ହେଡଲାଇନସ୍:

"ରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ ଓବିସିଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସ୍ଥାନ ସଂରକ୍ଷଣ ଦିଅନ୍ତୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟର ଏସଇବିସି ଓ ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଦିଲ୍ଲୀ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର– ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଖୁବ ଶୀଘ୍ର ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରରେ ଦେଶରେ ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଶିକ୍ଷା  ଓ ନିଯୁକ୍ତିରେ ୧୦ ପ୍ରତିଶତର ସ୍ଥାନ ସଂରକ୍ଷଣ ହୋଇଥିବା ବେଳେ ଏହାକୁ ମଧ୍ୟ ଓଡ଼ିଶାରେ ଲାଗୁ କରିବା ପାଇଁ ମଖ୍ୟମନ୍ତ୍ରୀ ସକରାତ୍ମକ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି  ।

ନୂଆଦିଲ୍ଲୀ ଠାରେ ଗୁରୁବାର ସାମ୍ବାଦିକ ସମ୍ବିଳନୀ ଜରିଆରେ ପୁଣି ଥରେ ଏହି ଦୀର୍ଘଦିନର ଦାବୀକୁ ଦୋହରାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହେବା କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । ଏଥିପାଇଁ ସେ ପୂର୍ବରୁ ତିନି ଥର ଅର୍ଥାତ୍ ଜୁଲାଇ ୨୫,୨୦୧୯, ଜାନୁଆରୀ ୧୫, ୨୦୨୦ ଏବଂ ଡିସେମ୍ବର ୩୧,୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଦାବୀ ତଥା ଓବିସିଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ  ଦୃଷ୍ଟିରୁ ପଛୁଆ ବର୍ଗ ଏସ୍ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି  । ଦେଶରେ ଦୀର୍ଘ ତିନି ଦଶନ୍ଧି ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା ସରକାର କାହିଁକି ଏହି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି  ।

ଦେଶର ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ଜାତିଙ୍କ ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଧିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ମହାରାଷ୍ଟ୍ରରେ ବିଜେପି ସରକାର ବା ଦେବେନ୍ଦ୍ର ଫର୍ଣ୍ଣାଡ଼ିସ କ୍ଷମତାରେ ଥିବା ବେଳେ ରାଜ୍ୟରେ ପଛୁଆ ଶ୍ରେଣୀର ଲୋକମାନଙ୍କ ପାଇଁ ଏପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହାକୁ ମାନ୍ୟବର ବମ୍ବେ ହାଇକୋର୍ଟ ବୈଧ ଭାବରେ ସାମ୍ବିଧାନିକ ଅନୁମତି ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ ।

ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସଇବିସି ବର୍ଗରେ ଚିହ୍ନଟ କରାଯାଇଛି । ଯାହାର ବିଜ୍ଞପ୍ତି ୧୯୯୩ ମସିହାରୁ ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି  । ଏହାର ଅର୍ଥ ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଯେ ଓଡ଼ିଶା ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କର ତାଲିକା ରହିଛି  । ‘ଦାସେ ଆଇଲେ ମୂଳରୁ ଗା' ନୀତିକୁ ଛାଡ଼ି ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରନ୍ତୁ ।

ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ ଏସଇବିସି ତାଲିକା ରହିଛି । ରାଜ୍ୟ ସରକାର ନିଜସ୍ୱ ଏସଇବିସି ତାଲିକା ଏବଂ କେନ୍ଦ୍ରର ଓବିସି ତାଲିକାକୁ ନେଇପାରିବେ ଯାହା ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ପାଇଁ ଉପଯୋଗୀ ହୋଇପାରିବ । ତେଣୁ ବହୁସଂଖ୍ୟକ ସମାଜକୁ ଏହି ସାମ୍ବିଧାନ ଅଧିକାର ପାଇବାରୁ ବଂଚିତ କରାନଯାଉ । 

ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅଧୀନରେ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଥିଲେ ମଧ୍ୟ ଓଡିଶା ସରକାର ସଂରକ୍ଷଣ ବ୍ୟବସ୍ଥା କରୁନାହାନ୍ତି । ଏହା ରାଜନୈତିକ ପ୍ରସଙ୍ଗ ନୁହେଁ, ସାମାଜିକ, ସାମାଜିକ ନ୍ୟାୟ, ସାମାଜିକ ସଶକ୍ତିକରଣ ଓ ସାମାଜିକ ସମରସତାର ପ୍ରସଙ୍ଗ । ତେଣୁ ମୁଖ୍ୟମନ୍ତ୍ରୀ ରାଜନୈତିକ ବାଦବିବାଦରୁ ବାହାରକୁ ଯାଇ ଏସଇବିସି ଓ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ । ଏହା ଦ୍ୱାରା ସମାଜରେ ସାମାଜିକ ଓ ଆର୍ଥôକ ବୈଷମ୍ୟତା ଦୂର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

 

 

 

 

 

0
0
0
s2sdefault