ହେଡଲାଇନସ୍:

ଟିଟୋ- ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ଯାଜପୁର/ଧର୍ମଶାଳା  :  ରାଜ୍ୟରେ ଯେଉଁ ଆଙ୍ଗୁଠି ଗଣତି ତହସିଲରେ ସର୍ବାଧିକ ରାଜସ୍ୱ ଲୁଟ ହୋଇଛି ତା ଭିତରେ ଧର୍ମଶାଳା ଅନ୍ୟତମ । ଏଠାରେ କେତେ କଳାପଥର ପାହାଡ ମାଟିରେ ମିଶିଲାଣି ତ ଅନ୍ୟ କେତେକ ମାଟିରେ ମିଶିବାକୁ ଯାଉଛି । ଉନ୍ନୟନ କାର୍ଯ୍ୟରେ କଳାପଥରର ବେଶ ଚାହିଦା ଥିବା ବେଳେ ଧର୍ମଶାଳାରେ ଏହି କାରବାରରେ ପଞ୍ଝା ମାରିଥିଲେ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । ସେଥିପାଇଁ ପ୍ରଥମ ଉଦ୍ୟମ ସ୍ୱରୂପ ନିଜ ପସନ୍ଦର ତହସିଲଦାରଙ୍କୁ ଏଠାକୁ ବଦଳି କରି ଆଣି ଟିଟୋ ଚଲାଇଥିଲେ ନିଜର ଲୁଟ ଅଭିଯାନ । ଆଉ ଏହି ଲୁଟ ଅଭିଯାନ ପଛରେ ରହିଆସିଛି ଧର୍ମଶାଳାର କ୍ଷମତାସୀନ ନେତାଙ୍କ ପ୍ରଚ୍ଛନ୍ନ ସହଯୋଗ । 

ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ ଥିବା କଳାପଥର ପାହାଡ ଓ ନଦୀବାଲି ଖାଦାନ ଗୁଡିକରେ ଧର୍ମଶାଳାର ତକ୍ରାଳୀନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ରାଜୁତି ଥିଲା । କଳ୍ପତରୁଙ୍କ ପରଲୋକ ପରେ ତାଙ୍କର ପୁଅ ପ୍ରଣବ ବଳବନ୍ତରାୟ କ୍ଷମତାକୁ ଆସିବା ପରେ ସମାନ ଅବସ୍ଥା ହୋଇଛି । ସତେ ଯେପରି ଏଠାରେ ପାହାଡ ଓ ବାଲି ଖାଦାନ ଗୁଡିକର ମାଲିକ ଓଡିଶା ସରକାର ନୁହନ୍ତି ବରଂ ନିର୍ଦ୍ଧିଷ୍ଟ କ୍ଷମତାସୀନ ନେତାଙ୍କ ପରିବାର । ଦୈନିକ ବହୁକୋଟି ଟଙ୍କାର ଲାଭ ଖବର ପାଇବା ପରେ ଟିଟୋ ମଧ୍ୟ ଏହି କାରବାରରେ ହସ୍ତକ୍ଷେପ କରିବା ଆରମ୍ବ କଲେ । ପ୍ରଥମେ ପ୍ରଥମେ ଶାସକ ଦଳ ନେତାଙ୍କ ସମର୍ଥକଙ୍କ ସହ ଟିଟୋ ସାମ୍ରାଜ୍ୟର ସାମାନ୍ୟ ମନାନ୍ତର ହୋଇଛି । ହେଲେ ପରେ ମିଳିମିଶି ଲୁଟିବାକୁ ସମାଧାନର ପନ୍ଥା ବି ବାହାରିଲା । ଉଭୟ ଗ୍ୟାଙ୍ଗଷ୍ଟାର ଓ କ୍ଷମତାସୀନ ନେତାଙ୍କ ମହାମେଣ୍ଟ ପାଇଁ ଡଙ୍କାରୀ ପାହାଡରୁ କଳାପଥର ଲୁଟ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା କ୍ରାଇମବ୍ରାଂଚ ତଦନ୍ତ ବି ନିଷ୍ପ୍ରଭ ହୋଇଛି । ଏହି କାରଣରୁ ଅତୀତରେ ଜେନାପୁର ଥାନାରେ ବୋମାମାଡ ହୋଇଥିବା ବେଳେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳଙ୍କ ବାରମ୍ବାର ଦାବିପତ୍ର ଅନୁସାରେ ଏହି ଲୁଟ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଅନେକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ନିର୍ଦ୍ଦେଶକୁ ବି ପ୍ରଶାସନ କେଉଁଠି ଚାପି ଦେଇଛି ତ ଅନ୍ୟ କେଉଁଠି ପଥର ମାଫିଆଙ୍କ ମନ ମୁତାବକ ରିପୋର୍ଟ ପ୍ରଦାନ କରିଛି । ବାହୁବଳୀ ଏବଂ କ୍ଷମତାସୀନଙ୍କ ମହାମେଂଟ ବଳରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି କଳେ ବଳେ କୌଶଳେ ଏଠାରେ ବେଆଇନ ପଥର ବ୍ଲାଷ୍ଟିଂ ନେଇ ଯେତେ ଅଭିଯୋଗ ଓ ଜନଅସନ୍ତୋଷ, ଆନ୍ଦୋଳନକୁ ଚାପି ଦିଆଯାଇଛି । 

ଲୁଟ ପାଇଁ ହୋଇଥିବା ଏହି ମହାମେଂଟରୁ ବାଲି ଖାଦାନ ବି ବାଦ ପଡିନି । ଧର୍ମଶାଳା ତହସିଲ ନାକତଳେ ଥିବା ଅନେକ ବାଲି ଖାଦାନରୁ ଲକ୍ଷ ଲକ୍ଷ ଟ୍ରିପ ବାଲି ରାଜ୍ୟ ବାହାରକୁ ଚାଲିଯାଇଛି । କେବଳ ଲୁଟ କରିବା ପାଇଁ ନିଜକୁ ଶାସକ ଦଳର ଆଗୁଆ ସଂଗଠକ ବୋଲାଉଥିବା କେତେକ କର୍ମୀ ବି ମାଲେମାଲ ହୋଇଛନ୍ତି । ଏହି ଅପରାଧ ଗ୍ୟାଙ୍ଗରେ ପରୋକ୍ଷ ସଂପୃକ୍ତି ଥାଇ ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଅର୍ଜନ କରିଛନ୍ତି ।  

ରାଜ୍ୟ ତଥା ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା, ପାହାଡ ପର୍ବତ ଓ ପରିବେଶର ସୁରକ୍ଷା, ରାଜସ୍ୱ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅନେକ ନିର୍ଦ୍ଦେଶକୁ ଏଠାରେ ଅଣଦେଖା କରିବାରେ ଧର୍ମଶାଳା ତହସିଲଦାର  ହିଁ ମୁଖ୍ୟ ପୁରୋଧା ସାଜିଛନ୍ତି ବୋଲି ଏ ଅଂଚଳରେ ଅଭିଯୋଗ ହେଉଛି | ନହେଲେ ଏଭଳି ବେଆଇନ ଲୁଟ ଚାଲିଥିବା ବେଳେ ତହସିଲଦାର ବାବୁ କାର୍ଯ୍ୟାନୁଷ୍ଠାନ କେତେ ନେଇଛନ୍ତି ???  ରକ୍ଷକ ହୋଇ ଭକ୍ଷକ ସାଜିଥିବା ଏଭଳି ପ୍ରଶାସକ ମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଖାତର କରୁ ନଥିବା ବେଳେ ବେଆଇନ କାରବାରରୁ ବହୁକୋଟି ଟଙ୍କା ଆୟ କରିଛନ୍ତି । ଏହି କାରବାରରେ ସଂପୃକ୍ତ ଥିବା ପ୍ରଶାସକମାନେ କେବଳ ଯେ ଅର୍ଥ କମାଇଛନ୍ତି, ତାହା ନୁହେଁ ବରଂ ବିଭିନ୍ନ ପ୍ରକାର ଆପତ୍ତି ଜନକ କାର୍ଯ୍ୟରେ ସଂପୃକ୍ତ ରହି ଯାବତୀୟ ଅୟସ ମଧ୍ୟ କରିଛନ୍ତି । ଚଣ୍ଡୀଖୋଲରେ ଏକ ବଡ ହୋଟେଲରେ ଆପତ୍ତି ଜନକ ଅବସ୍ଥାରେ ସଂପୃକ୍ତ ଅଧିକାରୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଡଙ୍କାରୀ ପାହାଡ ପରିସରରେ ଥିବା ଶୀତତାପ ନିୟନ୍ତ୍ରିତ କୋଠରୀରେ ମଧ୍ୟ ଆପତ୍ତି ଜନକ କାର୍ଯ୍ୟରେ ଅଧିକାରୀ ମାନଙ୍କୁ ଦେଖିବାକୁ ମିଳିଛି । 

ନବୀନ ପଟ୍ଟନାୟକ ସରକାର ଅପରାଧ ଦମନ କରିବା କ୍ଷେତ୍ରରେ କଠୋର ପଦକ୍ଷେପକୁ ସାଧାରଣରେ ପସନ୍ଦ କରାଯାଉଛି । ଏହି ସମୟରେ ମହିମା ମିଶ୍ର, ଡି ବ୍ରଦର୍ସଙ୍କ ଠାରୁ ଆରମ୍ବ କରି ଶୁର, ସାରଥୀଙ୍କ ପ୍ରସଙ୍ଗ ଏହାର ଦୃଷ୍ଟାନ୍ତ ହୋଇଛି । ଠିକ ସେହିପରି ଟିଟୋ ଅପରାଧ ଦମନ ପ୍ରକିୟା ସାଧାରଣରେ ନବୀନ ସରକାରକୁ ଗ୍ରହଣୀୟ କରିଛି ।  ବିରୋଧୀ ମାନେ ଏହି ତଦନ୍ତ ପ୍ରକିୟାକୁ ନେଇ ନାନା ପ୍ରଶ୍ନବାଚୀ ଉଠାଉଥିବା ବେଳେ ସରକାର ଏ କ୍ଷେତ୍ରରେ ଅଧିକ ନୀରପେକ୍ଷ ଏବଂ କଠୋର ହେବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ଟିଟୋ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ ଚାଲିଥିବା ବେଳେ ଟିଟୋର ଧର୍ମଶାଳା ଲିଙ୍କ ନେଇ କୌଣସି ଚଢାଉ ହୋଇନାହିଁ । ଏଥିପାଇଁ ଟିଟୋର ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । 

0
0
0
s2sdefault