ହେଡଲାଇନସ୍:

"ସାଉଥ୍ ସିଟି ହୋଟେଲ ଓ ବାର୍ କଣ କମିଶନରେଟ ପୋଲିସର ଆଇନ ଓ ନିୟମ ବାହାରେ ?"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନୀଷ ଅନୁରାଗ ହତ୍ୟାକାଣ୍ଡ ମାମଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ତଦନ୍ତ ପରିସରଭୁକ୍ତ ନକରିବାକୁ ନେଇ ବହୁ ସନେ୍ଦହ ସୃଷ୍ଟି ହୋଇଛି: ଦିଲୀପ ମଲ୍ଲିକ

ଭୁବନେଶ୍ୱର :ରାଜଧାନୀ ସମେତ ସମଗ୍ର ରାଜ୍ୟରେ ହିଂସା, ହତ୍ୟାକାଣ୍ଡ, ନିଶା ବେପାର କାରବାର ଓ ବ୍ୟବହାର, ଚୋରୀ, ସାଇବର କ୍ରାଇମ୍, ନାରୀ ନିର୍ଯ୍ୟାତନା ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଏହି କାରଣରୁ ବିଶେଷ ଭାବେ ଓଡିଶାର ଯୁବସମାଜ ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଅଧିକାଂଶ କ୍ଷେତ୍ରରେ ଏ ସମସ୍ତ ଘଟଣାରେ ଶାସକ ବିଜେଡିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ରହିଆସୁଛି । ଅପରାଧ ତତ୍ୱକୁ ପ୍ରୋତ୍ସାହନ କାରଣରୁ ଅପରାଧୀମାନେ ନିର୍ଭୟରେ ଅପରାଧ ଭିଆଉଛନ୍ତି । ‘ରକ୍ଷକ ଯଦି ଭକ୍ଷକ ସାଜେ’, ତାହେଲେ ସାଧାରଣ ଜନତା କାହା ପାଖରୁ ନ୍ୟାୟର ଆଶା ରଖିବେ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ଦିନକୁ ଦିନ ରାଜଧାନୀ ଭୂବନେଶ୍ୱର ସାଧାରଣ ଜନତାଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି । ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟାକାଣ୍ଡ ପ୍ରସଙ୍ଗରେ ଖୁଲାସା କରି ଗତ କାଲି ଭୂବନେଶ୍ୱର ଡିସିପି ଗଣମାଧ୍ୟମକୁ ବିସ୍ତୃତ ସୁଚନା ଦେଇଛନ୍ତି, ଯାହାକି ସଂପୂର୍ଣ୍ଣ ନଥିଲା । ମନୀଷଙ୍କ ହତ୍ୟା କେମିତି ହେଲା, ତାହା ସ୍ପଷ୍ଟ ହେଲା ନାହିଁ ବରଂ ଅନେକ ରହସ୍ୟ ଅସମାହିତ ହୋଇ ରହିଗଲା । ଏଭଳି ଏକ ସଙ୍ଗୀନ ମାମଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ତଦନ୍ତ ପରିସରଭୁକ୍ତ ନକରିବାକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । କିଛି କଥାକୁ ଖୋଦ୍ କମିଶନରେଟ୍ ପୋଲିସ ଲୁଚାଉଥିବା ସନେ୍ଦହ ହେଉଛି । ମନୀଷର ମୋବାଇଲ ଫୋନ୍ କୁଆଡେ ଗଲା ? ବାର୍ରେ ପ୍ରକୃତରେ କଣ ଘଟିଥିଲା ? ବାର୍ରେ କିଏ କିଏ ଉପସ୍ଥିତ ଥିଲେ ? ବାର୍ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି କି ନାହିଁ ? ପୋଲିସ ସମସ୍ତ ଘଟଣା ସ୍ଥଳ ଓ ୩/୪ ଜଣଙ୍କୁ ଗିରଫ କଲା ପରେ ମଧ୍ୟ ହତ୍ୟାର କାରଣ ଓ କେଉଁ ମାନେ ହତ୍ୟାକାରୀ ସ୍ପଷ୍ଟ ନହେବା ପୋଲିସର ତଦନ୍ତ ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ।
କୋଭିଡ୍ କଟକଣା କାରଣରୁ କମିଶନରେଟ୍ ପୋଲିସ୍ ତରଫରୁ କଟକଣା ବଳବତର ରହିଛି । କମିଶନରେଟ ପୋଲିସ ପରିସର ଅଧିନସ୍ଥ ତମାଣ୍ଡୋ ଥାନା ପାଖରେ ଥିବା ସାଉଥ୍ ସିଟି ହୋଟେଲ ଓ ବାର୍ରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନିୟମିତ ଭାବେ ରେଷ୍ଟୁରାଂଟ ଓ ନାଚଗୀତ ଚାଲୁ ରହିବା ସମ୍ଭବ କିପରି ?ସାଉଥ୍ ସିଟି ହୋଟେଲ ଓ ବାର୍ କଣ କମିଶନରେଟ ପୋଲିସର ଆଇନ ଓ ନିୟମ ବାହାରେ ? ଯଦି ନୁହେଁ, ତାହେଲେ କାହା ସୁରକ୍ଷାରେ ସମସ୍ତ କଟକଣା ଓ ଆଇନକୁ ଅମାନ୍ୟ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର୍ ଓ ରେଷ୍ଟୁରାଂଟ ଖୋଲା ଯାଉଥିଲା ? ସାଉଥ୍ ସିଟି ହୋଟେଲ ଓ ବାର୍ ମାଲିକ ଜଣେ ପ୍ରଭାବଶାଳୀ ପୋଲିସ କର୍ମଚାରୀଙ୍କର ବୋଲି ପ୍ରକାଶ ପାଉଥିବାବେଳେ ଏଭଳି ବେନିୟମ କାର୍ଯ୍ୟକଳାପରେ ଆଉ ବହୁତ ଉଚ୍ଚ ଓ ପ୍ରଭାବଶାଳୀ ଅଧିକାରୀଙ୍କ ସଂପୃକ୍ତିକୁ ସ୍ପଷ୍ଟ କରୁଛି । ସାଉଥ୍ ସିଟି ହୋଟେଲ ଓ ବାର୍ ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନକୁ କମିଶନରେଟ ପୋଲିସ ସଠିକ୍ ଜବାବ୍ ନଦେଇ କାହିଁକି ଏଡାଇ ଦେଉଛନ୍ତି ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
‘ପୁଅ ମୁଣ୍ଡରେ ହାତ ଓ ତେଲ ଘଡିରେ ହାତ’ ନ୍ୟାୟରେ ଯଦି କମିଶନରେଟ୍ ପୋଲିସ୍ ତଦନ୍ତ ପ୍ରକ୍ରିୟା ଚାଲୁ ରଖେ, ତେବେ ମନିଷ୍ ହତ୍ୟାକାଣ୍ଡର ସତ୍ୟାସତ୍ୟ କେବେହେଲେ ପଦାକୁ ଆସିବନି ବରଂ ଘଟଣା ରହସ୍ୟ ହୋଇ ରହିଯିବ । ସ୍ୱର୍ଗତଃ ମନୀଷର ଶୋକସନ୍ତପ ପରିବାରବର୍ଗଙ୍କୁ ନ୍ୟାୟ ଦେବାରେ କମିଶନରେଟ ପୋଲିସ ବିଫଳ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

0
0
0
s2sdefault