ହେଡଲାଇନସ୍:

ତର୍ଜୁମାନ ସାହିତ୍ୟ ସଭାରେ କବି ଶ୍ରୀଦେବ ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଲେଶ୍ୱର,(ଉଜ୍ଜ୍ୱଳ କର) : ବାଲେଶ୍ୱରର ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମ ‘ଅପନା ତର୍ଜୁମାନ’ ଷ୍ଟୁଡିଓରେ ଆୟୋଜିତ ପାକ୍ଷିକ କବିତା ଆସର ‘୧୮ତମ ତର୍ଜୁମାନ ସାହିତ୍ୟ ସଭା’ରେ ବାଲେଶ୍ୱରର ବରିଷ୍ଠ  କବି ଓ ସଂଗଠକ କବି ଶ୍ରୀଦେବଙ୍କୁ ତାଙ୍କର ସୁଦୀର୍ଘ ସାହତ୍ୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଡା. ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ କବି ଶ୍ରୀଦେବଙ୍କ ସହ କବି ପ୍ରଶାନ୍ତ ଦାଶ, ପ୍ରଭାକର ସାହୁ, କବୟିତ୍ରୀ ଅଞ୍ଜଳି ପଣ୍ଡା, ପ୍ରଣତି ମହାପାତ୍ର, ଜୟନ୍ତି ବିଶ୍ୱାଳ ବେହୁରିଆ, ଶାଶ୍ୱତୀ କର ପ୍ରଧାନ, ତର୍ଜୁମାନ ସାହିତ୍ୟ ସଭା ପରିଚାଳନା କମିଟି ସଦସ୍ୟ ସୁବାଷ ସ୍ୱାଇଁ, ମଧୂସୁଦନ ମିଶ୍ର, ଇନାୟତ ଅଲୀ ଖାଁ ଓ ଉର୍ଦ୍ଧୁ କବି ଅଜିମ ବାଲେଶ୍ୱରୀ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । କବି ମଧୁସୂଦନ ମିଶ୍ର ଏବଂ ଇନାୟତ ଅଲୀ ଖାଁ ସଂଯୋଜନା ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀଗଣ ଉକ୍ତ ସଭାରେ ପାଠ କରାଯାଇଥିବା କବିତା ଗୁଡ଼ିକର ମୂଲ୍ୟାୟନ କରିଥିଲେ ଏବଂ କବି ପ୍ରଶାନ୍ତ ଦାଶଙ୍କ କବିତାକୁ ଶ୍ରେଷ୍ଠ ବିବେଚିତ କରାଯାଇଥିଲା । ଯାହା ଆଗାମୀ ଆସରରେ ଏକ ସୁନ୍ଦର ଫ୍ରେମରେ ବାନ୍ଧି କବିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯିବା ସହ ତର୍ଜୁମାନ ଷ୍ଟୁଡିଓ କାନ୍ଥରେ ପ୍ରଦର୍ଶନ ପାଇଁ ସ୍ଥାନିତ କରାଯିବ । ସୂଚନା ଥାଉକି ୧୫ତମ ଆସରରେ କବି ଗଗନ ସେଠୀଙ୍କ କବିତାକୁ, ୧୬ତମ ଆସରରେ କବୟିତ୍ରୀ କଲ୍ୟାଣୀ ନନ୍ଦଙ୍କ କବିତାକୁ ଶ୍ରେଷ୍ଠ ବିବେଚିତ କରାଯାଇ ସମ୍ମାନିତ କରାଯାଇଥିଲା ଏବଂ ୧୭ତମ ଆସରେ ‘ଅପନା ତର୍ଜୁମାନ’ କେବୁଲ ଟିଭି ଚ୍ୟାନାଲର ମୂଖ୍ୟ ସମ୍ପାଦକ କବି ମହମ୍ମଦ ଇନାୟତ ଅଲୀ ଖାଁଙ୍କ କବିତା ‘କଲମ ମୁନ’କୁ ଶ୍ରେଷ୍ଠ  କବିତା ବିବେଚିତ କରାଯାଇଥିବା ବେଳେ ଉକ୍ତ ୧୮ତମ ଆସରରେ ସମ୍ମାନିତ କରାଯାଇଅଛି । ଏହି ଅବସରରେ ‘ତର୍ଜୁମାନ ସାହିତ୍ୟ ସଭା’ର ଆଜୀବନ ସଭାପତି ଡା. ପ୍ରହ୍ଲାଦ ଚରଣ ମହାନ୍ତି ‘ତର୍ଜୁମାନ ସାହିତ୍ୟ ସଭା ପରିଚାଳନା କମିଟି’ର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କବିଙ୍କ ସହ ସଂଗଠକଙ୍କୁ ସମ୍ବର୍ଦ୍ଧିତ କରିବା ଅତି ଆବଶ୍ୟକ ପଦକ୍ଷେପ, କାରଣ ସଂଗଠକମାନେ ହିଁ ସାହିତ୍ୟ ଚର୍ଚ୍ଚା ଏବଂ କବିତା ଆସର ପାଇଁ ମଞ୍ଚ ଯୋଗାଉଛନ୍ତି ଏବଂ ଏହାକୁ ବର୍ଷ ବର୍ଷ ଧରି ନିରବଛିନ୍ନ ଭାବେ ଜାରି ରଖିବା ଏକ ଦୂରୁହ ବ୍ୟାପାର । ଶେଷରେ ‘ଅପନା ତର୍ଜୁମାନ’ କେବୁଲ ଟିଭି ଚ୍ୟାନାଲର ସହ ସମ୍ପାଦକ ଅଜିମ ବାଲେଶ୍ୱରୀ ସମସ୍ତ କବି ଓ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault