ମମିତାକୁ ନ୍ୟାୟ ମିଳିବ ତ : ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି"

ଝାରସୁଗୁଡା: ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭାମଂଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି । ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି । ମମିତାକୁ ନ୍ୟାୟ ମିଳିବ କି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ସାରା ଓଡ଼ିଶା ମମିତାର ନ୍ୟାୟ ପାଇଁ ଲଢ଼ୁଛି । ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ସଭାସ୍ଥଳରେ ପାଖରେ ବସାଇ ମୁଖ୍ୟମନ୍ତ୍ରୀ କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି ? ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କ ଉପରେ ଆଶୀର୍ବାଦର ହାତ ରଖି ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଉଦ୍ୟମ କରିନାହାଁନ୍ତି କି?
ଅଞ୍ଜନା ମିଶ୍ର ମାମଲାରେ ଜାନକୀ ପଟ୍ଟନାୟକ ଠିକ୍ ଏହିକଥା ଭାବି ତତ୍କାଳୀନ ଆଡ଼ଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ସୁରକ୍ଷା କବଚ ହୋଇଥିଲେ । ସେତେବେଳେ ଇନ୍ଦ୍ରଜିତଙ୍କ ସୁରକ୍ଷା କବଚ ଜାନକୀ ଏବଂ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷା କବଚ ନବୀନ । ଅଞ୍ଜନା ମିଶ୍ର ଘଟଣାରେ ନବୀନ ବାବୁଙ୍କ ଦଳର ନାରା ଥିଲା “ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ବାବୁ ଆଉ କିଏ”? ମମିତା ପ୍ରସଙ୍ଗରେ ନାରା କ’ଣ ହେବ, ମୁଖ୍ୟମନ୍ତ୍ରୀ କହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଖୋଦ୍ ମୁଖ୍ୟମନ୍ତ୍ରୀ ଭବାନୀପାଟଣାକୁ ଯାଇଥିଲେ । ସେଠାରେ ଲୋକମାନଙ୍କ ସହ ମଶିବା ତ ଦୂର କଥା ସିଧା ସିଧା ଭାଷଣ ଦେଲେ ନାହିଁ । ପୂର୍ବରୁ ପ୍ରସ୍ତୁତ କରିଥିବା ଭାଷଣ ଭିଡ଼ିଓକୁ ଚଲାଇ ଲୋକମାନଙ୍କୁ ବୋକା ବନାଯାଇଥିଲା ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି ପ୍ରେସମିଟରେ ଉଲ୍ଲେଖ କରିଛନ୍ତି ।
ଏହି ଅବସରରେ ପୂର୍ବତନ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବରଗଡ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault