ହେଡଲାଇନସ୍:

ବିଜେଡି ହେଉଛି ‘ଲଲିପପ୍’ର ସରକାର : ଅରୁଣ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ବି ଯୋଗାଇ ଦେଇ ପାରୁନାହାଁନ୍ତି ରାଜ୍ୟସରକାର

 ମୁଖ୍ୟମନ୍ତ୍ରୀ ଖୋଦ୍ ଆମ ଗାଁ ଆମ ବିକାଶ ମାଧ୍ୟମରେ ପିସିକୁ ପୋତ୍ସାହନ ଦେଉଛନ୍ତି

 ଦୀର୍ଘ ୧୯ ବର୍ଷ ଶାସନ ସତ୍ୱେ ରାଜ୍ୟରେ ୩୪ ଲକ୍ଷ ଭୋକିଲା ଥିବା ମୁଖ୍ୟମନ୍ତ୍ରୀ ନିଜେ ପରୋକ୍ଷରେ ସ୍ୱୀକାର କରିବା ହିଁ ଶାସକ ବିଜେଡିର ସବୁଠୁ ବଡ ବିଫଳତା

 ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଭଳି ବିଜେପି ଶାସିତ ରାଜ୍ୟରେ ୨୪ ଘଂଟିଆ ବିଜୁଳି ଲୋକମାନଙ୍କୁ ଯୋଗାଇ ଦିଆଯାଉଛି

 ଧାନ କିଣିବା ସମୟରେ ରାଜ୍ୟସରକାର ଚାଷୀଙ୍କୁ ବୋନସ ଦିଅନ୍ତୁ

 ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି

 ଗାଁ ମାନଙ୍କରେ ଥିବା ଅଙ୍ଗନବାଡି କର୍ମୀମାନଙ୍କ ଠାରୁ ପିସି ଆଦାୟ କରାଯାଉଛି

 ବିଜେପି କାର୍ଯ୍ୟକର୍ତାମାନେ ବୁଥ ସ୍ତରରେ କ୍ଷିପ୍ର ଗତିରେ କାର୍ଯ୍ୟ କରୁଛନ୍ତି

ଭୁବନେଶ୍ୱର(manasi mishra)  : ରାଜ୍ୟସରକାର ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ପାରୁନାହାଁନ୍ତି । ଦୀର୍ଘ ୧୯ ବର୍ଷ ଧରି ବିଜେଡି ସରକାର ବ୍ୟାପକ ଭଷ୍ଟ୍ରାଚାର କରିଚାଲିଛି । ପିସି ବନ୍ଦ କରିବା କଥା କହୁଥିବା ମୁଖ୍ୟମନ୍ତ୍ରୀ ଖୋଦ୍ ଆମ ଗାଁ ଆମ ବିକାଶ ମାଧ୍ୟମରେ ପିସିକୁ ପୋତ୍ସାହନ ଦେଉଛନ୍ତି । ବିକାଶର କାର୍ଯ୍ୟ ପାଇଁ ଟେଣ୍ଡର ହେଉନାହିଁ । ଗାଁ ଗାଁରେ ବିଜେଡିର ନେତାଠୁ ଆରମ୍ଭ କରି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତେ ଦଲାଲି କରି ଚାଲିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ବିଜେପି ପ୍ରଭାରୀ  ଅରୁଣ ସିଂ ଅଭିଯୋଗ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ  ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କୌଣସି ଜନପ୍ରତିନିଧୀମାନଙ୍କୁ ସାମିଲ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏହି ଯୋଜନାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ପରିଚାଳନା କରୁଥିବାବେଳେ ଏହା ମାଧ୍ୟମରେ ବ୍ୟାପକ ଭ୍ରଷ୍ଟାଚାର ହେଉଛି । ପଂଚାୟତ ସଭ୍ୟ, ସରପଂଚ,ୱାର୍ଡ ମେମ୍ବର, ଏପରିକି ବିଧାୟକମାନଙ୍କୁ ଏଥିରେ ନିବୃତ ରଖାଯାଉଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମ ସଭା ନକରି ସିଧାସଳଖ ବିଜେଡି ଦଳୀୟ ନେତାଙ୍କୁ ଦେଇ ୩ ପ୍ରତିଶତରୁ ୧୦ ପ୍ରତିଶତ ପିସି ଆଦାୟ କରାଯାଉଛି । ଗାଁ ମାନଙ୍କରେ ଥିବା ଅଙ୍ଗନବାଡି କର୍ମୀମାନଙ୍କ ଠାରୁ ପିସି ଆଦାୟ କରାଯାଉଛି । ଅନ୍ୟ ପଟେ ସରକାର ଠିକାଦାରମାନଙ୍କୁ ପୋଷି ଚାଲିଛନ୍ତି ବୋଲି  ଶ୍ରୀ ସିଂ ଅଭିଯୋଗ କରିଛନ୍ତି । 

ରାଜ୍ୟରେ ୧୯ ବର୍ଷ ମଧ୍ୟରେ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି । ସେଥିପାଇଁ ବିଜୁ ଯୁବ ବାହିନୀ ନାମରେ ଏକ ଯୋଜନା କରି ନବୀନ ସରକାର ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛନ୍ତି । ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଜେଡି ସରକାର ପୁଣି ଥରେ ଏକ ବିଭ୍ରାନ୍ତିକର ଯୋଜନା କରି ଯୁବକମାନଙ୍କୁ ପ୍ରତାରଣା କରିବାକୁ ଉଦ୍ୟମ କରୁଛି । ଗତ ୨୦୦୯ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ‘ଗ୍ରାମ ସାଥୀ’ ନାମରେ ଏକ ଯୋଜନା କରି ଲକ୍ଷ ଲକ୍ଷ ଲୋକଙ୍କୁ ସାମିଲ କରାଇଥିଲା । ସେହିପରି ୨୦୧୪ ନିର୍ବାଚନ ସମୟରେ ‘କୃଷକ ସାଥୀ’ନାମରେ ଏକ ଯୋଜନା କରି ରାଜ୍ୟସରକାର ସମାନ ନୀତି ଆପଣେଇଥିଲେ । ଆଉ ଏବେ ବିଜୁ ଯୁବ ବାହିନୀରେ କିଛି ଦଳୀୟ ଯୁବକମାନଙ୍କୁ ସାମିଲ କରି ସେମାନଙ୍କୁ କିଛି ଅର୍ଥ ଦେଇ ‘ଲଲିପପ୍’ ଧରାଇଛନ୍ତି । ବିଜେଡି ହେଉଛି ବାସ୍ତବରେ  ‘ଲଲିପପ୍ର ସରକାର’ ବୋଲି ଶ୍ରୀ ସିଂ କହିଛନ୍ତି ।

ରାଜ୍ୟରେ ବିଦୁ୍୍ୟତର ଘୋର ଅଭାବ ଦେଖା ଦେଇଛି । ରାଜ୍ୟର ସବୁ ଅଂଚଳରେ ଅଘୋଷିତ ବିଦୁ୍ୟତ୍ କଟ୍ ହେଉଛି । ରାଜ୍ୟ ସରକାର ଏହାର ସମାଧାନ କରିପାରୁ ନାହାଁନ୍ତି । ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଭଳି ବିଜେପି ଶାସିତ ରାଜ୍ୟରେ ୨୪ ଘଂଟିଆ ବିଜୁଳି ସେବା ଲୋକମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି । 

ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବା ପାଇଁ ଡାକ୍ତର ନାହାଁନ୍ତି । ମାଗଣା ଔଷଧ ବଂଟନ କରୁଥିବାର ଦାବି କରୁଥିବା ସରକାର ଗରିବ ରୋଗୀମାନଙ୍କୁ ଔଷଧ ଯୋଗାଇ ପାରୁନି ଏବଂ ଯାହା ବି ମିଳୁଛି ତାହା ପୁଣି ନିମ୍ନ ମାନର ଔଷଧ ବୋଲି ପ୍ରମାଣିତ ହୋଇଛି । ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ଫେଲ୍ ମାରିଛନ୍ତି ।  ସବୁ ସ୍ଥାନରେ ଆମ୍ବୁଲାନ୍ସ ପହଂଚି ପାରୁନଥିବାରୁ ସାଧାରଣ ଲୋକ ମେଡିକାଲ ଚିକିତ୍ସାରୁ ବଂଚିତ ହେଉଛି ବୋଲି ଶ୍ରୀ ସିଂ କହିଛନ୍ତି । 

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗରେ ଉତର ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ଶାସକ ବିଜେଡିର ଦୀର୍ଘ ୧୯ ବର୍ଷ ଶାସନ ସତ୍ୱେ ରାଜ୍ୟରେ ୩୪ ଲକ୍ଷ ଭୋକିଲା ଥିବା ମୁଖ୍ୟମନ୍ତ୍ରୀ ନିଜେ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହା ହିଁ ଶାସକ ବିଜେଡିର ସବୁଠୁ ବଡ ବିଫଳତା ବୋଲି ଶ୍ରୀ ସିଂହ କହିଛନ୍ତି ।

ରାଜ୍ୟରେ ଚାଷୀମାନେ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି । ରାଜ୍ୟ ସରକାର ଚାଷୀମାରଣ ନୀତି ଅବଲମ୍ବନ କରୁଛନ୍ତି । ମଧ୍ୟପ୍ରଦେଶ ସରକାର ଚାଷୀଙ୍କମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି । ଠିକ୍ ସେହିପରି ନବୀନ ସରକାର ଓଡିଶାରେ ଲାଗୁ କରିବା ପାଇଁ ବିଜେପି ଦାବି କରୁଛି । ଏଥି ସହ ଧାନ କିଣିବା ସମୟରେ ରାଜ୍ୟସରକାର ଚାଷୀଙ୍କୁ ବୋନସ ଦିଅନ୍ତୁ ବୋଲି ଶ୍ରୀ ସିଂହ ଦାବି କରିଛନ୍ତି । 

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି କାର୍ଯ୍ୟକର୍ତାମାନେ ବୁଥ ସ୍ତରରେ କ୍ଷିପ୍ର ଗତିରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ବିଜେପି ସଙ୍ଗଠନର ଶକ୍ତି ୧୦ ଗୁଣା ବୃଦ୍ଧି ପାଇଛି । ପ୍ରତିଦିନ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ଯୋଡି ହେଉଛନ୍ତି । ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ବିଜେପି ତୃଣମୂଳସ୍ତରରେ ପହଂଚାଉଛି । ଓଡିଶାବାସୀ ବିଜେଡିକୁୁ ପ୍ରତ୍ୟାଖାନ କରିବା ଆରମ୍ଭ କଲେଣି । ଶ୍ରୀ ସିଂହ ଦୁଇ ଦିନିଆ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲା ଗସ୍ତ କରି ଧରି ସାଙ୍ଗଠନିକ ବୈଠକରେ ଯୋଗଦେଇ ତୃଣମୂଳସ୍ତରରେ ହେଉଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ଅବଗତ ହୋଇଥିବାର କହିବା ସହ ଆଗାମୀ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଦେଇଥିବା ମିଶନ ୧୨୦+ ଲକ୍ଷ ଓଡିଶାରେ ନିଶ୍ଚିତ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault