ହେଡଲାଇନସ୍:

  ଭାରତ ଏହାର ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳର ଗଭୀର ଶୋକ

ଭୁବନେଶ୍ୱର : ଭାରତବର୍ଷର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଶେଷ ସମ୍ମାନ ଜଣାଇ ଗଭୀର ଶୋକପ୍ରକଟ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବାଜପେୟୀଙ୍କ ପରଲୋକରେ ମୁଁ ଗଭୀର ଭାବେ ମର୍ମାହତ । ଭାରତ ଏହାର ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଲା । ତାଙ୍କୁ ସାରା ଦେଶ ଭଲ ପାଉଥିଲା ଏବଂ ଓଡ଼ିଶାବାସୀ ମଧ୍ୟ ଭଲ ପାଉଥିଲେ । ମୁଁ ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସ୍ୱର୍ଗତ ବାଜପେୟୀ ୧୯୭୭ ମସିହାରେ ମୋରାର୍‍ଜୀ ଦେଶାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ ଏବଂ ଜନଜନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସେ ଘନିଷ୍ଠ  ସହଯୋଗୀ ଥିଲେ । ଓଡ଼ିଶାବାସୀ ଓ ବିଜୁବାବୁଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିଲା । ସ୍ୱର୍ଗତ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ଓଡ଼ିଶା ଜନଗଣଙ୍କ ନେତା  ନବୀନ ପଟ୍ଟନାୟକ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ । ଓଡ଼ିଶାର ଭୟାବହ ମହାବାତ୍ୟା, ପରବର୍ତ୍ତୀ ପୁନରୁଦ୍ଧାରରେ ତାଙ୍କର ବଳିଷ୍ଠ  ଯୋଗଦାନ ଥିଲା । ଅଜାତଶତ୍ରୁ ସ୍ୱର୍ଗତ ବାଜପେୟୀଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଉଥିଲେ । ତାଙ୍କ ବିୟୋଗ ଭାରତବର୍ଷର ଜନଜୀବନରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା ଅପୂରଣୀୟ ବୋଲି ବିଜୁ ଜନତା ଦଳର ରାଜ୍ୟ ଉପ-ସଭାପତି  ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ସେହିପରି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ  ଅଟଳ ବିହାରୀ ବାଜପେୟୀ ସ୍ୱାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ଦୂରଦୃଷ୍ଟିସଂପନ୍ନ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ । ଦରଦୀ ଓ ଅମାୟିକ ରାଜନେତା ରୂପେ ସେ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ । ସେ ଥିଲେ ସ୍ୱାଧୀନ ଭାରତର ଇତିହାସରେ ଜଣେ ବିକାଶ ପୁରୁଷ ଓ ସକାରାତ୍ମକ ରାଜନୈତିକ ସଂସ୍କୃତିର ନିର୍ମାତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ବିକାଶ କାର୍ଯ୍ୟକ୍ରମକୁ ସେ ଉତ୍ସାହ ଓ ସହଯୋଗ ପ୍ରଦାନ କରିଥିଲେ । ସ୍ୱର୍ଗତ ବାଜପେୟୀଙ୍କ ପରଲୋକ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ମହାନ୍‍ ଆତ୍ମାର ସଦ୍‍ଗତି କାମନା କରୁଛନ୍ତି ।

 

 

0
0
0
s2sdefault