ବିଜେପି ପକ୍ଷରୁ ଗରୀବ ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି କହିଲା "ଲୋକପ୍ରିୟତା ହରାଉଥିବା  ବିଜେପି କରୁଛି ଶସ୍ତା ରାଜନୀତି" 

21-05-18-baripada-bijepi.jpg - 82.09 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବିଜେପି ପକ୍ଷରୁ ଭୂମିହୀନ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।   ମୟୂରଭଞ୍ଜ(ବାରିପଦା) ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ନେତା, କର୍ମୀ ଓ ସମର୍ଥକମାନେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ  ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏଥିରେ ବାରିପଦା ସହର ସହିତ ଜିଲ୍ଲାର ସମସ୍ତ ତହସିଲ ଅଧିନରେ ରହିଥିବା ଗ୍ରାମଗୁଡ଼ିକରେ ଦୀର୍ଘ ବର୍ଷଧରି ବହୁ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ଓ ଭୂମିହୀନ ବ୍ୟକ୍ତିମାନେ ବସବାସ କରିଆସୁଛନ୍ତି । ମାତ୍ର ଏମାନଙ୍କର ସ୍ଥାୟୀ ଘରବାଡ଼ି ପଟ୍ଟା ନ ଥିବା କାରଣରୁ ସେମାନେ ବିଭିନ୍ନ ସରକାରୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବା ସହିତ ଆବାସିକ ତଥା ଜାତିଗତ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ପିଲାମାନଙ୍କର ପାଠପଢ଼ା, ଚାକିରୀ ଆଦି କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ଘରଡ଼ିହ ନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ଦିଆ ଯାଉଥିବା ଘର ମଧ୍ୟ ପାଇପାରୁ ନାହାନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲାପାଳ ଏହି ଧରଣର ହିତାଧିକାରୀମାନଙ୍କୁ ଚିହ୍ନଟ କରି ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁବାଷ ପ୍ରଧାନ, ବିଶେଶ୍ୱର ଟୁଡ଼ୁ, ସୁରେଇ ମାଝି, ଭାରତୀ ହାଁସଦାଃ, ବିଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

 ତେବେ ବିଜେପିର ଏହି ଦାବି ଉପରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଦାସର୍ବଦା ଶାସନର ପୁରୋଭାଗରେ ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ଐତିହାସିକ ଆଇନର ଅନୁମୋଦନ ଲାଭ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମର ସିଧାପ୍ରସାରଣ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଥିବା ସହୀଦସ୍ମୃତି ଭବନରେ ବାରିପଦା ପୌରପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ପ୍ରସାସନର ମିଳିତ ସହଯୋଗରେ ବିଧାନସଭାର ଉପବାଚସ୍ପତି ସାନନଦ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ଐତିହାସିକ  ବୋଲି ବର୍ଣ୍ଣନା କରିବା ସହିତ ସମସ୍ତ ଭୂମିହୀନ ପରିବାରକୁ ଭିତ୍ତିଭୂମିର ବ୍ୟବସ୍ଥା ଥାଇ ଜମି ଯୋଗାଇବା ସଂଗେସଂଗେ ଗୃହ ନିର୍ମାଣର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରିଥିଲେ | ଏଭଳି ପରିସ୍ଥିତିରେ  ବିଜେପିର ଏହି ଦାବି ହାସ୍ୟାସ୍ପଦ ଓ ଶସ୍ତା ରାଜନୀତି । ବିଜେପି ମୟୂରଭଞ୍ଜ ଜିଲ୍ଲାରେ ଜନସମର୍ଥନ ହରାଇବା ଆରମ୍ଭ କରିଥିବାରୁ ଜନସାଧାରଣଙ୍କୁ ଭୂଆ ବୋଲାଇବା ଆରମ୍ଭ କରିଛି ବୋଲି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀମହାନ୍ତି କହିଥିଲେ ।

 

0
0
0
s2sdefault