ହେଡଲାଇନସ୍:

ମମିତା ମେହେର ଅପହରଣ ଓ ହତ୍ୟା ବିରୋଧରେ ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା ହୋଇଥିବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି ।
ଏହି ବନ୍ଦ-ଡାକରା ଆଜି ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଥିଲା । ଫଳରେ ବସ ଚଳାଚଳ ବନ୍ଦ ସମେତ ଟେକ୍ସି , ଅଟୋ , କାର , ଟ୍ରକ ପ୍ରଭୃତି ଚଳାଚଳ ବନ୍ଦ ରହିଥିଲା ।
ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ ବିଭାଗ କାର୍ଯ୍ୟାଳୟ , ସରକାରୀ , ବେସରକାରୀ ଶିକ୍ଷାନୁଷ୍ଠାନ , ଦୋକାନ ବଜାର , ବ୍ୟବସାୟିକ ପ୍ରତିଷ୍ଠାନ , ସମସ୍ତ ବ୍ୟାଙ୍କ ଓ ଡାକଘର , ପେଟ୍ରୋଲ ବାଙ୍କ ପ୍ରଭୃତି ବନ୍ଦ ରହିଥିଲା ।
ଦଳୀୟ ନେତା ଓ କର୍ମୀ ମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ଲୋଗାନ ମାନ ଦେଇ ପିକେଟିଂ କରି ବନ୍ଦ କରିଥିବା ବେଳେ ବିଭିନ୍ନ ଛକ ରାସ୍ତା ମାନଙ୍କରେ ମଟର ସାଇକଲ ରଖି ରାସ୍ତା ଅବରୋଧ କରିଥିଲେ ।
ଏ ସମ୍ପର୍କରେ ଗଜପତି ଜିଲ୍ଲା ଭାଜପା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ କହିଛନ୍ତି ଯେ , ଶିକ୍ଷୟତ୍ରୀ ମମିତା ମେହେରର ଅପହରଣ ଓ ହତ୍ୟା ପ୍ରତିବାଦରେ ଜିଲ୍ଲା ଭାଜପା ପକ୍ଷରୁ ଆଜି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହା ଆଜି ସମସ୍ତଙ୍କ ସହଯୋଗରେ ଦିଆ ଯାଇଥିବା ବନ୍ଦ ଡାକରା ସଫଳ ହୋଇଛି। ରାଜ୍ୟରେ ହତ୍ୟା ଓ ଅପହରଣ ବଢିଚାଲିଛି ଏବଂ ଏ ସବୁରେ ମନ୍ତ୍ରୀ ମାନଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ମମିତା ମେହେର ହତ୍ୟା ଓ ମୃତ୍ୟୁ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି । ତେଣୁ ଆମର ଦାବୀ ରହିଛି ଯେ , ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ଗିରଫ କରାଯିବା ସହ ସିବିଆଇ ଦ୍ୱାରା ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କହିଥିଲେ ।
ପାରଳାଖେମୁଣ୍ଡି ଠାରେ ଏହି ବନ୍ଦ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର , ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପି: ଲତା , ସାଧାରଣ ସମ୍ପାଦିକା ଶ୍ରୀମତୀ ଅରୁଣୀମା ସାହୁ , ଯୁବମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ ଜେନା , ଉପସଭାପତି ଶ୍ରୀ ବିଭୁତି ବେହେରା , ରାଜ୍ୟ କାର୍ଯ୍ୟକାରିଣୀର ଶ୍ରୀ ସିଦ୍ଧେଶ୍ବର ମିଶ୍ର , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ବରିଷ୍ଠ ନେତା ଶ୍ୟାମ ପାଣିଗ୍ରାହୀ , ବାରିକ ଜେନା , ମୁଲି ଗୋପାଳ ରାଓ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

0
0
0
s2sdefault