କେନ୍ଦ୍ରାପଡାରୁ ପ୍ରଫୁଲ୍ଲ ମଲ୍ଲ :ମୁମ୍ବାଇସ୍ଥିତ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉନ୍ଡେସନ୍-ଜାକଫ୍ଙ୍କ ସୌଜନ୍ୟରେ ଆସନ୍ତା ୧୯.୧୧.୨୦୧୭ ତାରିଖ ରବିବାର ଦିନ କେନ୍ଦ୍ରାପଡା ମ୍ୟୁନିସିପାଲ୍ଟି ଟାଉନ ହଲଠାରେ ଏକ କର୍କଟ ରୋଗ ନିରୁପଣ ଶିବିର ଅନୁଷ୍ଠିତ ହେବ | ସକାଳ 9ଟାଠାରୁ ଦିନ 3ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ବମ୍ବେର ପ୍ରସିଦ୍ଧ କର୍କଟ ରୋଗ ବିଶେଷଞ୍ୟ ଡଃ ଶିଶିର କୁମାର ସେଟ୍ଟୀ ଏବଂ ଅନ୍ୟ ସହଯୋଗୀମାନଙ୍କ ଦ୍ବାରା କର୍କଟ ରୋଗ ନିରୁପଣ କରା ଯିବ | ସାଧାରଣ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ମାଗଣା ଔଷଧ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଅଛି |
ଶୁଖୁନଥିବା ଘାଆ, ମଳତ୍ୟାଗ ଅଭ୍ୟାସରେ ପରିବର୍ତନ, ଅସ୍ୱାଭାବିକ ରକ୍ତସ୍ରାବ, ସ୍ତନରେ ଅବା ଶରୀରର ଅନ୍ୟ ସ୍ଥାନରେ ଶିରା ବହଳା ହେବା ଅଥବା ଆବୁ ପରି ଫୁଲିବା, ଅଜୀର୍ଣ ହେବା ଅଥବା ଗିଳିବାରେ କଷ୍ଟ ହେବା , ଶରୀରରେ ଥିବା ଭାତୁଡି ବା ତିଳରେ ପରିବର୍ତନ ଘଟିବା, କାଶ ଲାଗି ରହିବା ଏବଂ ସ୍ବର କର୍କଶ ହେବା ପ୍ରଭୃତି ଲକ୍ଷଣଗୁଡିକ ଥିବା ବ୍ୟକ୍ତିମାନେ ବିନା ମୂଲ୍ୟରେ ହେଉଥିବା ଏହି ଶିବିରରେ ଯୋଗ ଦେଇ ଉପକୃତ ହୋଇପାରିବେ |
ସେହିଦିନ ସନ୍ଧ୍ୟା 6ଟା ସମୟରେ ପୁର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ଠାରେ ଏକ ଡକୁମେଣ୍ଟାରୀ ଚିତ୍ର ମାଧ୍ୟମରେ କର୍କଟ ରୋଗ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଅଛି | ଡକୁମେଣ୍ଟାରୀ ଚିତ୍ର ପରେ ଡଃ ସେଟ୍ଟୀ ନିଜେ ଆଗ୍ରହୀ ବ୍ୟକ୍ତି ମାନଂକର ପ୍ରଶ୍ନର ଉତ୍ତର ଦେବାପାଇଁ ସମ୍ମତି ପ୍ରଦାନ କରିଛନ୍ତି |
ଉପରୋକ୍ତ ଉଭୟ କାର୍ଯ୍ୟକ୍ରମରେ ଜନ ସାଧାରଣ ବିପୁଳ ମାତ୍ରାରେ ଯୋଗଦେଇ କାର୍ଯ୍ୟକ୍ରମ ଗୁଡିକୁ ସାଫଲ୍ୟ ମନ୍ଡିତ କରିବା ପାଇଁ ଜାକଫ୍ ତରଫରୁ ଓଡିଶା ଶାଖାର ମୁଖ୍ୟ ଗାୟତ୍ରୀ ମହାନ୍ତି ନିବେଦନ କରିଛନ୍ତି |