ହେଡଲାଇନସ୍:

ପଞ୍ଚାୟତ ନିର୍ବାଚନରେ ଆମର ସିଟ୍ କମିଛି , ହେଲେ ଜନସମର୍ଥନ କମିନି : ସମୀର ମହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ , ପରାଜୟର କରିବୁ ନିଖୁଣ ତର୍ଜ୍ଜମା

  • ପୌର ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି, ନିଶ୍ଚିତ ଫଳ ଭଲ ହେବ

ଭୁବନେଶ୍ୱର : ପଂଚାୟତ ନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ନିର୍ବାଚନ ଫଳାଫଳକୁ ନେଇ ଦେଇଛି ପ୍ରତିକ୍ରିୟା | ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରିବା ସହ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଥିଲେ ମଧ୍ୟ ଦଳ ପ୍ରତି ଜନସମର୍ଥନ କମିନାହିଁ ବୋଲି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି |
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି " ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତିରାଜ ନିର୍ବାଚନରେ ବିଜେପି ଦଳ ଉପରେ ଭରସା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ପଂଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଥିଲେ ମଧ୍ୟ ଦଳ ପ୍ରତି ଜନସମର୍ଥନ କମିନାହିଁ । ଏହି ନିର୍ବାଚନରେ ଦଳକୁ ୬୩ଲକ୍ଷ ୨୩ହଜାର ୭୪୬ଭୋଟ୍ ମିଳିଛି, ଯାହା ମୋଟ ଭୋଟର ୩୦.୦୭ପ୍ରତିଶତ । ଏହି ନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରିଥିବା ଦଳର କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ।ଏହା ସହ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଉଛି । ନିର୍ବାଚନ ସମୟରେ ସଂଗ୍ରାମ କରି ବଳିଦାନ ଦେଇଥିବା କାର୍ଯ୍ୟକର୍ତ୍ତା ଓ ଆହତ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ପଞ୍ଚାୟତ ନିର୍ବାଚନରେ ମିଳିଥିବା ଫଳାଫଳକୁ ଆମେ ଗୁରୁତ୍ୱର ସହ ସମୀକ୍ଷା କରିବୁ । ଦଳର ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବୁ । କଣ କଣ ଭୁଲ ହେଲା ତାହାର ନିଖୁଣ ତର୍ଜମା କରି ଏ ଦିଗରେ ଆଗାମୀ ଦିନର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ । ଦଳ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ।"
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି "ଆସନ୍ତା ପୌର ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି ଓ ନିଶ୍ଚିତ ଭଲ ପ୍ରଦର୍ଶନ କରିବ। ବିଜେପି ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସମୃଦ୍ଧି ପାଇଁ ଲଢ଼େଇ କରୁଛି ଏବଂ ଆଗକୁ ମଧ୍ୟ କରୁଥିବ। ବିଜେପି ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ପାଇଁ ସଂଗ୍ରାମ ଜାରୀ ରଖିବ |" ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହର ଓ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ |

0
0
0
s2sdefault