ହେଡଲାଇନସ୍:

 "ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କୁ ମୋହନଙ୍କ ଚିଠି

କେନ୍ଦୁଝର (ଶାସକ ପ୍ରଶାସକ ) :  "ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି  କେନ୍ଦୁଝର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ |  

ଶ୍ରୀ ମାଝୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,  ସଂପ୍ରତି କୋଭିଡ୍ ମହାମାରୀ ସମଗ୍ର ବିଶ୍ୱ, ଦେଶ ତଥା ଆମ ରାଜ୍ୟର ସମସ୍ତ ଅଂଚଳରେ କାୟା ବିସ୍ତାର କରିବା ସହ ଜନଜୀବନ ପ୍ରତି ପ୍ରଭୃତି କ୍ଷତି ଘଟାଇ ସାରିଲାଣି । ମହାପ୍ରଭୁ ଜଗନ୍ନାଥ, ମା’ ତାରିଣୀ ଏବଂ କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଅଶେଷ କରୁଣାରୁ ଜନଜୀବନ ସାମାନ୍ୟ ହେବାରେ ଲାଗିଅଛି । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀ ଓ କେନ୍ଦୁଝର ସହରର ବଳଦେବଜୀଉ ମନ୍ଦିର ରାଜ୍ୟର ଏକ ବିଶେଷ ଧର୍ମାନୁଷ୍ଠାନ । ଉକ୍ତ ମନ୍ଦିର ଦୀର୍ଘଦିନ ହେବ ବନ୍ଦ ରହିବା ଦ୍ୱାରା ବହୁ ଭକ୍ତ ସେମାନଙ୍କର ଆରାଧ୍ୟ ଦେବାଦେବୀଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ଉକ୍ତ ମନ୍ଦିର ଉପରେ ନିର୍ଭରଶୀଳ ସାଧାରଣ ଭକ୍ତ, ବ୍ୟବସାୟ, ଜନସ୍ୱୀକୃତି ଅହେତୁକ ଭାବରେ ପ୍ରଭାବିତ ହୋଇଅଛି ।

ଶ୍ରୀ ମାଝୀ ଆହୁରି ମଧ୍ୟ  ଉଲ୍ଲେଖ କରିଛନ୍ତି ଯେ "ରାଜ୍ୟ ସରକାର ଓଡିଶାର ବହୁ ଦେବାଳୟକୁ ଖୋଲିବାକୁ ସରକାରୀ ଭାବରେ ନିଷ୍ପତ୍ତି ନେଇ ସାରିଥିବା ସ୍ଥଳେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଓ କେନ୍ଦୁଝର ବଳଦେବଜୀଉ ମନ୍ଦିରକୁ ଖୋଲା ନଯିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଅର୍ଥନୀତିରେ ଏହାର କୁପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଯଦି ଜିଲ୍ଲା ପ୍ରଶାସନ ଉକ୍ତ ମନ୍ଦିର ଗୁଡିକୁ ଖୋଲିବାକୁ କାଳ ବିଳମ୍ବ କରନ୍ତି, ସାଧାରଣ ଲୋକ, ଭକ୍ତଙ୍କ ସ୍ୱାର୍ଥକୁ ଆଖିରେ ରଖି ମୁଁ ଜଣେ ଲୋକ ପ୍ରତିନିଧି ଭାବରେ ଆସନ୍ତା ୫ ଜାନୁୟାରୀ ଠାରୁ ମନ୍ଦିର ସମ୍ମୁଖରେ ମୌନବ୍ରତ ରଖିବା ସହ ପ୍ରତିବାଦ ସ୍ୱରୂପ ଗଣଧାରଣାରେ ବସିବାକୁ ବାଧ୍ୟ ହେବି" ବୋଲି ଶ୍ରୀ ମାଝୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |

କେନ୍ଦୁଝର ଜିଲ୍ଲାରେ କରୋନାର ପ୍ରାଦୁର୍ଭାବ ଦ୍ରୁତୃଗତିରେ ହ୍ରାସ ପାଉଥିବା ସ୍ଥଳେ ମନ୍ଦିର ନଖୋଲିବା ଅତ୍ୟନ୍ତ ଦୁଃର୍ଭାଗ୍ୟ ଜନକ ଘଟଣା ବୋଲି ଶ୍ରୀ ମାଝୀ କହିବା ସହ  ଏ ବାବଦରେ ଗତ ୨୮ ଡିସେମ୍ବରରେ ଜିଲ୍ଲାପାଳ କେନ୍ଦୁଝରଙ୍କ ସହ ସାକ୍ଷାତ ଆଲୋଚନା କରି ମନ୍ଦିର ଖୋଲିବାକୁ ଦୃଢ ଦାବୀ ରଖିବା ସତ୍ତ୍ୱେ  ପ୍ରଶାସନ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନନେବାରୁ କୋଭିଡ ଗାଇଡ୍ଲାଇନ ପାଳନ ପୂର୍ବକ  ମନ୍ଦିର ଖୋଲିବା ଦାବିରେ ଶାନ୍ତିପୂର୍ଣ୍ଣ ମୌନବ୍ରତ ଓ ଗଣଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |

 

 

0
0
0
s2sdefault