ରାଉରକେଲା /ଶାସକ ପ୍ରଶାସକ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ଭାରତର ପ୍ରମୁଖ ଭିତ୍ତିଭୂମି ନିର୍ମାଣରେ ନିଜର ସହଭାଗିତାକୁ ଜାରିରଖି ଅକ୍ଟୋବର ୩୧ ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି, “ଏକତାର ପ୍ରତିମୂର୍ତ୍ତି” ନିର୍ମାଣରେ ୫୦% ରୁ ଉର୍ଦ୍ଧ୍ଵ ଇସ୍ପାତ ଯୋଗାଇଦେଇଛି । “ଏକତାର ପ୍ରତିମୂର୍ତ୍ତି” ଭାରତୀୟ ସ୍ଵାଧୀନତା ସଂଗ୍ରାମର ସେନାପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀରେ ତାଙ୍କ ସ୍ମୃତିରେ ଉତ୍ସର୍ଗିତ ଏକ ସୁବିଶାଳ କୀର୍ତ୍ତିସ୍ତମ୍ଭ ଅଟେ। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ନିର୍ମାଣରେ ଉପଯୋଗ ହୋଇଥିବା ୨୪୦୦୦ ମେଟ୍ରିକ ଟନ ଇସ୍ପାତ ମଧ୍ୟରୁ ସେଲ ପ୍ରାୟ ୧୨୦୦୦ ଟନ ଇସ୍ପାତ ଯୋଗାଇଦେଇଛି ।ସେଲ ଦ୍ଵାରା ଯୋଗାଣ ହୋଇଥିବା ଇସ୍ପାତ ମଧ୍ୟରେ ରେନଫୋର୍ସଡ ଷ୍ଟିଲ ଯଥା ଟିଏମଟି ବାର ଏବଂ ଷ୍ଟ୍ରକଚରାଲ ଓ ପ୍ଳେଟ ସାମିଲ ରହିଛି।
ଗୁଜୁରାଟର ନର୍ମଦା ଡାମ ନିକଟରେ ସ୍ଥିତ ଏହି ପ୍ରତିମୂର୍ତ୍ତି ୨୦୦୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଅଟେ ଏବଂ ଏହା ଚାରିପାଖରେ ୧୨ ବର୍ଗକିଲୋମିଟର କୃତ୍ରିମ ହ୍ରଦ ପରିବେଷ୍ଟିତ ରହିଛି । କଳା ଓ ସ୍ଥାପତ୍ୟର ନୈପୁଣତା ଦେଖିବାକୁ ମିଳୁଥିବା ଏହି ଅନନ୍ୟ ସୌନ୍ଦର୍ଯ୍ୟମୟ କଳାକୃତିମୟ ପ୍ରତିମୂର୍ତ୍ତିର ୧୫୩ ମିଟର ଉଚ୍ଚତାରେ ଗ୍ୟାଲେରି ଓ ନିରୀକ୍ଷଣ ଡେକ ରହିଛି ଯେଉଁଠାରେ ପ୍ରାୟ ୨୦୦ ଜଣ ଦର୍ଶକ ସେଠାରୁ ଜଳବନ୍ଧ ସେତୁର ମନୋରମ ଦୃଶ୍ୟର ଆନନ୍ଦ ନେଇପାରିବେ। ପ୍ରତିମୂର୍ତ୍ତିର ସ୍ଥାପନା ସଙ୍ଗେସଙ୍ଗେ ଏହାର ପାଦ ଦେଶରେ ଏକ ପ୍ରଦର୍ଶନୀ ସ୍ଥଳୀ ରହିଛି ଯେଉଁଠି ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ଉପଲବ୍ଧି ପ୍ରଦର୍ଶିତ ହେଉଛି ଏବଂ ସେଠାରେ ଅନ୍ୟ ଏକ ସୁନ୍ଦର ଉଦ୍ୟାନ, ୨୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ମୁଖ୍ୟ ସ୍ଥଳୀ ସହିତ ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ କରୁଥିବା ସେତୁ ସ୍ଥାପନା କରାଯାଇଛି। ଏହା ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ ଏବଂ ଏହା ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ ଲିବର୍ଟିର ଉଚ୍ଚତାର ଚାରି ଗୁଣ ଅଟେ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରି ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ କହିଥିଲେ ଯେ, ଏଭଳି ଆନ୍ତର୍ଜାତୀୟ ତଥା ଐତିହାସିକ ଜାତୀୟ ଉପଲବ୍ଧି ସହିତ ଯୋଡି ହୋଇ ସେଲ ଗର୍ବ ଅନୁଭବ କରୁଛି। ଗତ ୬ ଦଶନ୍ଧି ଧରି ସେଲ ରାଷ୍ଟ୍ର ନିର୍ମାଣରେ ଏହାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ନିରବଚ୍ଛିନ୍ନ ରୂପେ ଦେଇ ଆସୁଛି । ଦେଶର କ୍ରମବର୍ଦ୍ଧିଷ୍ଣୁ ଇସ୍ପାତ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେଲ ସଦାସର୍ବଦା ତତ୍ପର ରହିଆସିଛି ।











