ହେଡଲାଇନସ୍:

୧ରେ ରାସ୍ତାରୋକୋ ଆନ୍ଦୋଳନ ନ କରିବ ଟାଉନ କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୌଳିକ ସମସ୍ୟାର ସମାଧାନ କଲାନାହିଁ ପ୍ରଶାସନ

 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ),- ପୁରୁଣାବଜାର ଅଞ୍ଚଳର ୧୬ଟି ୱାର୍ଡ ଓ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କର ପ୍ରମୁଖ ମୌଳିକ ଦାବିକୁ ନେଇ ପୁରୁଣାବଜାର ଅଞ୍ଚଳର କାଉନସିଲର, ବିୁଦ୍ଧିଜୀବୀମାନେ ଜିଲ୍ଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏବଂ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁଙ୍କ ନେତୃତ୍ୱରେ ଗତ ୫ ତାରିଖ ଦିନ ଜିଲ୍ଲାପାଳ, ଏସପି, ପୌରପାଳିକା ନିର୍ବାହୀ ଅଧିକାରୀ, ସିଡିଏମ୍ଓ, ଜିଲ୍ଲାଶିକ୍ଷାଧିକାରୀ, ଟାଉନ ଥାନାଅଧିକାରୀ, ପୁରୁଣାବଜାର ଥାନା ଅଧିକାରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।  ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ  ପ୍ରଶାସନକୁ ଚେତାବନୀ ଦିଆ ଯାଇଥିଲେ ମଧ୍ୟ ପ୍ରଶାସନ ଦୀର୍ଘ ୨୦ ଦିନ ବିତିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ  । ଯାହା ପାଇଁ ବାଧ୍ୟ ହୋଇ ଟାଉନ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖ ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଛକ ନିକଟରେ ରାସ୍ତାରୋକ କରାଯିବ ବୋଲି ନିଷ୍ପତ୍ତି  ଗ୍ରହଣ କରାଯାଇଛି ବୋଲି ମଲ୍ଲିକ ମଇଦାନରେ ଟାଉନ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଯୋଗ ଦେଇ ପୁରୁଣାବଜାର ଅଞ୍ଚଳର ରାସ୍ତା, ଡ୍ରେନ ନିର୍ମାଣ, ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗାଣ, ଶିକ୍ଷାନୁଷ୍ଠାନ ମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ପୁରୁଣାବଜାରରେ ଥିବା ଏ.ଆର୍.ପି. ଡାକ୍ତରଖାନାରେ ଦୀର୍ଘ ୧୦/୧୨ବର୍ଷ ଧରି ସ୍ଥାୟୀ ଡାକ୍ତର ନାହାନ୍ତି । ଡେପୁଟେସନରେ କେତେବେଳେ ଡାକ୍ତର ଆସୁଛନ୍ତି ତ କେତେବେଳେ କମ୍ପାଉଣ୍ଡର ରୋଗୀକୁ ସେବା ଯୋଗାଉଛନ୍ତି । ପୁରୁଣାବଜାର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ବେଳେ ଏହି ଡାକ୍ତରଖାନାରେ ଏକ ଆମ୍ବୁଲାନ୍ସ ମଧ୍ୟ ନାହିଁ । ତେଣୁ ଏହି ଡାକ୍ତରଖାନାକୁ ସ୍ଥାୟୀ ଡାକ୍ତର ଓ ଆମ୍ବୁଲାନ୍ସ ଯୋଗାଣ ପାଇଁ ଦାବି କରାଯାଇଥିଲା । ପୁରୁଣାବଜାର ଅଞ୍ଚଳର ରାସ୍ତା ଓ ଡ୍ରେନ ଅବସ୍ଥା ଅତ୍ୟନ୍ତ ଶୋଚନୀୟ  । ରାସ୍ତାସବୁ ଖାଲଖମାରେ ଭର୍ତ୍ତି । ଯାହା ପାଇଁ ଦୁର୍ଘଟଣା ବହୁ ସମୟରେ ଘଟୁଛି । ଏହି ଅଞ୍ଚଳର ଜଳ ନିଷ୍କାସନ ସମସ୍ୟା ମଧ୍ୟ ବହୁ ଅଧିକ । ଡ୍ରେନ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ସେହିପରି ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସାତ ସପନ । କି ଦିନ କି ରାତି ନିୟମିତ ବିଦ୍ୟୁତ କାଟ ଜନସାଧାରଣଙ୍କ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରୁଛି । ସନ୍ଧ୍ୟା ହେଲେ ପିଲାମାନେ ପାଠ ପଢି ପାରୁ ନାହାନ୍ତିି କି ଘରେ ରହୁଥିବା ବୟସ୍କ ବୟସ୍କା ରୋଗୀ ରୋଗ ଶଯ୍ୟାରେ ପଡି ଗରମରେ ଛଟପଟ ହେଉଛନ୍ତି । କାମ ଚାଲିଛି ବୋଲି କହି ବିଭାଗୀୟ ଅଧିକାରୀମାନେ ଖସି ଯାଉଛନ୍ତି । ସେହିପରି ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ  ନାରାୟଣଚନ୍ଦ୍ର ହାଇସ୍କୁଲ ସମତେ ଅଞ୍ଚଳରେ ଥିବା ପ୍ରାଥମିକ,ଉଚ୍ଚ ପ୍ରାଥମିକ, ନୋଡାଲ ସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଯାହା ଫଳରେ ଛାତ୍ରଛାତ୍ରୀମାନେ ପାଠପଢାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନାହାନ୍ତି । ଯାହା ପାଇଁ ବାଧ୍ୟ ହୋଇ ଟାଉନ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖ ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଛକ ନିକଟରେ ରାସ୍ତାରୋକ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ନରେନ ପଲେଇ, କାଉନସିଲର ଦିଲିପ ନାୟକ, ସେକ୍ ସମ୍ଦାନୀ, ଅତୁଲ୍ୟ ନାୟକ, ସେକ୍ ଗୁଲାମୁଦ୍ଧିନ, ଅସ୍ରଫ ଅଲ୍ଲୀ ଖାଁ, ଅଜଗର୍ ଖାଁ, ସେକ୍ ସୁରାଜୁଦ୍ଧିନ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ନିର୍ମଳ ମହାପାତ୍ର, ତାହେର ମହମ୍ମଦ ଖାଁ, ରାଜୁ ପ୍ରଧାନ, ସେକ୍ ଜଫିରୁଦ୍ଧିନ. ସେକ୍ ଏକ୍ବାଲ୍, ସେକ୍ ଅଖତର ଅଲ୍ଲୀ, ସେକ୍ ଜୁଲଫିକର, ସଇଦ୍ ଖାଁ, ସୁଲେମାନ୍ ଖାଁ, ଅବଦୁଲ୍ ଫରିଦ୍ ଘାଁ, ଅମିତ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।  

0
0
0
s2sdefault