ହେଡଲାଇନସ୍:

ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ
 ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ
 କ୍ଷମା କରିବେ ନାହିଁ ରାଜ୍ୟବାସୀ
 ପ୍ରତ୍ୟାଖ୍ୟାତ ନେତାଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଗତ କିଛି ବର୍ଷ ହେଲା ରାଜ୍ୟ ବିଜେପି ଶାଳୀନତାର ସବୁ ସୀମା ଲଙ୍ଘି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛି । ଆଜି ବିଜେପି ନେତାମାନେ ରାଜ୍ୟବାସୀଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଅଶାଳୀନ ଭାଷାରେ ଚିଠି ଲେଖିଛନ୍ତି ତାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଘୋର ବିରୋଧୀ ଏବଂ ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।
ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାର ରାଜନୀତିରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ଅନେକ ବାର ମତାନ୍ତର ଓ ବିତର୍କ ହୋଇଛି । ବିରୋଧୀ ଦଳ ଶାସକ ଦଳକୁ ସମାଲୋଚନା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । କିନ୍ତୁ କେବେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଜନୈତିକ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରି ନାହାନ୍ତି । ମାତ୍ର ଗତ କିଛି ବର୍ଷ ହେଲା ରାଜ୍ୟରେ ବିରୋଧୀ ଆସନରେ ବସିଥିବା ବିଜେପି ଏହି ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ଭୁଲି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳକୁ ବିରୋଧ କରିବା ଲାଗି ଅତି ନିମ୍ନ ସ୍ତରକୁ ଓହ୍ଲାଇ ଯାଇଛି ।
ଏହାର ଉଦାହରଣ ଦେଇ ଶ୍ରୀମତୀ ମଲ୍ଲିକ ଦର୍ଶାଇଛନ୍ତି ଯେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିବାବେଳେ ବିଜେପି ପକ୍ଷରୁ ତାଙ୍କ ଉପରେ ବୋତଲ ମାଡ଼ ହୋଇଥିବାବେଳେ ସଭାମଞ୍ଚକୁ ଚପଲ ଫିଙ୍ଗା ଯାଇଥିଲା । ସେହିଭଳି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ଯଜ୍ଞ କର୍ମ ସାରି ଫେରୁଥିବାବେଳେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ବିଜେପି କର୍ମୀମାନେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ପଛାଇ ନଥିଲେ । ଧର୍ମ ନାଁରେ ରାଜନୀତି କରୁଥିବା ବିଜେପିର ଏଭଳି କୁକାର୍ଯ୍ୟ ରାଜ୍ୟବାସୀଙ୍କ ଧର୍ମୀୟ ଭାବନାକୁ କୁଠାରାଘାତ କରିଥିଲା । ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ଜଗନ୍ନାଥ ମନ୍ଦିରର ସେବାୟତମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରି ବିରୋଧ ପ୍ରଦର୍ଶନ କରିଥିଲେ ।
ମାତ୍ର ବାରମ୍ବାର ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରି ନିନ୍ଦିତ ହେଉଥିବା ବିଜେପି ଏଥିରୁ କିଛି ଶିଖିଲା ଭଳି ମନେ ହେଉନାହିଁ । ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଚିଠି ଲେଖି ବିଜେପି ନେତାମାନେ ସେମାନଙ୍କ ନିମ୍ନ ରୁଚି, ବିକୃତ ସଂସ୍କାର ଓ ନକାରାତ୍ମକ ମାନସିକତାର ପରିଚୟ ଦେଇଛନ୍ତି ଏବଂ ଶାଳୀନତାର ସବୁ ସୀମା ଲଂଘି ଯାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତି ଓ ଉଚ୍ଚ ପରମ୍ପରାରେ ବିଶ୍ୱାସ କରୁଥିବା ସାଢେ଼ ଚାରି କୋଟି ସ୍ୱାଭିମାନୀ ଓଡ଼ିଆ ବିଜେପିର ଏଭଳି ଅଶୋଭନୀୟ ଆରରଣ ଓ ଉଚ୍ଚାରଣକୁ କେବେ ହେଲେ କ୍ଷମା ଦେବେନାହିଁ । ଓଡ଼ିଶାବାସୀଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିବା ବିଜେପିକୁ ଏହା ନିଶ୍ଚିତ ମହଙ୍ଗା ପଡ଼ିବ । ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

0
0
0
s2sdefault