ହେଡଲାଇନସ୍:

ଡାହା ମିଛ କହି ପୁଲିସ ତଦନ୍ତକୁ ବାଟବଣା ପାଇଁ କଂଗ୍ରେସ, ବିଜେପିର ଉଦ୍ୟମ: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ପୁଲିସ୍‍ ତଦନ୍ତକୁ ବାଟବଣା କରିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଡାହା ମିଛ କହି ଉଦ୍ୟମ ଚଳାଇଛନ୍ତି । ଆଜି ଦୁଇ ଦଳର ନେତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।
ବିଜେପି ଓ କଂଗ୍ରେସ ନେତାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ଶାସକଦଳର ସଦସ୍ୟ ନୁହନ୍ତି, କଂଗ୍ରେସ ନେତାମାନେ ମଧ୍ୟ ବାରମ୍ବାର ନିମନ୍ତ୍ରିତ ଅତିଥି ଭାବେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ଯାଇଛନ୍ତି । ତକ୍ରାଳୀନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏକାଧିକବାର ଏହି କଲେଜକୁ ଆସିବା ସହିତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୩୬ଲକ୍ଷ ଟଙ୍କା ତାଙ୍କ ସାଂସଦପାଣ୍ଠିରୁ ଯୋଗାଇ ଦେଇଛନ୍ତି । କେବଳ ଭକ୍ତ ଦାସ ନୁହନ୍ତି, ବର୍ତ୍ତମାନର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଅତିଥିଭାବେ ଯୋଗଦେଇଛନ୍ତି । ସେହିଭଳି ସେଠାରେ ଏବେ ସାଂସଦ ଭାବେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା ଅଛନ୍ତି । ସାଂସଦଙ୍କ ପ୍ରତିନିଧି ମଧ୍ୟ ଏହି ମହାବିଦ୍ୟାଳୟର ପରିଚାଳନା କମିଟିରେ ସଦସ୍ୟ ଅଛନ୍ତି । ସେ କ’ଣ ଏଥିପାଇଁ ଦାୟୀ ରହିବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । କୌଣସି କାର୍ଯ୍ୟକ୍ରମକୁ ଅତିଥି ଭାବେ ଯାଉଥିବା ରାଜନେତାମାନଙ୍କ ସହିତ ସମ୍ପୃକ୍ତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଫଟୋ ଉଠାଇଥାନ୍ତି । ସେହି ଫଟୋରେ ଥିବା କୌଣସି କାର୍ଯ୍ୟକର୍ତ୍ତା ଯଦି ଅଭିଯୁକ୍ତ ହୁଅନ୍ତି ସେଥିପାଇଁ ଅତିଥି ଭାବେ ଯୋଗ ଦେଇଥିବା ନେତାଙ୍କୁ କ’ଣ ଦାୟୀ କରାଯିବ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସେହିଭଳି ଅନ୍ୟଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଭିତ୍ତିହୀନ । ପୁଲିସ୍‍ ତଦନ୍ତରେ କୌଣସି ହେଳା କରୁନାହିଁ । ଏହି ଘଟଣାର ତଦନ୍ତ ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ ଚଳାଇଛନ୍ତି । ତାଙ୍କର କେନ୍ଦ୍ରରେ ଏନ୍‍ଆଇରେ କାର୍ଯ୍ୟକରିବାର ମଧ୍ୟ ଅଭିଜ୍ଞତା ରହିଛି ।
ଉଭୟ ଦଳର ନେତା ଏବେ ମହାଲିଙ୍ଗ କଲେଜ ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଭିନ୍ନ ପ୍ରକାର ମନଗଢା କଥା କହୁଥିବାରୁ ଏହା କେବଳ ତଦନ୍ତକୁ ବାଟବଣା କରୁନାହିଁ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧ୍ୟାପକମାନଙ୍କୁ ମଧ୍ୟ ବଦନାମ କରୁଛି । ଓଡିଶାବାସୀ ଏହି ଘଟଣା ଉପରେ ନଜର ରଖିଥିବାରୁ ଗଣମାଧ୍ୟମରେ ନିଜ ନିଜର ସ୍ଥିତି ଜାହିର ପାଇଁ ଏଭଳି ଉଦ୍ଭଟ ମନ୍ତବ୍ୟ ନଦେବାକୁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

0
0
0
s2sdefault