ହେଡଲାଇନସ୍:

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ପ୍ରସଙ୍ଗ : ଆସନ୍ତା କାଲିଠୁ ରାଜ୍ୟବ୍ୟାପୀ ବିଜେପିର ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

10-06-18-BJP-PRESS-MEET-2.jpg - 74.24 kB

 ଆସନ୍ତା କାଲି ରାଜ୍ୟର ସମସ୍ତ ଜିଲ୍ଲା ଓ ସବଡିଭିଜନ କେନ୍ଦ୍ରରେ ବିକ୍ଷୋଭ

 ୧୨ ତାରିଖ ଠାରୁ ସପ୍ତାହ ବ୍ୟାପି ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ କରାଯିବ ବିକ୍ଷୋଭ ଓ ଏଫଆଇଆର 

 ରାଜ୍ୟ ସାରା ଜଗନ୍ନାଥ ମନ୍ଦିର ମାନଙ୍କରେ ହେବ ସମୂହ ଦ୍ୱୀପଦାନ 

ଭୂବନେଶ୍ୱର, ତା.୧୦/୦୬ : ଶ୍ରୀମନ୍ଦିର ପରିଚାଳନା ଏବଂ ବିଶୃଙ୍ଖଳା ନୀତିକୁ ନେଇ ଦୁଇ ଦିନ ତଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଟୁ ସମାଲୋଚନା କରିଛନ୍ତି । ଏହା ହିଁ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିଚାଳନାରେ ଚରମ ଅବହେଳା ପ୍ରଦର୍ଶନକୁ ସ୍ପଷ୍ଟ ପ୍ରମାଣିତ କରିବା ସହ ଅପାରଗତାର ପର୍ଦାଫାଶ କରିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟ ସରକାର ଦୋଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ ଗଡାଇ ଦେବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ କରିବା ସହ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ତମାମ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ଘୋଷଣା କରିଛି ଦଳ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସୁଚନା ଦେଇଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ଆରାଧ୍ୟ ଦେବତା । ଓଡିଆ ଲୋକ ବିଶ୍ୱର ଯେ କୈାଣସି ସ୍ଥାନରେ ବସବାସ କରୁଥିଲେ ବି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ବିନା କୌଣସି ଶୁଭ କାମ ଆରମ୍ଭ କରନ୍ତି ନାହିଁ । ଓଡିଆ ଜାତିର ଭାବାବେଗ ସହ ମହାପ୍ରଭୁଙ୍କ ଅତୁଟ ସମ୍ବନ୍ଧ ରହିଛି ।  ଓଡିଆ ଜାତିର ଏହି ପରମ ଆରାଧ୍ୟ ବଡ ଠାକୁର ଓ ଶ୍ରଦ୍ଧାର କେନ୍ଦ୍ର ଶ୍ରୀମନ୍ଦିର ସହ ଗତ କିଛି ବର୍ଷ ଧରି ଘଟି ଆସୁଥିବା ଘଟଣା ମାନ ଓଡିଆ ଭାବାବେଗକୁ ପ୍ରଭାବିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତ କିଛି ଦିନ ତଳେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜି ଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ।  ମହାପ୍ରଭୁଙ୍କ  ପ୍ରାଚୁର୍ଯ୍ୟଭରା ରତ୍ନଭଣ୍ଡାରର ଚାବି ହଜିଯିବା, ବଡ ଠାକୁରଙ୍କ ଧନ ସମ୍ପତିର ଚୋରୀ  ଏବଂ ଏହି ଚୋରୀ ପାଇଁ ଷଡଯନ୍ତ୍ର ରଚିବା ହେଉଛି ଏକ ସଙ୍ଗୀନ ଫୌଜଦାରୀ ଅପରାଧ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ରତ୍ନଭଣ୍ଡାରର ଭିତର ଗୃହର ସୁରକ୍ଷା ନେଇ ଗତ ଏପ୍ରିଲ ୪, ୨୦୧୮ରେ  ଯାଂଚ କରାଯାଇଥିବା ଦିନରୁ ଏହି ଗୁରୁତ୍ୱପୂର୍ଣ ଚାବି ହଜି ଥିବା ସୂଚନା ସରକାରଙ୍କ ପାଖରେ ଅଛି । ମାତ୍ର ଘଟଣାକୁ ସାର୍ବଜନୀନ କରି ଆଇନଗତ ପଦକ୍ଷେପ ନେବା ବଦଳରେ ରାଜ୍ୟ ସରକାର ଜାଣି ଶୁଣି ଘଟଣାକୁ ଚାପି ରଖିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧନ ସମ୍ପତି ନେଇ ଏହି ଗୁରୁତ୍ୱପୂର୍ଣ ମାମଲାରେ ରାଜ୍ୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ  ଥିବାସନ୍ଦେହ ଘେରକୁ ଆସିଛି । ବର୍ତମାନ ସୁଦ୍ଧା ଏହି ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । 

ରତ୍ନ ଭଣ୍ଡାର ଯାଂଚ ଦିନ ରତ୍ନଭଣ୍ଡାରର ଭିତର ଗୃହରେ ଟର୍ଚର୍ ଆଲୁଅ ପକାଇ ଦେଖିଥିବା କମିଟିର ସଦସ୍ୟମାନେ ସିନ୍ଦୁକ ଗୁଡିକରେ ଚାବି ପଡି ନ ଥିବା  କହିଥିବା ନେଇ କିଛି ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା । ଯଦି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିଛି ତା ହେଲେ ଚଂଚକତା କରି ମହାପ୍ରଭୁଙ୍କ ଅଚଳାଚଳ ସମ୍ପତିକୁ ଷଡଯନ୍ତ୍ର କରି ନ୍ୟସ୍ତ ସ୍ୱାର୍ଥର୍ ସମ୍ପନ୍ନ ବ୍ୟକ୍ତିମାନେ ଲୁଟ କରି ନ ଥିବେ ଏକଥା କିଏ କହିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । 

କେବଳ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗ ନୁହେଁ ମହାପ୍ରଭୁଙ୍କ ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଚରମ ବିଶୃଙ୍ଖଳାର ରୂପ ନେଇଥିଲା ।  ନିକଟ ଅତୀତରେ ମହାପ୍ରସାଦରେ ବିଭ୍ରାଟ ନେଇ ମହାପ୍ରଭୁଙ୍କୁ ଉପବାସରେ ରହିବାକୁ ପଡିଥିଲା । ସାରା ଜଗତକୁ କୃପା ଦୃଷ୍ଟିରେ ଚାହିଁଥିବା ମହାପ୍ରଭୁଙ୍କୁ ରାଜ୍ୟ ସରକାର କରୁଥିବା ଅଣଦେଖା ବିରୁଦ୍ଧରେ ସମଗ୍ର ବିଶ୍ୱର ଭକ୍ତ ମଣ୍ଡଳିକୁ ଏକାଠି ହେବାକୁ ପଡିବ । ମହାପ୍ରଭୁଙ୍କୁ ଓଡିଶା ସରକାରଙ୍କ ଅବହେଳା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୂର୍ବରୁ ବାରମ୍ବାର ମତ ଦେଇ ଆସିଛନ୍ତି । ମହାପ୍ରଭୁଙ୍କର ଏହି ଦୁଇ ପରମଭକ୍ତ ଓ ଅନୁଷ୍ଠାନକୁ ମଧ୍ୟ ରାଜ୍ୟ ସରକାର ଅଣଦେଖା କରି ଚାଲିଛନ୍ତି  ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । 

ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଜପତି ମହାରାଜଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ସମ୍ପୂର୍ଣ ନିନ୍ଦନୀୟ । ୧୯୬୦ ମସିହାରୁ ଗଜପତିଙ୍କ ପାଖରେ ଚାବି ରହୁ ନ ଥିବା ସ୍ୱୟଂ ଗଜପତି ନିଜେ ସ୍ପଷ୍ଟ କରିଥିବା ବେଳେ ସରକାର ପ୍ରାୟୋଜିତ ଭାବରେ ଏଭଳି ବକ୍ତବ୍ୟ ଦେଇ ଜାଣି ଶୁଣି ଗଜପତିଙ୍କୁ ସମସ୍ୟା ଭିତରକୁ ଟାଣିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ଅବହେଳା ପ୍ରଦର୍ଶନ ଏବଂ ଅପାରଗତାକୁ ନେଇ ଭାରତୀୟ ଜନତା ପାର୍ଟି ଆସନ୍ତା କାଲି ସମସ୍ତ ଜିଲ୍ଲା ଏବଂ ସବଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରିବ । ସେହିପରି ୧୨ ତାରିଖ ଠାରୁ ସପ୍ତାହ ବ୍ୟାପି ରାଜ୍ୟ ତମାମ ସମସ୍ତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ମାମଲାରେ ଜନସାଧାରଣଙ୍କ ତରଫରୁ ଏଫଆଇଆର ଦିଆଯିବ । ଏହା ସହ ରାଜ୍ୟ ସାରା ଥିବା ସମସ୍ତ ଜଗନ୍ନାଥ ମନ୍ଦିରମାନଙ୍କରେ ସମୂହ ଦ୍ୱୀପଦାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି । ପ୍ରକାଶ ଥାଉକି, ଗତ ଶୁକ୍ରବାର ଦିନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଯାଇ ଶ୍ରୀମନ୍ଦିର ଓ ପବିତ୍ର ଗୋବର୍ଧନ ପୀଠ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ହୋଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଏବଂ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault