ହେଡଲାଇନସ୍:

ସାନିଟାରି ନ୍ୟାପକିନ, ଜଙ୍ଗଲଜାତ ଦ୍ରବ୍ୟ ଓ ମୂର୍ତି ହେଲା ଜିଏସଟି ମୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର  : ଦେଶରେ ଗରୀବଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଲେ ଯାଇ ଦେଶର ସଠିକ ବିକାଶ ହୋଇପାରିବ । ଏହାକୁ ଉପଲବ୍ଧ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଗରିବଙ୍କ ହିତ ଓ ବିକାଶ ପାଇଁ ପ୍ରତିଶୃତିବଦ୍ଧ । ଗତ ୨୧ ତାରିଖରେ ଅନୁଷ୍ଠିତ  ୨୮ତମ ଜିଏସଟି କାଉନସିଲ ବୈଠକରେ ନିଆଯାଇଥିବା ଐତିହାସିକ ନିଷ୍ପତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । କାଉନସିଲ ବୈଠକର ନିଷ୍ପତି କ୍ରମେ ବିଭିନ୍ନ ଦ୍ରବ୍ୟ ଉପରେ ଲାଗୁ ହୋଇଥିବା ପୂର୍ବ ନିର୍ଦ୍ଧାରିତ ଟିକସ ଦରକୁ ହ୍ରାସ କରାଯାଇଛି । ଏହା ଫଳରେ ସାଧାରଣ ଜନତା ଉପକୃତ ହୋଇପାରିବେ । ବିଶେଷ ଭାବେ ସାନିଟାରୀ ନ୍ୟାପକିନ ଜିଏସଟି ମୁକ୍ତ ହେବା ଦ୍ୱାରା ଦେଶର କୋଟି କୋଟି ମହିଳାମାନେ ଉପକୃତ ହୋଇଛନ୍ତି । ସେହିପରି ଶାଳ ଓ ଶିଆଳି ପତ୍ର ଏବଂ ସେଥିରୁ ଉତ୍ପାଦନ  ହେଉଥିବା ଖଲି ଓ ଦନା, ସବାଇ ଘାସରୁ ନିର୍ମିତ ଦୈାଡି, ଫୁଲ ଝାଡୁ, ପଥର–ମାର୍ବଲ –କାଠ ନିର୍ମିତ ମୂର୍ତି, ରାକ୍ଷୀ ଆଦିକୁ ମଧ୍ୟ ଜିଏସଟି ମୁକ୍ତ କରାଯାଇଛି । ଏହି କାରଣରୁ ଆଦିବାସୀବହୁଳ ରାଜ୍ୟ ଭାବେ ପରିଚିତ ଓଡିଶାର ଜଙ୍ଗଲ ଉପରେ ନିର୍ଭର କରି ବସବାସ କରୁଥିବା କୋଟି କୋଟି ଆଦିବାସୀ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ୱଚ୍ଛତା ବୃଦ୍ଧି ପାଇବ । ମୟୁରଭଂଜ, ସୁନ୍ଦରଗଡ, କୋରାପୁଟ, ରାୟଗଡା, କନ୍ଧମାଳ, ଫୁଲବାଣୀ ଭଳି ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ଗରୀବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ସେମାନଙ୍କ ବିକାଶ ସହ ଯୋଡି ହେବାରେ ସହାୟକ ହୋଇପାରିବ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି ।

ମହିଳା ଏବଂ ଆଦିବାସୀଙ୍କ ହିତରେ ଗ୍ରହଣ କରାଯାଇଥିବା ଏଭଳି ଐତିହାସିକ ନିଷ୍ପତିକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ  ପିୟୁଶ ଗୋଏଲଙ୍କୁ ରାଜ୍ୟ ବିଜେପି ତରଫରୁ ଶ୍ରୀ ମହାପାତ୍ର ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault