ହେଡଲାଇନସ୍:

ବଗଲା ଧର୍ମଶାଳା ସଂପୂର୍ଣ୍ଣ ଜମି ଅଧିଗ୍ରହଣ ବେଆଇନ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏ ସଂପର୍କରେ ତଥ୍ୟ ପ୍ରମାଣ ସହ ସରକାରୀ ଚଂଚକତାର ଖୁଲାସା କରିଛନ୍ତି । ଶ୍ରୀମନ୍ଦିର ଚର୍ତୁଃପାଶ୍ୱର୍ରେ ୭୫ ମିଟର ପରିଧି ଭିତରେ ଯେତେ ଜମି ଅଧିଗ୍ରହଣ କରାଯାଇଛି ଏ ସଂପୂର୍ଣ୍ଣ ପ୍ରକରଣ ବେଆଇନ୍ ଏବଂ ଅସିଦ୍ଧ । କାରଣ ଭୂମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ୍ - ୨୦୧୩ ଅନୁଯାୟୀ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିନାହିଁ । ଭୂମି ଅଧିଗ୍ରହଣ ଆଇନ୍ର ଧାରା ୩୬ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଧାରା ୪ (କ) ରେ ସୋସିଆଲ ଇମ୍ପାକ୍ଟ ଆସେସ୍ମେଂଟ ନୋଟିଫିକେସନ ପରେ ଏବଂ ଚୂଡାନ୍ତ ଜମି ଅଧିଗ୍ରହଣ ବିଜ୍ଞପ୍ତି ପୂର୍ବରୁ ସଂପୃକ୍ତ ପ୍ରଭାବିତ ଅଂଚଳରେ ଜମି କିଣାବିକା ହୋଇପାରିବ ନାହିଁ । ଅର୍ଥାତ୍ ଧାରା ୪(କ)ର ବିଜ୍ଞପ୍ତି ପରେ ଯଦି କୌଣସି ବ୍ୟକ୍ତି ଜମି ବିକ୍ରୀ କରନ୍ତି, ତେବେ ତାହା ଆଇନତଃ ଅସିଦ୍ଧ ଏବଂ ସଂପୃକ୍ତ ବ୍ୟକ୍ତି ପୁନର୍ବାସ ଓ ଥଇଥାନ ଆଇନ୍ ଅନୁଯାୟୀ କୌଣସି କ୍ଷତି ପୂରଣ ପାଇବାକୁ ଯୋଗ୍ୟ ବିବେଚିତ ହେବେନାହିଁ । ସେ ଦୃଷ୍ଟିରୁ ସୁରକ୍ଷା କରିଡର ପ୍ରକଳ୍ପ ପାଇଁ କେବଳ ୪ (କ) ବିଜ୍ଞପ୍ତି ଛଡା ଭୂମି ଅଧିଗ୍ରହଣର ଅନ୍ୟ କୌଣସି ପ୍ରକ୍ରିୟା ଏଯାବତ୍ ହୋଇନାହିଁ । ତେଣୁ ଜିଲ୍ଳା ପ୍ରଶାସନକୁ ଯେଉଁମାନେ ଜମି ହସ୍ତାନ୍ତର କରିଛନ୍ତି ତାହା ବେଆଇନ୍ ବୋଲି କଂଗ୍ରେସ କହିଛି । ବେଆଇନ୍ କାର୍ଯ୍ୟର ଏ ସଂପୂର୍ଣ୍ଣ ପ୍ରକରଣରେ ପୁରୀ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଜେଂଟ ଭଳି କାର୍ଯ୍ୟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏଥିସହ ବଗଲା ଧର୍ମଶାଳା ଜମି ପ୍ଲଟିଂ ବିବାଦରେ ଜିଲ୍ଲାପାଳଙ୍କ କେଳେଙ୍କାରୀକୁ ରଙ୍ଗେହାତ୍ ଧରିଛି କଂଗ୍ରେସ । ସଫେଇ ଦେବା ବାହାନାରେ ଯେଉଁ ତଥ୍ୟ ଜିଲ୍ଲାପାଳ ଟୁଇଟରରେ ଦେଇଛନ୍ତି ତା’ର ଅସଲ ତଥ୍ୟ କଂଗ୍ରେସ ଲୋକଲୋଚନକୁ ଆଣିବା ପରେ ଏହା ଓଲଟା ଜିଲ୍ଲାପାଳଙ୍କ ପାଇଁ ବୁମେରାଂ ହୋଇଛି । ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ପୁରୀ ମୁ୍ୟନିସିପାଲିଟି ପକ୍ଷରୁ ୨୫ ଅକ୍ଟୋବର ୨୦୧୯ ରେ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନୁମତି ଦିଆଯାଇଥିଲା । ତା’ର ଆଧାରରେ ବଗଲା ଧର୍ମଶାଳା ଜମିକୁ ଆଇନତଃ ରାଜସ୍ୱ ବିଭାଗକୁ ଆସିବା ପରେ କ୍ଷତିଗ୍ରସ୍ତ ଲଜିଂ ମାଲିକମାନଙ୍କୁ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଚଂଚକତାକୁ ଧରିଛି କଂଗ୍ରେସ । ଅସଲରେ ସେହି ଚିଠିରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଅଭଡା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ଦିଆଯିବ । ଏହି ଚିଠିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ ରଖାଯାଇଛି । ସେହି ସର୍ତଟି ହେଲା -ଜମି ହସ୍ତାନ୍ତର ପୂର୍ବରୁ ସବିଶେଷ ସର୍ତାବଳୀ ପ୍ରସ୍ତୁତ କରାଯିବ ଏବଂ ସେହି ଆଧାରରେ ଜମି ହସ୍ତାନ୍ତର କରାଯିବ । ଯେତେବେଳ ସବିଶେଷ ସର୍ତାବଳୀ (ଡିଟ୍ଲେ ଟର୍ମସ୍ ଆଣ୍ଡ କଣ୍ଡିସନସ୍) ପ୍ରସ୍ତୁତ କରାଯାଇନାହିଁ ଏବଂ ଅଭଡା ଯୋଜନା ବ୍ୟତିରେକ ଅନ୍ୟ କୌଣସି କାର୍ଯ୍ୟରେ ଜମି ବ୍ୟବହାର କରିବାକୁ ଚିଠିରେ ଉଲ୍ଲେଖ କରାଯାଇନାହିଁ, ସେତେବେଳେ ଜିଲ୍ଲାପାଳ ବଲବନ୍ତ ସିଂ ମହୋଦୟ କେଉଁ ଆଇନ୍ ଓ କ୍ଷମତା ବଳରେ ଦୁଇଟି ମିସ୍କେସ୍ ଜରିଆରେ ଜମିର ମାଲିକାନା ସତ୍ୱକୁ ଲଜିଂ ହାଉସିଂ ଫଣ୍ଡରୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କଲେ ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଏ ପ୍ରସଙ୍ଗରେ ସତ୍ୟ ପ୍ରକାଶ ନାୟକ ଚିଠି ନଂ ୮୦୮୮, ତା ୫ ଅକ୍ଟୋବର ୨୦୧୯ ରିଖରେ ପୁରୀ ମୁ୍ୟନିସିପାଲିଟି ପକ୍ଷରୁ ହାଉସିଂ ଏବଂ ଅର୍ବାନ୍ ଡେଭଲପମେଂଟ ବିଭାଗକୁ ଦିଆଯାଇଥିବା ଏକ ଚିଠିର ଉଲ୍ଲେଖ କରିଥିଲେ, ଯେଉଁଥିରେ ବଗଲା ଧର୍ମଶାଳା ଜମି ହସ୍ତାନ୍ତର ବାବଦରେ ସର୍ତ ରଖାଯାଇଛି ଯେ ଜମି ଦେବା ପୂର୍ବରୁ ବଗଲା ଧର୍ମଶାଳା ଜମିର ବଜାର ଦର ଏବଂ ଏହା ଉପରେ ଥିବା କୋଠାର ବଜାର ଦର ସହିତ କ୍ଷତିପୂରଣ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳ ନିଜେ ସ୍ପଷ୍ଟୀକରଣ ଦେଇ ସ୍ୱୀକାର କରିଛନ୍ତି ଯେ ସଂପୃକ୍ତ ଜମିକୁ ବଜାର ଦର ବଦଳରେ ବେଂଚ ମାର୍କ ମୂଲ୍ୟରେ ବିକ୍ରୟ କରିଛନ୍ତି । ଯାହାକି ସର୍ତାବଳୀର ଖୋଲାଖୋଲି ଉଲ୍ଲଘନ ଏବଂ ଏଥିଯୋଗୁଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଥିସହିତ ଜମି ହସ୍ତାନ୍ତର ସଂପର୍କରେ ସର୍ତାବଳୀ ଚିଠିର ନକଲ ୨୪ ଘଂଟା ଭିତରେ ଜିଲ୍ଲାପାଳ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ଆହ୍ୱାନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଜ୍ଞାନଦେବ ବେଉରା, ରଜନୀ ମହାନ୍ତି ,ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

 

0
0
0
s2sdefault