ଏଆଇସିସି ସମ୍ପାଦକ ବିଶ୍ୱରଂଜନ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର(Chakradhar Majhi) : ଖୁବ କମ ବୟସରେ ରାଜନୀତିରେ ଜାତୀୟ ରାଜନୀତିରେ ପ୍ରବେଶ କରି ଓଡିଶା ପାଇଁ ଗର୍ବ ଆଣିଦେଇଥିବା ଦକ୍ଷ ଯୁବନେତା ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଗୁଜରାଟ ସହପ୍ରଭାରୀ ଡଃ ବିଶ୍ୱରଂଜନ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଂଚିବା ପରେ ସେଠାରୁ ସହସ୍ରାଧିକ ଯୁବ, ଛାତ୍ର କଂଗ୍ରେସର କର୍ମକର୍ତା ଓ ସମର୍ଥକମାନେ ଏକ ବିରାଟ ମୋଟରସାଇକେଲ ପଟୁଆରରେ ରାଜ୍ୟ ଅତିଥିଭବନକୁ ପାଛୋଟି ଆଣିଥିଲେ । ପରେ ଶ୍ରୀ ମହାନ୍ତି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଗହଣରେ ଯାଇ ଖୋର୍ଦ୍ଧାସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଓ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତରରେ କହିଥିଲେ ଯେ ସେ ଗୋଟିଏ ସାଧାରଣ ପରିବାରରୁ ଆସିଥିଲା ବେଳେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଉପରେ ଯେପରି ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଗୁଜରାଟ ଭଳି ରାଜ୍ୟର ସହପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି ସେଥିପାଇଁ ଶ୍ରୀ ଗାନ୍ଧିଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।
ସେ ଆହୁରି କହିଥିଲେ ଯେ ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଥିବାବେଳେ ଗୁଜରାଟ ଦାୟିତ୍ୱ ତାଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଦେଶରେ ଏବେ ଯେଉଁ ବିଚାରଧାରାର ଲଢେଇ ଚାଲିଛି କଂଗ୍ରେସ ଗାନ୍ଧିଜୀଙ୍କ ବିଚାରଧାରାରେ ବିଶ୍ୱାସ ରଖିଥିବା ବେଳେ ବିଜେପି ଗଡ୍ସେଙ୍କ ବିଚାରଧାରାକୁ ଆପଣେଇଛି । ଆଚ୍ଛେ ଦିନର ବଂଶୀବାଦନ କରୁଥିବା ବିଜେପି କୋଟି କୋଟି ଟଙ୍କା ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲେ ହେଁ ଏଠାରେ ଯବାନ, କିଷାନ ଓ ନୌଯବାନ ସଂକଟମୟ ପରିସ୍ଥିତିର ସାମ୍ନା କରୁଛନ୍ତି । ଯବାନମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ପୋଷାକ ଯୋଗାଣ କ୍ଷେତ୍ରରେ ସରକାର ନିଅଂଟିଆ ମନୋଭାବ ପୋଷଣ କରୁଛନ୍ତି । ବର୍ତମାନ ଦେଶରେ ସୁଖୀ ସୂଚନାଙ୍କ ଓ କ୍ଷୁଧା ସୂଚନାଙ୍କ ହ୍ରାସ ହୋଇଚାଲିଛି । ଆରବିଆଇ ସର୍ଭେ ରିପୋର୍ଟ ଅନୁସାରେ ୮୦ଭାଗ ଲୋକ ଦରଦାମ୍ର କୁପ୍ରଭାବରେ ପ୍ରଭାବିତ ହେଉଛନ୍ତି । ଓଡ଼ିଶା ରାଜ୍ୟ ସରକାର ମଧ୍ୟ ଯୁବକମାନଙ୍କ ନିଯୁକ୍ତି କ୍ଷେତ୍ରରେ ହାତ ବାନ୍ଧି ବସିଛନ୍ତି । ବେରୋଜଗାର ଶିକ୍ଷିତ ଯୁବକ ଯୁବତୀମାନଙ୍କ ଆଶା ଭରସାକୁ ଭାଙ୍ଗି ଦେଇଛି । ଏଠାରେ କୃଷକ ଓ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏସବୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଯୁବ ଓ ଛାତ୍ରମାନଙ୍କୁ ସାଥିରେ ନେଇ ତୃଣମୂଳ ସ୍ତରରେ ଜନସଚେତନତା କରିବା ପୂର୍ବକ ଲଢେଇର ଆହ୍ୱାନ ଦେଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଅଖିଳ ଭାରତୀୟ ଯୁବକଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଡଃ ସ୍ମୃତିରଂଜନ ଲେଙ୍କା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ସତ୍ୟାନନ୍ଦ ରାଉତ, ଗଣମାଧ୍ୟମ ବିଭାଗର ସଂଯୋଜକ ରବୀନ୍ଦ୍ର ଆଚାର୍ଯ୍ୟ, ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ, ସନ୍ତୋଷ ଭୋଳ, ଅଜୟ ସାହୁ, ବିମଳ ବେହେରା, ଧରିତ୍ରୀ ଜେନା, ବିରେନ୍ଦ୍ର ବାଗ୍, ସୁଜିତ୍ ମହାପାତ୍ର, ନିକୁଂଜ ପ୍ରଶାୟତ, ବିଶ୍ୱଜିତ୍ ଦାସ, ଜୟଦେବ ବରାଳ, ସୁନୀଲ୍ କୁମାର ମାଟିଆ, ଅଶ୍ୱିନୀ ସ୍ୱାଇଁ, ସ୍ୱରୂପ କାନୁନ୍ଗୋ, ବିଶ୍ୱଜିତ୍ ସାହୁ, ବନରତୀ ପଟ୍ଟନାୟକ, ଶାଶ୍ୱତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।