ହେଡଲାଇନସ୍:

ତୈଳଦର ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିର ଦୁର୍ବାର ପ୍ରତିବାଦ କରିବ କଂଗ୍ରେସ  : ନିରଞ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଆସନ୍ତା ଜୁଲାଇ ୭ ରୁ ୧୭ ରାଜ୍ୟ ବ୍ୟାପି ଆନ୍ଦୋଳନ 

ଭୁବନେଶ୍ୱର- କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା  ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ  ବୃଦ୍ଧି କରିବା ଦ୍ୱାରା ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଏଆଇସିସି ତରଫରୁ ସାରା ଦେଶରେ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଲ  ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି । ଏଆଇସିସି ନିର୍ଦେଶ ମୁତାବକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିମ୍ନଲିଖିତ କାର୍ଯ୍ୟକ୍ରମ ଆସନ୍ତା ମାସ ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆନ୍ଦୋଳନ କରିବାପାଇଁ ନିଷ୍ପତି  କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । 

            ଆସନ୍ତା ତା ୭.୭.୨୦୨୧ ବୁଧବାର ୧୦ ଘଟିକା ସମୟରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ, ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଧାନର କ୍ୟୁଂଟାଲ ପ୍ରତି ଏମ୍‌ଏସପି ୨୯୩୦ ଟଙ୍କାକୁ ବୃଦ୍ଧିକରିବା, ଧାନକିଣିବାର ଟୋକନ ଅବଧିକୁ ଜୁନ-୩୦ ପରିବର୍ତେ ଜୁଲାଇ-୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା, କଟଣୀ ଓ ଛଟଣୀକୁ ସଂପୂର୍ଣ୍ଣ ବାଦ ଦେବା,  ଖରିଫ ଋତୁରେ ସମସ୍ତ ଚାଷୀଭାଇଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଦ୍ରବ୍ୟ ଅବିଳମ୍ବେ ପ୍ରଦାନ କରିବା ଓ ରବି ଋତୁରେ ଚାଷୀଙ୍କର ହଜାର ହଜାର କୁୃଂଟାଲ ଧାନକୁ ନ କଣିବା ଦ୍ୱାରା ଧାନ ଗଜା ହୋଇ ନଷ୍ଟ ହେବା ଫଳରେ ଚାଷୀଙ୍କୁ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନେଇ କେନ୍ଦ୍ର- ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା, ବିକ୍ଷୋଭ କରିବାକୁ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନେ ତୃଣମୂଳସ୍ତରର କର୍ମକର୍ତା ଓ ସାଥିମାନଙ୍କୁ ଏକତ୍ର କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଏହି ଅବସରରେ ବ୍ଲକ କଂଗ୍ରେସ କମିଟିର ସଭାପତିଗଣ ଉକ୍ତ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ସମସ୍ତ ନେତୃମଣ୍ଡଳୀଙ୍କୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ସେ ବିଶେଷ ଅନୁରୋଧ କରିଛନ୍ତି । 

     ସେହିପରି ତା ୯.୭.୨୦୨୧ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲା ଅନ୍ତର୍ଗତ ପୌରପରିଷଦ, ଏନ୍‌.ଏ.ସିରେ ସମସ୍ତ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ, ବିଧାୟକ, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୁରଦର୍ଶୀ ନିଷ୍ପତିକୁ କଡ଼ା ବିରୋଧ କରି ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସମୁହ ଯାତ୍ରା କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ସେହିପରି ପିସିସି ପକ୍ଷରୁ ଜୁଲାଇ ୧୪ ତାରିଖ ବୁଧବାର ଦିବା ୧୦ ଘଟିକାରୁ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସ୍ଥ କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥ ନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର୍ଯ୍ୟନ୍ତ ଯିବ । ଏହି ଅବସରରେ ଦଳର କାର୍ଯ୍ୟକାରୀ ସଭାପତିଗଣ, ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତୃମଣ୍ଡଳୀ, ପିସିସି ଓ ଏଆଇସିସି ସଭ୍ୟଗଣ, ପିସିସିର ପ୍ରାକ୍ତନ ପଦାଧିକାରୀଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକେଷ୍ଠାର ମୁଖ୍ୟ ଓ କର୍ମକର୍ତାମାନଙ୍କୁ ସାଇକେଲ ଯାତ୍ରାରେ ନିଜକୁ ସାମିଲ ହୋଇ ଉଭୟ ସରକାରଙ୍କର ଜନମାରଣ ନୀତିକୁ ପର୍ଦ୍ଦାଫାଶ କରିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି । 

   ସେହିପରି କେନ୍ଦ୍ର ସରକାରଙ୍କ ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆସନ୍ତା ଜୁଲାଇ ୧୭ ତାରିଖ ଶନିବାର ତୃଣମୂଳ ସ୍ତରର କାର୍ଯ୍ୟକର୍ତାଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କ ପର୍ଯ୍ୟନ୍ତ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ନେତା ଓ କର୍ମୀମାନେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ପ୍ରାତଃ ୯ ଘଟିକାରୁ ଦିବା ୧୧ଟା ୩୦ ମି. ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ-୧୯ର ନୀତିନିୟମକୁ ପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି ।

0
0
0
s2sdefault