ହେଡଲାଇନସ୍:

ଝାରସୁଗୁଡ଼ାରେ ଆରୋପ ପ୍ରତ୍ୟାରୋପ ରାଜନୀତି। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା ବିଜେପିର ମୁଖ୍ୟ ଟାର୍ଗେଟରେ ନବଦାସ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ରାଜନୀତିର ପଶାପାଳିରେ କିଏ କେତେବେଳେ କେଉଁ ବାଜି ଖେଳି ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିବ ତାହାର ଯୋଜନା କରିବା କିଛି ନୂଆ କଥା ନୁହେଁ। ଦୀର୍ଘ ଦିନରୁ ଝାରସୁଗୁଡ଼ା ଜିଲ୍ଲାରେ ଏକାଧିପତ୍ୟ ବଜାୟ ରଖିବାରେ ସକ୍ଷମ ହୋଇ ଜିଲ୍ଲାର ରାଜନୀତିକୁ ନିଜ  କବ୍ଜାରେ ରଖିଥିବା ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବର୍ତ୍ତମାନ ବିରୋଧୀଙ୍କ ଆକ୍ରମଣର ମୂଖ୍ୟ ଲକ୍ଷ୍ୟ ପାଲଟିଛନ୍ତି। ତାଙ୍କ ବିରୋଧରେ ଯେ କୌଣସି ଅଭିଯୋଗ ଆଣିବାର କୌଣସି ସୁଯୋଗ ହରାଇବାକୁ ଚାହୁଁ ନାହାଁନ୍ତି ବିରୋଧୀ। ବିଶେଷ କରି ବିଜେପି ଦଳର ନେତୃବୃନ୍ଦ ତାଙ୍କ ବିରୋଧରେ ଅଧିକ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ତାଙ୍କର ରାଜନୈତିକ ଜୀବନର ଅବସାନ ଆଣିବାକୁ ସତତ ପ୍ରୟାସ କରଥିବା ଏବଂ ତାଙ୍କ ବିରୋଧରେ ସବୁବେଳେ ମୁଖର ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। କିଛି ବିଜେପି ସମର୍ଥକ ନ୍ୟୁଜ ଚ୍ୟାନେଲ, ଖବର କାଗଜ ଓ ୱେବ ପୋର୍ଟାଲ ଏହି କାର୍ଯ୍ୟରେ ଦିନରାତି ଲାଗି ରହିଥିବା ଅନୁମାନ କରାଯାଉଛି। 

ନିକଟରେ ଯୁବ ଛାତ୍ର ସମ୍ମିଳନୀରେ ବିଜେଡି ଯୁବ ଛାତ୍ର ନେତାଙ୍କ ଅଭିଭାଷଣର ଜବାବ ଦେବାକୁ ଯାଇ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କିଛି ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ପୁରାତନ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ ମାନ୍ୟତା କେବେ ମିଳିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାର ଉତ୍ତର ସେ ଛାତ୍ର ଯୁବନେତାଙ୍କୁ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। 

ସେହିପରି, ନବଦାସ ନିଜର ସୌକ ମେଣ୍ଟାଇବା ପାଇଁ ଲୋକଙ୍କ ଟିକସ ପଇସାରେ ଦାମୀ ଦାମୀ ଗାଡ଼ି କିଣି ଚଢ଼ୁଥିବା ବେଳେ ଜିଲ୍ଲାର ବେରୋଜଗାର ଯୁବକମାନଙ୍କ ପାଇଁ କ'ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ରଖିବା ପାଇଁ ମଧ୍ୟ ବିଜୁ ଯୁବ ଛାତ୍ର ନେତାଙ୍କୁ ଆହ୍ବାନ ଜଣାଇଛନ୍ତି। 

ତୃତୀୟରେ, ହକିର ଏନ୍ତୁଡ଼ିଶାଳ ଝାରସୁଗୁଡ଼ା ଜିଲ୍ଲାରେ ହକିର ଉନ୍ନତି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କେଉଁ ପଦକ୍ଷେପ ନେଇଛନ୍ତି,ତାହାର ଉତ୍ତର ମଧ୍ୟ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ବାରମ୍ବାର କ୍ରୀଡ଼ା ଛାତ୍ରାବାସର ନିର୍ମାଣର ପ୍ରତିଶ୍ରୁତି ଦେଇ ମଧ୍ୟ ସେହି ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ମନ୍ତ୍ରୀ ବିଫଳ କାହିଁକି ବୋଲି  ଏ ପ୍ରଶ୍ନ କରିଛନ୍ତି। 

ଏତଦବ୍ୟତୀତ, ନବଦାସଙ୍କ ଅପାରଗତା ପାଇଁ ସ୍ଥାନୀୟ ଲୋକେ ଅନେକ ହଇରାଣ ହେଉଛନ୍ତି ଏବଂ କଳକାରଖାନାରୁ ନିର୍ଗତ ପ୍ରଦୂଷଣ ଯୋଗୁଁ ଲୋକ ଅନେକ ସମସ୍ୟାର ଶୀକାର ହେଉଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରନ୍ତି। 

ବର୍ତ୍ତମାନ ଯାହା ଜଣା ପଡ଼ୁଛି,ଜିଲ୍ଲାର ସମସ୍ତ ରାଜନୈତିକ ଆକ୍ରମଣର ଶୀକାର ନବଦାସ। ବିରୋଧୀଙ୍କ ଏହି ଆକ୍ରମଣର ଉତ୍ତର ସେ କିପରି ଦେବେ, ତାହା ଆଗାମୀ ସମୟ କହିବ।

0
0
0
s2sdefault