାରତ ବନ୍ଦକୁ ବାଲେଶ୍ୱରରେ ସଫଳ କରିବା ପାଇଁ କ୍ରିୟାଶୀଳ ହୋଇଥିଲେ ।  ତୈଳଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଧାରଣ ଦୁର୍ବିସହ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର ପାଇଁ ବାମପନ୍ଥୀ କର୍ମୀ ଓ ନେତାମାନେ ଦାବି କରିଥିଲେ । ନତୁବା ଆଗାମୀ ଦିନରେ ଆନେ୍ଦାଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତବନୀ ଦେଇଥିଲେ ।  ବନ୍ଦ ପାଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯଇଥିଲା । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବହୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବା ବେଳେ ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ମଧ୍ୟରେ ବୁଲିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଥିଲା । ଜିଲ୍ଲା ପୁଲିସର ପଦସ୍ଥ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିଲେ । ତେବେ ବିଭିନ୍ନ ଦଳର କେତେକ ଉତ୍ସୃଙ୍ଖଳ କର୍ମୀଙ୍କୁ ପୁଲିସ କିଛିସମୟ ପାଇଁ ଗିରଫ କରିବା ସହ ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିଲା । ସକାଳ ୬ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହୋଇଥିବା ବନ୍ଦ ପାଳନ ବେଳେ ବାଲେଶ୍ୱରରେ ଆପାତତଃ ସେଭଳି ଅଭାବନୀୟ ଘଟଣା ଘଟି ନଥିବା ଜଣାପଡ଼ିଛି ।

 

 

0
0
0
s2sdefault