ହେଡଲାଇନସ୍:

 ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-03-18-bijay.jpg - 35.99 kB ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି । ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି । ଏହି କାରଣରୁ ବିଜୁ ଜନତା ଦଳ ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କରିଛି । ଏହି କକ୍ଷତ୍ୟାଗ ଉଭୟ ଏନ୍‍ଡିଏ ଓ ୟୁପିଏ ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜୁ ଜନତା ଦଳର ୧୯ଜଣ ମାନ୍ୟବର ସାଂସଦ ହୃଦୟଙ୍ଗମ କରି କକ୍ଷତ୍ୟାଗ କରିଥିଲେ । ଏଭଳି ଏକ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଓ ବିଜେପିର ଏକ ଡ୍ରାମା । ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ୟୁପିଏ ଯାହା, ଏନ୍‍ଡିଏ ମଧ୍ୟ ତାହା । ସେଥିପାଇଁ ବିଜେଡି ଉଭୟ ଦଳ ଠାରୁ ସମଦୂରତ୍ୱ ରକ୍ଷା କରିଆସୁଛି । ଏହି ନିଷ୍ପତ୍ତିକୁ ଆଜି ବିଜେଡି ସଂସଦରେ ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛି । ୟୁପିଏ ସରକାର ଅମଳରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ । ଆଶା ଥିଲା, ଏନ୍‍ଡିଏ ସରକାର ଆସିଲା ପରେ ଏଥିରେ କିଛି ପରିବର୍ତ୍ତନ ଘଟିବ । କିନ୍ତୁ ଏନ୍‍ଡିଏ ସରକାରଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟରେ ଏହା ପ୍ରତିଫଳିତ ହେଲା ନାହିଁ । ବରଂ ଏନ୍‍ଡିଏ ସରକାରଙ୍କ ଅମଳରେ ଓଡ଼ିଶାର ସ୍ୱାର୍ଥକୁ ଚରମ ଉପେକ୍ଷା କରାଗଲା । ଏନ୍‍ଡିଏ ସରକାରଙ୍କ ଓଡ଼ିଶା ବିରୋଧୀ ପାତର ଅନ୍ତର ନୀତି ଓଡ଼ିଶାର ଜନଗଣଙ୍କୁ ଗଭୀର ଭାବେ ମର୍ମାହତ କରିଛି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା ପାଇଁ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା । କିନ୍ତୁ ସରକାରକୁ ଆସିବା ପରେ ଏବେ ପଛଘୁଞ୍ଚା ଦେଉଛି । ସେହିପରି କଂଗ୍ରେସ ସରକାର ମଧ୍ୟ ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସଫା ସଫା ମନା କରିଦେଇଥିଲା । ସେହିପରି ୟୁପିଏ ସରକାର ପୋଲାଭରମ୍‍କୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ବେଳେ ଏନ୍‍ଡିଏ ସରକାର ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ପ୍ରକଳ୍ପ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ହେଁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍‍ ଲଗାଇବା ପାଇଁ ଏନ୍‍ଡିଏ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଖାଲି ସେତିକି ନୁହେଁ, ୟୁପିଏ ସରକାରର ସହଯୋଗ ଓ ସମର୍ଥନରେ ଛତିଶଗଡ଼ ସରକାର ବେଆଇନ୍‍ ଭାବେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶାକୁ ମରୁଭୂମି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ଏନ୍‍ଡିଏ ସରକାର ସେଥିରେ ମଧ୍ୟ ରୋକ୍‍ ଲଗାଇବାକୁ ଅସମର୍ଥ । କିନ୍ତୁ ବିଜେଡି ସରକାରଙ୍କ କ୍ରମାଗତ ଲଢେ଼ଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏହିସବୁ ପ୍ରସଂଗରେ ଉଭୟ ୟୁପିଏ ଓ ଏନ୍‍ଡିଏ ସରକାର ଓଡ଼ିଶା ପ୍ରତି ଗତ ୧୪ବର୍ଷ ହେଲା ଯେଉଁ ଅବହେଳା ପ୍ରଦର୍ଶନ କରିଆସିଛନ୍ତି, ତା’ର ପ୍ରତିବାଦରେ ଆଜି ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡିର ମାନ୍ୟବର ସାଂସଦମାନେ କକ୍ଷତ୍ୟାଗ କରିବା ଯଥାର୍ଥ ବୋଲି ଶ୍ରୀ ନାୟକ କହିଛନ୍ତି ।

 

0
0
0
s2sdefault