ହେଡଲାଇନସ୍:

ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ଜୋରଦାର ପ୍ରତିବାଦ କରିବ ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂଚନା ଦେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ।

  •  ଅକ୍ଟୋବର ୩୧ରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ବିଜୁ ମହିଳା ଜନତା ଦଳ ।

  •  ନଭେମ୍ବର ୧ରେ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡି କରିବ ପ୍ରତିବାଦ ।

  • ଦରଦାମ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି । ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।
ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି । ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି । ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା । ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା । ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ । ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ ।
ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ ।
କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି । ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି । ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି । ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି ।
କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି । ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ । କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault