ହେଡଲାଇନସ୍:

୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନ ଜୋରଦାର ହେବ : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବିଜେପିର ରାଜ୍ୟ ନେତୃବୃନ୍ଦ ନେଉଛନ୍ତି ମିଛର ସାହାରା, ବାଢ଼ୁଛନ୍ତି ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି"

ଭୁବନେଶ୍ୱର: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ଏହି ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି | ଆସନ୍ତା ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଯଦି ଗ୍ୟାସ୍ ଦର ନ କମାନ୍ତି ତେବେ ଦଳ ତରଫରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି |
ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨. ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆ ଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଥିବା କାରଣରୁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି |
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ , ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବରଷିବ ସହ କହିଛନ୍ତି "ବିଶ୍ବର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍‌ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ। ୨୦୧୪ରେ ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ଗ୍ୟାସର ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା। ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢ଼ି ୯୩୦ ଟଙ୍କା ଛୁଇଁଲାଣି। କରୋନା ଭଳି ସଂକଟ ବେଳେ ପ୍ରତି ମାସରେ ୨୫/ ୫୦ / ୭୫ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି। ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଆଉ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି। ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ।"
ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ" କେନ୍ଦ୍ର ସରକାର ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି ହ୍ରାସ କରିବେ କଣ, ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଂଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାଢ଼ୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ନେଚୁରାଲ ଗ୍ୟାସ୍‌ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଦର ବଢ଼ୁଛି। ମାତ୍ର ବାସ୍ତବତା ହେଲା; ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନେଚୁରାଲ ଗ୍ୟାସ‌ର ଦର ୬ ଡଲାର/ ବିଟିୟୁ (ବ୍ରିଟିଶ୍‌ ଥର୍ମାଲ ୟୁନିଟ୍‌) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି। ଠିକ୍‌ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍‌ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି। ଉଭୟ ନେଚୁରାଲ ଗ୍ୟାସ୍‌ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍‌ ଦର ୧୨୩ % ବଢ଼ିବାର ଯଥାର୍ଥତା କେଉଁଠି? "
" ଅନୁରୂପ ଭାବେ ଉଜ୍ଜ୍ବଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି। ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ବପ୍ନ ଦେଖାଇଥିଲେ। ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥଲେ। ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ବଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳାମାନେ ସିଲିଣ୍ଡରରେ ଗ୍ୟାସ୍‌ ପୂରାଇ ନ ପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି। ଏ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ତାହା ସେମାନେ ବୁଝି ସାରିଲେଣି। ତେଣୁ ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ" ବୋଲି ବିଜେଡି ନେତୃବୃନ୍ଦ ଚେତାଇ ଦେଇଛନ୍ତି |
ଦଳ ତରଫରୁ କୁହାଯାଇଛି ଯେ " ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ବାର୍ଥରକ୍ଷା ପାଇଁ କାମ କରି ଆସୁଛି। ଏହି ପରିପ୍ରେକ୍ଷୀରେ ଗ୍ୟାସ‌ର ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା। ୨୨, ୨୩, ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି, ତାହା ଅଭୂତପୂର୍ବ। ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ। ଏଥି ସହିତ କେନ୍ଦ୍ର ସରକାରକୁ ପୁଣିଥରେ ଚେତାବନୀ ଦେଉଛୁ କି ଯଦି ସରକାର ଆଗାମୀ ୩୦ ତାରିଖ ଭିତରେ ଗ୍ୟାସ୍‌ ଦର କମାଇବାକୁ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।"
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ନେତ୍ରୀ ଏଲିନା ଦାସ ଓ ଇପ୍ସିତା ସାହୁ ଉପସ୍ଥିତ ଥିଲେ |

0
0
0
s2sdefault