ହେଡଲାଇନସ୍:

ମହାନଦୀ ମହା ସଂଗ୍ରାମ ସେକେଣ୍ଡ ଇନିଂସ ପାଇଁ ଆଣ୍ଟା ଭିଡିଲା ବିଜେଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

09-04-18-mahanadi.jpg - 68.21 kB

୧୫ରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ବୈଠକ, ଯୋଗଦେବେ ମହାନଦୀ ଅବବାହିକାରେ ଥିବା ୧୫ ଜିଲ୍ଲାର ଦଳୀୟ ଜନପ୍ରତିନିଧି

ମହାନଦୀ ନେଇ ଟ୍ରିବ୍ୟୁନାଲ ଗଠନ ଘୋଷଣାରେ ବିଳମ୍ବ, ଏପ୍ରିଲ ୧୨ରେ କେନ୍ଦ୍ର ଡାକିଛି ଆନ୍ତଃରାଜ୍ୟ ବୈଠକ

ଇବ୍‍ ଉପନଦୀ ଉପରେ ବନ୍ଧ ନିର୍ମାଣ ପାଇଁ ଛତିଶଗଡ଼ର ଯୋଜନା,ମହାନଦୀରେ ଅଣମୌସୁମୀ ଜଳସ୍ରୋତ ୪୦% କମିଛି 

ଭୁବନେଶ୍ୱର(ମାନସୀ ମିଶ୍ର) : ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ୍‍ କରୁଥିବା ଏବଂ କେନ୍ଦ୍ର ପରୋକ୍ଷରେ ଏହାକୁ ସମର୍ଥନ ଦେଇଆସୁଥିବାରୁ କଥା ସୁପ୍ରିମକୋର୍ଟକୁ ଯିବାରୁ ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ  ଦେଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଫାଙ୍କିବାକୁ ଚେଷ୍ଟା କଲେ । କିନ୍ତୁ ଶେଷରେ ଟ୍ରିବ୍ୟୁନାଲ ଗଠନହୋଇଥିଲେ ହେଁ କେବଳ ସଦସ୍ୟଙ୍କ ନାମ ଘୋଷଣା ବ୍ୟତୀତ ଆଉ କିଛି ହୋଇନାହିଁ । ଏ ପର୍ଯ୍ୟନ୍ତ ଟର୍ମସ ଅଫ୍‍ ରେଫରେନ୍ସ ଘୋଷଣା କରାଗଲା ନାହିଁ । ସେଥିରେ କଟା ଘା’ରେ ଚୂନ ମାରିଲା ଭଳି ଇବ୍‍ ଉପନଦୀ ମୈନୀ ଉପରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି, ଯାହାକୁ କେନ୍ଦ୍ର ସରକାର ପରୋକ୍ଷ ସମର୍ଥନ ଯୋଗାଉଛି ବୋଲି ଆଜି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଚାଲିଥିବା ବେଳେ ୨୩ ଜାନୁଆରୀ ୨୦୧୮ରେ ଜଷ୍ଟିସ୍‍ ୱାଗଡେ଼ ଏବଂ ଜଷ୍ଟିସ୍‍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କ୍ରମେ ଦେଲେ ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ କରିବାକୁ । କିନ୍ତୁ ଟ୍ରିବ୍ୟୁନାଲ  ଗଠନ ହେବାରେ ତ ବିଳମ୍ବ ହେଲା, ତା’ସହିତ ଟର୍ମ ଅଫ୍‍ ରେଫରାନ୍ସ ଏ ପର୍ଯ୍ୟନ୍ତ ପହଂଚି ନାହିଁ, ଯାହାକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥାନ୍ତେ । ଯଦି ଆପଣ ଦେଖିବେ, ବର୍ତ୍ତମାନ ସୁଦ୍ଧା ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି । ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉକ୍ରଟ ଜଳାଭାବ ଦେଖାଦେଲାଣି । ଏପରିକି ରବି ଋତୁରେ ଚାଷୀ ଜମିକୁ ଠିକ୍‍ ଭାବେ ଜଳସେଚିତ କରାଯାଇପାରୁ ନାହିଁ । ୫ବର୍ଷର ହାରାହାରି ଡେଲ୍‍ଟା ଷ୍ଟେଜ୍‍-୧ରେ ୫୬.୬% ହ୍ରାସ ପାଇଥିବାବେଳେ ଷ୍ଟେଜ୍‍ -୨ରେ ୧୪% ଏବଂ ହାରାହାରି ୩୧.୬% ହ୍ରାସ ପାଇଛି । ବିଦ୍ୟୁତ  ଉତ୍ପାଦନ  କ୍ଷେତ୍ରରେ ମଧ୍ୟ ୨୦% ହ୍ରାସ ପାଇଛି । ଚାଷବାସ ଉଚ୍ଛନ୍ନ ହୋଇଥିବା ବେଳେ ଜୀବନଜୀବିକା ଉକ୍ରଟ ରୂପ ଧାରଣା କରିଥିବା ଜଣାପଡୁଛି । ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନେକଥର ଏହା ଅବଗତ କରିଛନ୍ତି, ଏ ସଂକ୍ରାନ୍ତରେ ବିଧାନସଭାରେ ମଧ୍ୟ ପ୍ରସ୍ତାବ ଗ୍ରହଣ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏହି ଜଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏନ୍‍ଜିଟି ମଧ୍ୟ ଛତିଶଗଡ଼କୁ ଚେତାବନୀ ଶୁଣାଇଛନ୍ତି ଏବଂ ଆଉ କୌଣସି ନିର୍ମାଣ ମହାନଦୀ ଉପରେ ନକରିବାକୁ କହିଛନ୍ତି ।

ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ ୩ ଜାନୁଆରୀ ୨୦୧୮ରେ ଜଷ୍ଟିସ୍‍ ୱାଗଡେ଼ ଏବଂ ଜଷ୍ଟିସ୍‍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ନିର୍ଦ୍ଦେଶ  ଦେଲେ ମାସକ ଭିତରେ ଟ୍ରିବୁ୍ୟନାଲ୍‍ ଗଠନ କରିବାକୁ । କିନ୍ତୁ କେନ୍ଦ୍ର ସରକାର ଟି୍ରବୁ୍ୟନାଲ୍‍ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କଲେ ୧୨ ମାର୍ଚ୍ଚ ୨୦୧୮ରେ । ଏଭଳି ସ୍ଥିତିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଏକ ପ୍ରଶ୍ନ କରିଥିଲେ ଯେ ଏହି ଟ୍ରିବ୍ୟୁନାଲ  ଗଠନର ପ୍ରକ୍ରିୟା କେଉଁ ସ୍ଥାନରେ ଅଛି? ୨୬ ମାର୍ଚ୍ଚ ୨୦୧୮ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜଣାଇଲେ ଟର୍ମସ୍‍ ଅଫ୍‍ ରେଫରେନ୍ସ ସଂପର୍କରେ ପଦକ୍ଷେପ ନିଆଯାଇଛି । କିନ୍ତୁ ଦୁଃଖର କଥା, ଯେଉଁ ଟର୍ମସ୍‍ ଅଫ୍‍ ରେଫରେନ୍ସ କଥା ମାନ୍ୟବର କେନ୍ଦ୍ରମନ୍ତ୍ରୀ କହୁଥିଲେ, ସେ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିନାହାନ୍ତି । ବର୍ତ୍ତମାନ ଆଉ ଗୋଟିଏ ସନେ୍ଦହ ଉପୁଜିଲାଣି, କେନ୍ଦ୍ର ଜଳ ସଂପଦ ବିଭାଗ ଆନ୍ତରାଜ୍ୟ ମିଟିଂ ପାଇଁ ଡାକିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଯେ ମହାନଦୀ ଅବବାହିକାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟାକୁ ନେଇ ଏପ୍ରିଲ ୧୨ ତାରିଖରେ ନୂଆଦିଲ୍ଲୀରେ ସିଡବ୍ଲୁ୍ୟସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ ।  ଆଉ ଗୋଟିଏ ଚିଠି ୩ ଏପ୍ରିଲ ୨୦୧୮ରେ ଆସି ପହଂଚିଛି  ସେହି କେନ୍ଦ୍ର ଜଳ ସଂପଦ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିିବଙ୍କୁ ଯେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ୫ଟି ରାଜ୍ୟକୁ ଏହି ଜଳ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚିଠି କରିଛନ୍ତି । ଦଳର ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରର ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି କହିଛନ୍ତି । ଏ ସମସ୍ତ କଥାକୁ ନେଇ ବିଜୁ ଜନତା ଦଳ ଚଳିିତ ମାସ ୧୫ ତାରିଖ ଦିନ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ସମ୍ମିଳନୀ କରିବ ଓ ସେଥିରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ, ବିଜୁ ଜନତା ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଏବଂ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷ, ଯୁବ-ଛାତ୍ର-ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳ ରାଜ୍ୟ କର୍ମକର୍ତ୍ତା ପ୍ରମୁଖଙ୍କ ଉପସ୍ଥିତିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

 

ନିଜର ବିଫଳତାକୁ ଲୁଚାଇବା ପାଇଁ ମହାନଦୀକୁ ଢାଲ କରିଛି ବିଜେଡି : ବିଜେପି

 ମହାନଦୀକୁ ନେଇ ନୂଆ ନାଟକ ପ୍ରସ୍ତୁତିରେ ବିଜେଡି,  ରାଜ୍ୟବାସୀ ଦେଖିବେ  ନୂଆ ସୁଆଙ୍ଗ : ସମୀର 

ଭୁୁବନେଶ୍ୱର - ସାରା ରାଜ୍ୟରେ ଏବେ ଜଳ ସମସ୍ୟା । ଲୋକେ ପିଇବା ପାଣି ପାଇନାହାନ୍ତି । ରାସ୍ତାରେ ମହିଳା ମାନେ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି । ଅଘୋଷିତ ବିଦ୍ୟୁତ କାଟ ଏବେ ଲୋକଙ୍କ ଚିନ୍ତା ବଢାଇଦେଇଛି । ଏପରି ସ୍ଥିତିର ନିଜର ବିଫଳତାକୁ ଲୁଚାଇବା ପାଇଁ ମହାନଦୀକୁ ଢାଲ କରି ବିଜେଡି ନୂଆ ସୁଆଙ୍ଗ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପଂଚାୟତ ନିର୍ବାଚନ ସମୟରେ କଳସଯାତ୍ରା, ମେଲାଣୀ, ସାହାଣମେଲା କରିବା ପରେ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଆଉ ଏକ ଗଳାବାଟ ଖୋଜିବାରେ ଲାଗିଛି ଶାସକ ଦଳ  । ମହାନଦୀରେ କେତେ ପାଣି କମିଛି, ବିଗତ ବର୍ଷ କେତେ ଥିଲା ଏହାର ହିସାବ ସରକାର ଦେବାର ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଓ ସଚିବ ଏ ସମ୍ପର୍କରେ ଚୁପ ଥିବା ବେଳେ ବିଜେଡି ଏପରି କହିବା ପଛରେ ତୃତୀୟ ମହଲାର ହାତ ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି । ବିଗତ ଦିନରେ ଯୋଗାଡିଆ ମନ୍ତ୍ରୀ ଥାଇ ଏବେ ଦଳକୁ ବଂଚାଇବା ପାଇଁ କାମ କରାଯାଉଛି । ମହାନଦୀର ପାଣି ସମ୍ପର୍କରେ ସବିଶେଷ ତଥ୍ୟ ସରକାର ପ୍ରଦାନ କଲେ ଏହାର ପ୍ରାସଙ୍ଗିକତା ରୁହନ୍ତା । ତେବେ ନିଜର ଭୁଲକୁ ଲୁଚାଇବା ପାଇଁ ଏବେ ମହାନଦୀକୁ ଆଶ୍ରା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ରାଜ୍ୟରେ ୧୮ ବର୍ଷ ଧରି ଥିବା ସରକାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଦେବାରେ ବିଫଳ ହୋଇଛନ୍ତି । ଟିେଉଲ ମରାମତି କରିବା ପାଇଁ ସରକାରଙ୍କ ପାଖରେ ଲୋକ ନାହାନ୍ତି, ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଚାଲିଥିବା ବେଳେ ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ଗଳାବାଟ ଖୋଜୁଛି ଦଳ । ମହାନଦୀକୁ ନେଇ ସେତେବେଳର ଜଳସମ୍ପଦ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ବିଧାନସଭାରେ ରଖିଥିଲେ ତାହା ବିଜେପି ବିଗତ ଦିନରେ ସ୍ପଷ୍ଟ କରିଛି । ଏବେ କେବଳ ନିଜର ଆତ୍ମରକ୍ଷା ପାଇଁ ମହାନଦୀକୁ ଢାଲ କରାଯାଇଥିବା କଥା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

0
0
0
s2sdefault