ହେଡଲାଇନସ୍:

 "ରାଧୁଆ ଭଳି ନିସଂକୋଚରେ କଞ୍ଚା ମିଛ ଗୁଡା କହିବା ଅଭ୍ୟାସରୁ କେନ୍ଦ୍ରମନ୍ତ୍ରୀ ବିରତ ରୁହନ୍ତୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଛ କହୁଛନ୍ତି, ଦଳିତଙ୍କ ଭାବନା ସହ ଖେଳୁଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ :  ବିଜୟ ନାୟକ

03-07-18-bijay.jpg - 72.52 kB

ଭୁବନେଶ୍ୱର : କନ୍ଧମାଳର ଗୁମୁଡୁମାହା ଗୁଳିକାଣ୍ଡ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି । କେବଳ ରାଜନୀତିକ ଉଦ୍ଦେଶ୍ୟ  ରଖି ଆଦିବାସୀ ଓ ଦଳିତ ବର୍ଗର ଲୋକଙ୍କ ଭାବନା ସହ ଶ୍ରୀ ପ୍ରଧାନ ଖେଳିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଅଭିଯୋଗ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଧୁଆ ଭଳି ନିସଂକୋଚରେ କଞ୍ଚା ମିଛ ଗୁଡା କହିବା ଅଭ୍ୟାସରୁ କେନ୍ଦ୍ରମନ୍ତ୍ରୀ ବିରତ ରୁହନ୍ତୁ  ବୋଲି ଶ୍ରୀ ନାୟକ କହିଛନ୍ତି | 

 ଶ୍ରୀ ନାୟକ କହିଛନ୍ତି ଯେ, ଆଦିବାସୀ ଓ ଦଳିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ  ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଥମିକତା ଦେଇଆସିଛି । ୧୮ବର୍ଷର ଶାସନକାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳିତ ଓ ଆଦିବାସୀ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗତ ଦୁଇବର୍ଷ ପୂର୍ବରୁ ଗୁମୁଡୁମାହାରେ ହୋଇଥିବା ଦୁର୍ଭାଗ୍ୟଜନକ ଗୁଳିକାଣ୍ଡ ଘଟଣାକୁ କିଛି ଖଳ ରାଜନୀତିକ ବ୍ୟକ୍ତିବିଶେଷ  ଜାତୀୟ ପ୍ରସଙ୍ଗ କରାଇ ରାଜ୍ୟର ସ୍ୱାର୍ଥ ଓ ସମ୍ମାନକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ତ୍ୱରିତ୍ ପଦକ୍ଷେପ ଯୋଗୁ ଏହି ଗୁଳିକାଣ୍ଡରେ ମୃତ ଓ ଆହତ ପରିବାରଙ୍କ ପ୍ରତି ସମବେଦନା ପ୍ରକଟ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଗୁମୁଡୁମାହା ଗାଁର ସମସ୍ତ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯିବା ସହ ପୀଡ଼ିତ ପରିବାରକୁ ବିଜୁ ପକ୍କାଘର ଯୋଜନାରେ ଗୃହ ପ୍ରଦାନ, ଗାଁରେ ପାନୀୟ ଜଳ ସୁବିଧା କରାଯାଇଥିବା ବେଳେ ଗୁମୁଡୁମାହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ସଂଯୋଗ କରିବା ପ୍ରକ୍ରିୟା ଜାରି ରହିଛି । ଗୁଳିକାଣ୍ଡରେ ମୃତ ୫ଜଣ ବ୍ୟକ୍ତିଙ୍କ ପରିବାରର ସଦସ୍ୟଙ୍କୁ ସ୍ଥାନୀୟ ଆବାସିକ ଆଶ୍ରମ ସ୍କୁଲରେ ରୋଷେୟା- ସହାୟକ ଭାବେ ଚାକିରି ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ମୃତ ସଦସ୍ୟଙ୍କ ପରିବାରକୁ ୭ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯାଇଥିବା ବେଳେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ଏପରିକି ବିଭିନ୍ନସ୍ତରରେ ହୋଇଥିବା ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ଓ ସେଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ମୃତକଙ୍କ ପରିବାରକୁ କିଛି ଅର୍ଥ ସହାୟତା ଛଡ଼ା ରାଜ୍ୟ ସରକାର କିଛି ଦେଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ବରଂ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ବିଭ୍ରାନ୍ତିକର ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତ୍ସାହସ ଅଛି, ତେବେ କରୁଥିବା ଅଭିଯୋଗ ପ୍ରମାଣିତ କରାନ୍ତୁ । ନଚେତ୍‍ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ଏଭଳି ଦାୟିତ୍ୱହୀନ ଓ ଶସ୍ତା ମନ୍ତବ୍ୟ ଦେବାରୁ ନିବୃତ ରୁହନ୍ତୁ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୭ଲକ୍ଷ ଟଙ୍କା ଓ ଚାକିରି ମିଳିଛି କି ନାହିଁ ତାହା ନିଜସ୍ତରରେ ଅନୁସନ୍ଧାନ କଲେ ଶ୍ରୀ ପ୍ରଧାନ ବେଶ୍‍ ଭଲଭାବେ ଜାଣିପାରିବେ । ରାଜନୀତିକ ଉଦ୍ଦେଶ୍ୟ  ରଖି ନିରୀହ ଆଦିବାସୀଙ୍କ ଭାବନା ସହ ଖେଳିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରୁଥିବା ଅପଚେଷ୍ଟାରେ ଆଦୌ ସଫଳ ହେବେ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

 

0
0
0
s2sdefault