ହେଡଲାଇନସ୍:

 ୧୬ ନଂ ଜାତୀୟ ରାଜପଥରେ ଓଭରବ୍ରିଜ ନିର୍ମାଣ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  - ଦୁର୍ଘଟଣା ପ୍ରବଣ ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଠାରୁ ରାଣୀତାଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଫ୍ଲାଏ ଓଭରବ୍ରିଜ ଓ ଅଣ୍ଡରପାଶ୍ ନିର୍ମାଣ ନେଇ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ୍କରୀଙ୍କୁ ଶହଶହ ଅଞ୍ଚଳବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭଣ୍ଡାରିପୋଖରୀ ଠାରୁ ଯାଜପୁର ଜିଲ୍ଲା ସଦର ମହକୁମା ତଥା ବିରଜା କ୍ଷେତ୍ରକୁ ସଂଯୋଗ କରୁଥିବା ଭଣ୍ଡାରିପୋଖରୀ ମଣିନାଥପୁର ରାସ୍ତାର ପାଳଦା ଛକ ଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଅଛି । ଏହି ଛକ ଦେଇ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଯାତାୟତ କରିଥାନ୍ତି । ଏହି ଛକରେ ବିଗତ ଦିନରେ ବହୁବାର ଦୁର୍ଘଟଣାରେ ୧୧ଜଣଙ୍କର ପ୍ରାଣହାନୀ ଘଟିବା ସହିତ ବହୁ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେହିପରି ଧାମନଗର ଛକଟି ଧାମନଗର ସଦର ମହକୁମା ସହ ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା - ଆଖଣ୍ଡଳମଣି ପୀଠ, ଐତିହାସିକ ଗୋହିରାଟିକିରି ଓ ଧାମନଗର ସ୍ଥିତ ମୁସଲମାନଙ୍କ ଧର୍ମପୀଠ ଖାନ୍କା ସରିଫକୁ ସଂଯୋଗ କରୁଥିବା ଦୃଷ୍ଟିରୁ ରାଜ୍ୟର ବହୁ ପର୍ଯ୍ୟଟକ ଏହି ଛକ ଦେଇ ଯାତାୟତ କରିଥାନ୍ତି । ଉକ୍ତ ସ୍ଥାନରେ ମଧ୍ୟ ଏକ ଓଭରବ୍ରିଜ ନିର୍ମାଣ ନେଇ ଶ୍ରୀ ଧଳ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଚିଙ୍ଗୁଡିପୁର ଠାରେ ଏକ ଅଣ୍ଡରପାଶ୍ ସହ ଭଦ୍ରକର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ମୋଟେଲ ଛକ ଓ ଡାହାଣିଗଡିଆ ଛକ ଠାରେ ଓଭରବ୍ରିଜ ଏବଂ ରାଣୀତାଲ ଠାରେ ଅଣ୍ଡରପାଶ୍ ନିର୍ମାଣ ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଶ୍ରୀ ଧଳ ଦାବି ଜଣାଇଛନ୍ତି । 

0
0
0
s2sdefault