ହେଡଲାଇନସ୍:

ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର ବିମାନବନ୍ଦରରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ

ମୋଦି ସରକାରରେ ଓଡ଼ିଆ ସମ୍ମାନିତ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କଲା ବେଳେ ଭାବବିହ୍ୱଳ ହୋଇଛନ୍ତି । ଭାଷଣ ଆରମ୍ଭରୁ ବିଜେପିର କାର୍ଯ୍ୟକର୍ତାଙ୍କ ଉଦ୍ଦେଶ୍ୟରେ ‘ମୁଁ ଆପଣ ମାନଙ୍କ ଭିତରୁ ଜଣେ’ କହି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଆଜି ମୁଁ ଯାହା ବି ହୋଇଛି, ଏଭାରତୀୟ ଜନତା ପାର୍ଟି ପାଇଁ ହୋଇଛି । ମୋର ପରିଚୟ ବିଜେପି । ମୋ ପରି ଜଣେ ଉପାନ୍ତ ଅଂଚଳର ସାଧାରଣ ମହିଳାଙ୍କୁ କାଉନସିଲରରୁ ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଭାବେ ମନୋନୟନ ମୋ ପାଇଁ ଅବର୍ଣ୍ଣନୀୟ । ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମୋ ଭଳି ସାଧାରଣ ଲୋକଙ୍କୁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ପାର୍ଟିର କୋଟି କୋଟି କାର୍ଯ୍ୟକର୍ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ଘରକୁ ଝିଅ ଆସିଲେ ଘର ଯେଭଳି ଉତ୍ସବ ମୁଖର ହୁଏ ସେହିଭଳି ଆଜି ଉତ୍ସବମୁଖର ବାତାବରଣ ଥିଲା, ଏଥିପାଇଁ ମୁଁ ଓଡ଼ିଶା ନିକଟରେ କୃତଜ୍ଞ । ଦେଶର ବିଭିନ୍ନ ରାଜ୍ୟ ବୁଲିବା ବେଳେ ଆଶାରୁ ଅଧିକ ଜନସମର୍ଥନ ଓ ଭଲ ପାଇବା ଦେଖି ଅନୁଭବ ହେଉଛି, ଆମ ପାର୍ଟି ପ୍ରତି ଲୋକଙ୍କର ଅନେକ ଅପେକ୍ଷା ଅଛି, ସେଥିପାଇଁ ଆମକୁ ଅଧିକରୁ ଅଧିକ ପରିଶ୍ରମ କରି ଲୋକଙ୍କ ସେବାରେ ନିୟୋଜିତ ହେବାକୁ ପଡ଼ିବ ।
ସେହିପରି ରାଜ୍ୟ ଅତିଥି ଭବନରେ ସାଂସଦ ଓ ବିଧାୟକ ଦଳ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଦେଶର ପ୍ରଧାନ ସେବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ଦେଶର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡ଼ିଆ ଲୋକ ମୁଖ୍ୟ ଭୂମିକା ନେଇଛନ୍ତି । ରାଜ୍ୟପାଳଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପଦବୀରେ ଆଜି ଓଡ଼ିଆ ସମ୍ମାନିତ । ମୋଦି ସରକାରରେ ପଦ୍ମ ପୁରସ୍କାର ସମେତ ଓଡ଼ିଶାର ମାଣବସା ଗୁରୁବାର, ରାବଣ ଛାୟା, ଛଉ ନୃତ୍ୟ ଆଜି ଜାତୀୟ ସ୍ତରରେ ପରିଚୟ ପାଇଛି । ଆଜି ଓଡ଼ିଶାର ଏକ ସାଧାରଣ ଆଦିବାସୀ ପରିବାରରୁ ଦ୍ରୌପଦୀ ମୁର୍ମୁ ଗରିମାମୟ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାକୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିବାରୁ ଶ୍ରୀ ମହାନ୍ତି ଓଡ଼ିଶା ତରଫୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାରମ୍ପରିକ କଳା, ବାଦ୍ୟ, ଯନ୍ତ୍ର, ନୃତ୍ୟ ସହ ହଜାର ହଜାର ଶୁଭେଚ୍ଛୁଙ୍କ ଜନସମାଗମରେ ଭୁବନେଶ୍ୱର ବିମାନବନ୍ଦର କମ୍ପିଥିଲା ।

 

0
0
0
s2sdefault