ହେଡଲାଇନସ୍:

 "ଅନ୍ଧାରରେ ଉଜ୍ଜ୍ଵଳା, ମିଛ ଡିଣ୍ଡିମ ପିଟୁଛି ବିଜେପି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂସଦରେ ତ ସତ ଜଣ| ପଡିଗଲା, ଓଡିଶାବାସୀଙ୍କୁ ଆସି ଉତ୍ତର ଦିଅନ୍ତୁ ମନ୍ତ୍ରୀ ମହୋଦୟ ସତ କଣ :  ପ୍ରତାପ 

 

ଭୁବନେଶ୍ୱର(ଶାପ୍ରବ୍ୟୁ): ଭାରତୀୟ ଜନତା ପାର୍ଟି ନିକଟରେ ଦାବି କରିଛି ଯେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତର ୫କୋଟି ମହିଳାଙ୍କୁ ଏଲ୍‍ପିଜି ଗ୍ୟାସ୍‍ ସଂଯୋଗ ଦିଆଯାଇଛି । ତଦ୍ଦ୍ୱାରା  ଯେଉଁ ମହିଳାମାନେ ଚୁଲିରେ ରୋଷେଇ କରୁଥିଲେ ସେମାନେ ଧୂଆଁରୁ ରକ୍ଷା ପାଇ ସ୍ୱଚ୍ଛ ପରିବେଶ ମଧ୍ୟରେ ରୋଷେଇ କରିପାରିବେ । ଏହା ଏକ ସଫଳ ଯୋଜନା ବୋଲି ମଧ୍ୟ କେନ୍ଦ୍ର ସରକାର ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ମାରି ନିଜ ଢୋଲ ନିଜେ ପିଟୁଥିଲେ । ଆମେ ଅତୀତରେ ମଧ୍ୟ ଏହି ଯୋଜନା ଦେଶରେ କେତେ ସଫଳତା ହାସଲ କରିଛି, ସେ ବିଷୟରେ ପ୍ରଶ୍ନ କରିଥିଲୁ । ଯେଉଁ ମହିଳା ବା ହିତାଧିକାରୀଙ୍କ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ, ପ୍ରକୃତରେ ସେମାନେ ଲାଭବାନ ହେଉଛନ୍ତି କି?  କିନ୍ତୁ ମାନ୍ୟବର କେନ୍ଦ୍ର ତୈଳ ମନ୍ତ୍ରୀ କହିଥିଲେ ଯେ ଯଦି ଏ ପ୍ରଶ୍ନ ସଂସଦରେ ପଚରାଯାଏ, ତେବେ ଆମେ ତା’ର ଉତ୍ତର ଦେବୁ । ଏ ବିଷୟରେ ବାରମ୍ବାର ସଂସଦରେ ପ୍ରଶ୍ନ ଉଠାଯାଇଥିଲା, କିନ୍ତୁ କୌଣସି ଉତ୍ତର ମିଳିନଥିଲା । ଚଳିତ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୧୭୨୫ ନଂରେ ପଚରାଯାଇଥିଲା ଯେ ଓଡ଼ିଶାରେ କେତେଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆର୍ଥିକ  ବର୍ଷ ୨୦୧୬-୧୭ ଏବଂ ୨୦୧୭-୧୮ରେ କେତେଜଣ ହିତାଧିକାରୀ ଦ୍ୱିତୀୟଥର ପାଇଁ ଗ୍ୟାସ୍‍ ସିଲିଣ୍ଡର ଭରିଛନ୍ତି?

ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ତାଙ୍କ ଘରୋଇ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଆର୍ଥିକ  ବର୍ଷ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ଥିକ  ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି ଏବଂ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଂଚିଛି  । ଏଠାରେ ଦେଖାଯାଉଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି ବରଂ ବଢ଼ୁନାହିଁ । ଗଣମାଧ୍ୟମରେ ବିଜେପି ଏହି ଯୋଜନାକୁ ସଫଳ ଯୋଜନା ବୋଲି ପ୍ରଚାର କରୁଛି ଯାହା ବାସ୍ତବରେ ଭୁଲ । ଯଦି ହିତାଧିକାରୀ ରିଫିଲ୍‍ ନେବା ପାଇଁ ଆସୁନାହିଁ, ପ୍ରକୃତପକ୍ଷେ ଏହି ଯୋଜନା ବିଫଳ ବୋଲି ଧରାଯିବ । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଯାହା ଜଣାପଡୁଛି, ହିତାଧିକାରୀ ଥରେ ଚୟନ ହେଲା ପରେ ସେ ଆଉ ଦ୍ୱିତୀୟଥର ପାଇଁ ରିଫିଲ୍‍ ନେଉନାହିଁ । ସମୁଦାୟ ହିସାବକୁ ଦେଖିଲେ ସର୍ବାଧିକ ୨୫ରୁ ୩୦ ପ୍ରତିଶତ ହିତାଧିକାରୀ ରିଫିଲ୍‍ ନେଉଛନ୍ତି, ବାକି ୭୦/୭୫ ପ୍ରତିଶତ ଲୋକ ନେଉନାହାନ୍ତି । ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଦ୍ୱିତୀୟ ରିଫିଲ୍‍ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି । ସବ୍‍ସିଡି ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରୀ ଯଦି ୫/୭ ମାସ ପରେ ତା’ର ସବ୍‍ସିଡି ଅର୍ଥ ପାଇବ, ତେବେ ସେ ପର୍ଯ୍ୟନ୍ତ କ’ଣ ବଜାର ଦର ଅନୁସାରେ ରିଫିଲ୍‍ କିଣିବ? ବିଜୁ ଜନତା ଦଳ ଆରମ୍ଭରୁ କହିଥିଲା ଯେ ଯେହେତୁ ଏହା ବ୍ୟାଙ୍କ ଏବଂ ଇଣ୍ଟରନେଟ୍‍ ସହିତ ଜଡ଼ିତ, ତେଣୁ ଏହି କ୍ଷେତ୍ରକୁ ସୁଦୃଢ଼ କରାଯାଉ । ଏଠାରେ ପ୍ରମୁଖ କଥା ହେଲା, ହିତାଧିକାରୀ ଚୟନ । ଏହି ହିତାଧିକାରୀ ଚୟନକୁ ନେଇ ଅତୀତରେ ଅନେକ ତର୍କ ବିତର୍କ ସୃଷ୍ଟି ହୋଇଛି । ହିତାଧିକାରୀଙ୍କୁ ଚୟନ କରି କିଏ ବଣ୍ଟନ କରିବ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା । ସେତେବେଳେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ବଣ୍ଟା ଯିବ, କିନ୍ତୁ ସେଭଳି କରାଗଲା ନାହିଁ । ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବିଜେପିର ନେତାମାନେ ନିଜେ ଚୟନ କଲେ, ଆଇଓସିଏଲ୍‍ କାର୍ଯ୍ୟକ୍ରମ ଆୟୋଜନ କଲା ଏବଂ ଏମାନେ ବାଣ୍ଟିଲେ । ଯଦି ବିଜେପିର ନେତାମାନେ ଚୟନ କଲେ ଏବଂ ବାଣ୍ଟିଲେ, ତେବେ ସେହି ହିତାଧିକାରୀମାନେ ପୁନର୍ବାର ଆସୁନାହାନ୍ତି କାହିଁକି? ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା ବୋଲି ଏଥିରୁ ପ୍ରମାଣିତ ହୋଇଛି । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହିଁ । ଏଠାରେ ବିଜୁ ଜନତା ଦଳ ଆଶା ରଖୁଛି, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ବିଷୟରେ ସଠିକ୍‍ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦେବେ ଯେ ବାସ୍ତବ ଚିତ୍ର କ’ଣ? ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏଭଳି ଯୋଜନାକୁ କେନ୍ଦ୍ର କରି ଯେଉଁ ବାତାବରଣ ସୃଷ୍ଟି କରିଛି, ଜନସାଧାରଣ ଠିକଣା ସ୍ଥାନରେ ତା’ର ଉଚିତ୍‍ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ   ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

 

0
0
0
s2sdefault