ହେଡଲାଇନସ୍:

ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

"ଆକର୍ଷିତ କଲା ନବୀନଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ"

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ କୋରାପୁଟ, ମାଲକାନଗିରି ପର୍ଯ୍ୟବେକ୍ଷକ ଥିବା ଚନ୍ଦ୍ରସାରଥି ବେହେରାଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେଡି ହାତ ଧରିଛନ୍ତି ।
ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ଶ୍ରୀ ନାଗରାଜ ଦୋରା । ଶ୍ରୀ ଦୋରା ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଏବେ ବିଜେପିର ସକ୍ରିୟ ସଦସ୍ୟ ଥିଲେ । ଏଥି ସହିତ ଶ୍ରୀ ଦୋରା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପିସିସି ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିଭଳି କୋରାପୁଟ ଜିଲ୍ଲା କଂଗ୍ରେସ କିଷାନ ସେଲ୍‍ର ପୂର୍ବତନ ସଭାପତି ଦାୟିତ୍ୱରେ ଥିଲେ । ବିଜେଡିରେ ମିଶିଥିବା ଆଉ ଜଣେ ଟାଣୁଆ ନେତା ହେଲେ ନିରଞ୍ଜନ ପ୍ରଧାନ । ଶ୍ରୀ ପ୍ରଧାନ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତି ଥିବାବେଳେ ପୂର୍ବତନ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱରେ ଥିଲେ । ସେ ମଧ୍ୟ ଆତ୍ମାର ପୂର୍ବତନ ସଭାପତି । ବିଜେଡି ହାତ ଧରିଥିବା ଆଉ ଜଣେ ବରିଷ୍ଠ ନେତା ହେଲେ ବୋରିଗୁମ୍ମା ବ୍ଲକର କୋଟପାଡ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ ।

ଏଥିସହିତ ସେ ବୋରିଗୁମ୍ମା ବ୍ଲକ ଛାତ୍ର କଂଗ୍ରେସର ସଭାପତି ଓ ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ । ସେ ମଧ୍ୟ ନବରଙ୍ଗପୁର ସାଂସଦଙ୍କ ବୋରିଗୁମ୍ମା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲାର ଏହି ତିନି ବରିଷ୍ଠ ନେତା ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି ।

0
0
0
s2sdefault