ହେଡଲାଇନସ୍:

ଡାକରା ଦେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା : ତିନି ଦଫା ଦାବି ପୂରଣ ନିମନ୍ତେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ୧୫ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ  ମହାନ୍ତି  )-  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବାରିପଦାଠାରେ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ସେମାନଙ୍କ ଜମା ରାଶି ଫେରସ୍ତ ଓ ଜିଲ୍ଲାରେ ରେଳଲାଇନର ବିକାଶ ଆଦି ୩ ଦଫା ଦାବି ପୂରଣ ନିମନ୍ତେ ଚଳିତ ସେପ୍ଟେମ୍ବର ୧୫ରେ ମୟୂରଭଞ୍ଜ ବନ୍ଦର ଡ଼ାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ନିମନ୍ତେ ଝାମୁମୋ ପକ୍ଷରୁ ଦୀର୍ଘ ଦିନରୁ ଦାବି କରାଯାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ଦାବି ପ୍ରତି ତିଳେହେଲେ କର୍ଣ୍ଣପାତ କରୁ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଓ ଝାମୁମୋ ଚଳାଇଆସୁଥିବା ଆନେ୍ଦାଳନକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ନିମନ୍ତେ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହି ପ୍ରକାରର ବୈମାତୃକ ମନୋଭାବକୁ ନେଇ ପ୍ରତିବାଦର ସ୍ୱର ଉଠାଇଛି ଜେଏମଏମ । ସେହିପରି ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ରାଶି ଫେରସ୍ତ ଦେବା କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଜମାରାଶି ଫେରସ୍ତ ନ ପାଇ ଅଭାବ ଅସୁବିଧା ମଧ୍ୟରେ ଗତି କରି ଜମାକାରୀମାନଙ୍କ ମଧ୍ୟରୁ କେତେକ ମରିହଜି ଗଲେଣି । ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନରେ ଯେଉଁ ରେଳପଥ ନିର୍ମାଣ ହୋଇଥିଲା ସେହି ନେରୋଗଜ ରେଳପଥକୁ ବ୍ରଡ଼ଗଜରେ ରୂପାନ୍ତରିତ କରାଇବା ନିମନ୍ତେ ସରକାରଙ୍କୁ ବହୁ ବର୍ଷ ସମୟ ଲାଗିଗଲା । ଜିଲ୍ଲାରେ ନୂତନ ରେଳପଥ ନିର୍ମାଣ ନିମନ୍ତେ ଦଳ ପକ୍ଷରୁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଦାବି କରାଯାଇଆସୁଛି । ଜିଲ୍ଲାରେ ନୂତନ ରେଳପଥ ନିର୍ମାଣର ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ରକୁ ପଠାଉନଥିବା ବେଳେ କେନ୍ଦ୍ର ମଧ୍ୟ ଜିଲ୍ଲାରେ ନୂତନ ରେଳପଥ ନିର୍ମାଣ ନିମନ୍ତେ ବଜେଟରେ କୌଣସି ପ୍ରସ୍ତାବକୁ ପାଶ କରାଉନାହାନ୍ତି । ଫଳରେ ମୟୂରଭଞ୍ଜ ଜିଲ୍ଲା ଗମନାଗମନ କ୍ଷେତ୍ରରେ ବହୁ ପଛକୁ ଠେଲି ହୋଇଯାଉଥିବାରୁ ଜିଲ୍ଲବାସୀଙ୍କ ସାମାଜିକ, ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାବାସୀଙ୍କ ସାମୂହିକ ସ୍ୱାର୍ଥ ସାଧନ ସହିତ ହକ୍ ଆଦାୟ ପାଇଁ ଜେଏମଏମ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ରହିଛି । ଏଥି ନିମନ୍ତେ ପ୍ରରମ୍ଭିକ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦର ଡ଼ାକରା ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଜେଏମଏମର ଦାବିକୁ ଯଥାଶୀଘ୍ର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଝାମୁମୋର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । 

0
0
0
s2sdefault