ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଶାସକ ବିଜେଡି ପ୍ରତି ସାଧାରଣ ଓଡିସାବାସୀଙ୍କ କ୍ଷୋଭ ବୃଦ୍ଧି ପାଇଚାଲିଛି ।ନ୍ୟାୟ ପାଇବା ପାଇଁ ସାଧାରଣ ଓଡିଶାବାସୀ ଆଜି ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଛନ୍ତି ।ଆନେ୍ଦାଳନର ଏହି ସ୍ୱରକୁ ସହି ନପାରି ଏହାକୁ ଦମନ କରିବା ପାଇଁ ଶାସକ ବିଜେଡି ସମସ୍ତ ପ୍ରକାରର କଳକୈାଶଳକୁ ଆପଣାଇଛନ୍ତି । ଜନଆକ୍ରୋଶରୁ ନିଜକୁ ରକ୍ଷା କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇବାର ଅପଚେଷ୍ଟା ଜାରୀ ରଖିଛି ।ଛଳନା ଓ ବିଭ୍ରାନ୍ତ କରିବାର ସମସ୍ତ ସୀମା ଶାସକ ବିଜେଡି ପାରି ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଶାସକ ବିଜେଡି ବର୍ତମାନ ଅପରାଧୀମାନଙ୍କୁ କେବଳ ପ୍ରୋତ୍ସାହନ ଦେଉନାହାନ୍ତି, ବରଂ ସେମାନଙ୍କୁ ଅପରାଧ ପରବର୍ତୀ ସୁରକ୍ଷା ଯୋଗାଇ ଦେଉଛନ୍ତି ।ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ଘଂଟ ଘୋଡାଇବା ପାଇଁ ଏବଂ ଏହି ବିଭତ୍ସ ଘଟଣାକୁ ରାଜ୍ୟବାସୀଙ୍କ ଦୃଷ୍ଟିରୁ ଏଡାଇ ଦେବା ପାଇଁ ଶାସକ ବିଜେଡି ‘ଦରଦାମ ବୃଦ୍ଧି’ ନାଟକ ଆରମ୍ଭ କରିଦେଇଛିା ରାଜ୍ୟରେ ପେଟ୍ରୋଲ, ଡିଜେଲ ସମେତ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଁ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କରୋନା ସଂକଟ ସମୟରେ ରାଜ୍ୟ ସରକାର ବର୍ଦ୍ଧିତ କରିଥିବା ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଲାଗୁ କରିଥିବା ଭାଟ୍ କୁ କାହିଁକି ହ୍ରାସ କରୁନାହାନ୍ତି ? ଜିଏସଟି କାଉନସିଲ ବୈଠକରେ ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଜିଏସଟି ଦର ହ୍ରାସ ପ୍ରସ୍ତାବକୁ କାହିଁକି ସମର୍ଥନ କରିନଥିଲା ଶାସକ ବିଜେଡି? ପେଟ୍ରୋଲ ଓ ଡିଜେଲରେ ପ୍ରତି ଲିଟର ପିଛା ହାରାହାରି ୩୯ ଟଙ୍କା ଟିକସ ପାଉଥିବା ରାଜ୍ୟ ସରକାର କାହିଁକି ତାଙ୍କ ଭାଗକୁ ହ୍ରାସ କରୁନାହାନ୍ତି ? ରାଜ୍ୟ ସରକାର ଏହା କରିଲେ ରାଜ୍ୟବାସୀ ଉପକୃତ ହୁଅନ୍ତେ । ଏହା ନକରି ଛାମୁଙ୍କର ଏମିତି ମିଛ ପ୍ରହସନ କଣ ପାଇଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଆଳୁ ମିଶନ, ପିଆଜ ମିଶନ ଭଳି ଅନେକ ମିଶନ ଫେଲ ମାରିଛି । ଶୀତଳ ଭଣ୍ଡାର ଅଭାବ କାରଣରୁ ଖାଦ୍ୟଶସ୍ୟ ସଠିକ ସଂରକ୍ଷଣ ହୋଇପାରୁ ନାହିଁ । କୃଷି ଓ କୃଷି ଭିତିଭୂମି ଯୋଗାଇବାରେ ବିଫଳ ରାଜ୍ୟ ସରକାର ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦାୟୀତ୍ୱହୀନତାର ପରିଚୟ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ସିଧାସଳଖ ଅଭିଯୋଗ କରିଛନ୍ତି ।












